ଆଇଟିଆରରେ ଗ୍ଲାଇଡ୍‌ ବମ୍‌ର ପରୀକ୍ଷା ସଫଳ

ବାଲେଶ୍ୱର : ଆଜି ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଚାନ୍ଦିପୁର ସମନ୍ଵିତ ପରୀକ୍ଷଣ କେନ୍ଦ୍ର ବା ଆଇଟିଆରରେ ସଫଳତାର ସହ ପରୀକ୍ଷା ହୋଇଛି ଗ୍ଲାଇଡ୍‌ ବମ୍‌। ଭାରତୀୟ ବାୟୁସେନାର ଯୁଦ୍ଧ ବିମାନରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଗ୍ଲାଇଡ୍‌ (ବିମାନରୁ ଅବତରଣ କରିପାରୁଥିବା) ବୋମାକୁ ସଫଳତାର ସହ ପରୀକ୍ଷା କରିଥିଲେ ବରିଷ୍ଠ ବୈଜ୍ଞନିକମାନେ।

ଇମାରତ ଗବେଷଣା କେନ୍ଦ୍ର ଓ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗରେ ନିର୍ମାଣ କରାଯାଇଛି ଏହି ଗ୍ଲାଇଡ୍‌ ବମ୍‌। ଏକ ସୂକ୍ଷ୍ମ ନାଭିଗେସନ୍‌ ପ୍ରକ୍ରିୟା ମାଧ୍ୟମରେ ଏହି ଯୁଦ୍ଧାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ତିନୋଟି ଭିନ୍ନ ଭିନ୍ନ ରେଞ୍ଜ୍‌ରେ ହୋଇଥିଲା ପରୀକ୍ଷଣ। ୭୦ କିଲୋମିଟର ପର୍ଯ୍ୟନ୍ତ ଏହାର ଲକ୍ଷଭେଦ କ୍ଷମତା ରହିଛି। ସଫଳ ପରୀକ୍ଷଣ ପାଇଁ ଭାରତୀୟ ବାୟୁସେନା ଓ ଡିଆରଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏ ଯୁଦ୍ଧାସ୍ତ୍ରକୁ ଖୁବ୍‌ ଶୀଘ୍ର ସେନାରେ ସାମିଲ କରାଯିବ ବୋଲି ଡିଆରଡିଓ ଅଧ୍ୟକ୍ଷ ଡ. ଏସ୍‌. ଖ୍ରୀଷ୍ଟୋଫର ସୂଚନା ଦେଇଛନ୍ତି। କ୍ଷେପଣାସ୍ତ୍ର ଓ ଷ୍ଟ୍ରାଟେଜିକ୍‌ ପ୍ରକ୍ରିୟାର ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଗ୍ଲାଇଡ ବମ୍‌ର ନିର୍ମାଣ ଓ ସଫଳ ପରୀକ୍ଷଣ ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବ।

ସମ୍ବନ୍ଧିତ ଖବର