ବାଙ୍କୁଙ୍କ ପରିବାରକୁ ରାସନକାର୍ଡ ଓ ୫୦ କେଜି ଚାଉଳ ପ୍ରଦାନ

ଜନସ୍ବାର୍ଥ ମାମଲା ପରେ ତଦନ୍ତ ପାଇଁ ଆସିଛୁ: ଖାଦ୍ୟ ‌ଆ‌‌ୟୋଗ

ଯାଜପୁର/ଟମକା/ଦାନଗଦି : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ରଗଡା-ଘାଟିସାହିର ବାଙ୍କୁ ହେମ୍ବ୍ରମ ଓ ତୁଳସୀ ହେମ୍ବ୍ରମଙ୍କ ଗୋଟିଏ ସନ୍ତାନ ଅପପୁଷ୍ଟି ପାଇଁ ମୃତ୍ୟୁବରଣ କରିଥିବା ବେଳେ ଆଉ ଏକ ଝିଅ ସଂଘାତିକ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରିବା ଘଟଣା ଇସ୍ପାତ ରାଜଧାନୀ କଳିଙ୍ଗନଗରର ବିକାଶ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଅପପୁଷ୍ଟିକୁ ନେଇ ଜନସ୍ବାର୍ଥ ମାମଲା ହେବା ପରେ ଆଜି ରାଜ୍ୟ ଖାଦ୍ୟ ଆୟୋଗ ପ୍ରତିନିଧି ଦଳ ବାଙ୍କୁଙ୍କ ପରିବାରକୁ ସାକ୍ଷାତ କରି ତାର ଦୟନୀୟ ସ୍ଥିତି ସଂପର୍କରେ ଜାଣିବାକୁ ପାଇଛନ୍ତି। ବାଙ୍କୁଙ୍କ ପରିବାରର ୧୦ଜଣ ସଦସ୍ୟଙ୍କ ନାମ ରାସନକାର୍ଡରେ ଯୋଡ଼ାଯିବା ସହିତ ୫୦ କେଜି ଚାଉଳ ଜିଲ୍ଲା ପ୍ରଶାସନ ଯୋଗାଇ ଦେଇଛି। ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟା ଶିବାନୀ ମହାନ୍ତି ପ୍ରତିଶ୍ରୁତି ଦେଇଛନ୍ତି।

ଶିଳ୍ପ ସମୃଦ୍ଧ କଳିଙ୍ଗନଗରରେ ଛାତି ଉପରେ ଅପପୁଷ୍ଟିର ଶିକାର ହୋଇ ଗୋଟିଏ ଶିଶୁ ପ୍ରାଣ ହରାଇବା ଏବଂ ଆଉଜଣେ ଗୁରୁତର ଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଲା। ଏହି ପ୍ରସଙ୍ଗକୁ ନେଇ ଜାତୀୟସ୍ତରରେ ଚର୍ଚ୍ଚା ହୋଇଥିଲା। ବିଧାନସଭାରେ ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଇବା ସହିତ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସ୍ବାସ୍ଥ୍ୟବିଭାଗ, ଶିଶୁ ଓ ମହିଳା କଲ୍ୟାଣ ବିଭାଗ ଅପପୁଷ୍ଟି ଆକ୍ରାନ୍ତ ଶିଶୁଙ୍କୁ କଟକ ଶିଶୁଭବନରେ ଭର୍ତ୍ତି କରିଛନ୍ତି।

ଖାଦ୍ୟ ଆୟୋଗ ସଦସ୍ୟା ଶିବାନୀ ମହାନ୍ତି ଆଜି ରାଗଡା-ଘାଟିସାହିରେ ପହଞ୍ଚି ପୀଡ଼ିତା ଶିଶୁର ବାପା ବାଙ୍କୁ ହେମ୍ବ୍ରମଙ୍କ ସହ ଆଲୋଚନା କରିଥିଲେ। ରାସନ ସାମଗ୍ରୀ, ଅଙ୍ଗନବାଡିକୁ ଶିଶୁକୁ ପଠାଇବା ଓ ଖାଦ୍ୟ ଅଧିକାର ଉପରେ ଆ‌ଲୋଚନା କରିଥିଲେ। ବାଙ୍କୁ ପରିବାରର ଦଶଜଣିଆ ସଦସ୍ୟଙ୍କ ପାଇଁ ଏକ ରାସନକାର୍ଡ ପ୍ରଦାନ କରାଯାଇଛି। ଆଜି ତଦନ୍ତ ସମୟରେ ଶିଶୁ ଅଧିକାର କର୍ମୀ ମଣ୍ଟୁଦାସ ପ୍ରତିନିଧି ଦଳ ସହିତ ଆଲୋଚନା କରି ଶିଶୁମାନଙ୍କର ବୟସ କାଗଜପତ୍ରରେ ବଢ଼ାଇ କିଶୋର ଦର୍ଶାଯାଇଥିବା କହିଥିଲେ। ଜନସ୍ବାର୍ଥ ମାମଲା ପରେ ତଦନ୍ତ ପାଇଁ ଆସିଛୁ ବୋଲି ଖାଦ୍ୟ ଆୟୋଗ ଟିମ୍‌ କହିଛନ୍ତି। ଆଜି ତଦନ୍ତ ‌ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମଞ୍ଜୁଲତା ନାୟକ, ଯୋଗାଣ ଅଧିକାରୀ, ଦାନଗଦି ବିଡିଓ ଶାରଦା ପ୍ରସନ୍ନ ପଣ୍ଡା, ଦାନଗଦି ସିଡିପିଓ ଦେବକୀ ପାତ୍ର, ରଣାଗୁଣ୍ଡି ସରପଞ୍ଚ ତୁଷାର ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର