ପୁରୀ: ଆଉ ୬ ଦିନର ଅପେକ୍ଷା। ଡିସେମ୍ବର ୪ ତାରିଖରେ ପାଳିତ ହେବାକୁ ଯାଉଛି ନୌସେନା ଦିବସ। ପ୍ରଥମ ଥର ପାଇଁ ଓଡ଼ିଶାର ପୁରୀ ବେଳାଭୂମିରେ ଏହି ଦିବସ ପାଳନ କରିବାକୁ ଯାଉଛି ନୌବାହିନୀ। ଏଥିପାଇଁ ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ୍ ବିଚ୍ଠାରେ ଆଜିଠାରୁ ନୌସେନାର ରଣକୌଶଳ ଅଭ୍ୟାସ ଆରମ୍ଭ ହୋଇଛି। ଗଭୀର ଜଳରାଶିରେ ଯୁଦ୍ଧବିମାନ, ଲଢ଼ୁଆ ହେଲିକପ୍ଟର୍ ସହ ଯୁଦ୍ଧଜାହାଜ ଜରିଆରେ ନୌସେନା କିଭଳି ଯୁଦ୍ଧ କରିଥାଏ, ସେହି କଳାକୌଶଳର ଅଭ୍ୟାସ ଦେଖିବାକୁ ମିଳିଛି।
ପ୍ରଦର୍ଶନ ପୂର୍ବରୁ ଏହି ଅଭ୍ୟାସରେ ନୌସେନାର ଲଢ଼ୁଆ କମାଣ୍ଡୋ ‘ମାର୍କୋସ୍’ ଆଜି ହେଲିକପ୍ଟରରୁ ଗୁଳିଗୋଳା ବର୍ଷାର ଦୃଶ୍ୟ ଦେଖାଇଥିଲେ। ରଶିରେ ହେଲିକପ୍ଟର୍ରୁ ସମୁଦ୍ରର ଗଭୀର ଜଳରାଶି ଭିତରେ ଅବତରଣ ଓ ପୁଣି ଗଭୀର ଜଳରାଶିରୁ ହେଲିକପ୍ଟର୍ରେ ଚଢ଼ିବାର ଦୃଶ୍ୟ ଦେଖାଇଛନ୍ତି। ହେଲିକପ୍ଟର୍ରୁ ଅବତରଣ ପରେ ସ୍ପିଡ୍ ବୋଟ୍ ଜରିଆରେ ନୌସେନା କିଭଳି ସୁରକ୍ଷିତ ଭାବେ କୂଳକୁ ଆସିଥାନ୍ତି, ତାହାର ଝଲକ ବି ଦେଖିବାକୁ ମିଳିଥିଲା। ମାର୍କୋସ୍ କମାଣ୍ଡୋମାନେ ହେଲିକପ୍ଟରରେ ଝୁଲି ପୁରୀ ଆକାଶ ମାର୍ଗରେ ତ୍ରିରଙ୍ଗା ପତାକା ଉଡ଼ାଇବାର ଦୃଶ୍ୟ ଥିଲା ବେଶ ଚିତ୍ତାକର୍ଷକ। ଏହି ଅବସରରେ ନୌସେନାର ୧୦ରୁ ଅଧିକ ଲଢ଼ୁଆ ହେଲିକପ୍ଟର ଯୁଦ୍ଧାଭ୍ୟାସରେ ସାମିଲ୍ ହୋଇଥିଲେ।
କମାଣ୍ଡୋ ଦେଖାଇଲେ ବିଧ୍ବଂସୀ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ
ଆକାଶରେ ଉଡ଼ିଲା ତ୍ରିରଙ୍ଗା
ମଝିରେ ଯୁଦ୍ଧବିମାନ ବି ଗର୍ଜନ କରି ଆକାଶମାର୍ଗରେ ଉଡ଼ିଥିଲେ। କ୍ଷୀପ୍ର ଗତିରେ ଆକାଶମାର୍ଗରୁ ତଳକୁ ଆସି ପୁଣି କ୍ଷୀପ୍ର ଗତିରେ ଆକାଶ ମାର୍ଗକୁ ଉଡ଼ିଥିଲେ। ସେହିପରି ୨ରୁ ଅଧିକ ଅତ୍ୟାଧୁନିକ ‘ସି ହ୍ୟାରିୟର୍’ ଯୁଦ୍ଧବିମାନ ପୁରୀ ଆକାଶମାର୍ଗରେ ଚକ୍କର କାଟିଥିଲା। ନୌସେନାର ବନ୍ଧୁକଧାରୀ ଦୁର୍ଦ୍ଦର୍ଷ କମାଣ୍ଡୋମାନେ ଯୁଦ୍ଧ ଓ ଅନ୍ୟାନ୍ୟ ଆପଦ ସମୟରେ କିପରି ଅତର୍କିତ ଆକ୍ରମଣ କରନ୍ତି, ତା’ର ନମୁନା ଦେଖିବାକୁ ପାଇଥିଲେ ପୁରୀବାସୀ। ଏଥିସହିତ ସମୁଦ୍ରରେ ୧୨ରୁ ଅଧିକ ଯୁଦ୍ଧଜାହାଜ କ୍ଷେପଣାସ୍ତ୍ର ବିଧ୍ବଂସୀ ଟର୍ପୋଡ୍, ଗୁଳିଗୋଳା ବର୍ଷା କରିଥିଲେ। ଯୁଦ୍ଧଜାହାଜ ଉପରେ ହେଲିକପ୍ଟର ଅବତରଣ ଦୃଶ୍ୟ ଦେଖାଇଥିଲେ ନୌସେନାର ପାଇଲଟ୍। ରାତିରେ ସମୁଦ୍ର ଜଳରାଶିରେ ଥିବା ଯୁଦ୍ଧ ପୋତଗୁଡ଼ିକୁ ଏଲ୍ଇଡିରେ ଆଲୋକିତ କରାଯାଇଥିଲା। ଶେଷରେ ରାଷ୍ଟ୍ରପତିଙ୍କ ପରେଡ୍ ଅଭିବାଦନର ଅଭ୍ୟାସ କରିଥିଲେ ଯବାନ। ଅପରାହ୍ଣ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଏହି ଅଭ୍ୟାସ ଚାଲିଥିଲା। ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ଅଭ୍ୟାସ ଜାରି ରହିବ। ଡିସେମ୍ବର ୪ ତାରିଖରେ ରାଷ୍ଟ୍ରପତିଙ୍କ ଆଗରେ ଫାଇନାଲ୍ ସୋ’ କରିବେ ନୌସେନା।