ମାନସିକ ସ୍ୱାସ୍ଥ୍ୟ ସଚେତନତାରେ ଗ୍ଲୋବାଲ ରେକର୍ଡ

ତିଆରି କଲେ ୯୮ ହଜାର ୨୯୪ ବର୍ଗଫୁଟର ରିବନ୍

ମାନସିକ ସ୍ୱାସ୍ଥ୍ୟ ସଚେତନତାରେ ଗ୍ଲୋବାଲ ରେକର୍ଡ

ଯାଜପୁର: ରୋଟ୍ରାକ୍ଟ କ୍ଲବ ଭୁବନେଶ୍ୱର ରୟାଲ,ରୋଟ୍ରାକ୍ଟ କ୍ଲବ ବ୍ୟାସଭୂମି ଯାଜପୁରରୋଡ୍‌, ରୋଟାରି କ୍ଲବ ଭୁବନେଶ୍ୱର ରୟାଲ ଓ ରୋଟାରି କ୍ଲବ ଯାଜପୁରରୋଡ଼ ସହଯୋଗରେ ମାନସିକ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ବ୍ୟାସନଗର ଷ୍ଟାଡିୟମରେ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନସିକ ସ୍ୱାସ୍ଥ୍ୟ ଓ ଚାପ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ନିମନ୍ତେ ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ସଚେତନ କରିବାକୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପୂର୍ବରୁ ଏନେଇ ସ୍ପେନର ଏକ ସଂସ୍ଥା ୬୦,୫୦୦ ବର୍ଗଫୁଟ ରିବନ୍ ତିଆରି ରେକର୍ଡ କରିଥିଲା।

ଏହାକୁ ଭାଙ୍ଗି ରୋଟ୍ରାକ୍ଟ କ୍ଲବ ଭୁବନେଶ୍ୱର ରୟାଲ ୯୮ ହଜାର ୨୯୪ ବର୍ଗଫୁଟ୍‌ର ସବୁଜ କପଡ଼ାରେ ଏକ ରିବନ୍‌ ଆକୃତି ତିଆରି କରି ଗ୍ଲୋବାଲ ରେକର୍ଡ ଓ ଏସିଆ ପ୍ୟାସିଫିକ୍ ରେକର୍ଡ କରିଛନ୍ତି। ଲୋକମାନେ ନିଜର ଖାଦ୍ୟପେୟ, ଜୀବନଶୈଳୀ, ପାରିବାରିକ ସମ୍ପର୍କରେ ତିକ୍ତତା, କାର୍ଯ୍ୟକ୍ଷେତ୍ରରେ କାମର ବୋଝ ଏବଂ ବିଭିନ୍ନ ସମସ୍ୟା କାରଣରୁ ପ୍ରାୟ ସବୁବେଳେ ଚିନ୍ତାଗ୍ରସ୍ତ ରହୁଛନ୍ତି। ଏନ୍.ସି.ଆର୍.ବି. ରିପୋର୍ଟ ଅନୁସାରେ ୨୦୨୧ରେ ଜାତୀୟସ୍ତରରେ ପ୍ରତିବର୍ଷ ୧,୬୪,୦୩୩ ଜଣ ଓ ଓଡ଼ିଶାରେ ୫,୬୫୧ରୁ ଅଧିକ ଆତ୍ମହତ୍ୟା କରିଛନ୍ତି।

ଯାଜପୁର ରୋଡ଼ର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ସକାଳେ ବ୍ୟାସନଗର ଷ୍ଟାଡିୟମରେ ୯୮ ହଜାର ୨୯୪ ବର୍ଗଫୁଟ କପଡ଼ାରେ ତିଆରି ହୋଇଥିବା ରିବନ୍‌ ଆକୃତି ଚାରିପଟେ ଛିଡା ହୋଇଥିଲେ। ଏହି ରେକର୍ଡର ନିରୀକ୍ଷଣ ଓ ତଦାରଖ ପାଇଁ ଗ୍ଲୋବାଲ ରେକର୍ଡ ଏଣ୍ଡ୍ ରେଫରେନ୍ସର ଟିମ୍ ଆସିଥିଲେ। ସେମାନେ ଯାଞ୍ଚ କରିବା ପରେ ରୋଟ୍ରାକ୍ଟ କ୍ଲବ ଗ୍ଲୋବାଲ ରେକର୍ଡ ଓ ଏସିଆ ପ୍ୟାସିଫିକ୍ ରେକର୍ଡ ସୃଷ୍ଟି କରିଛି ବୋଲି ଘୋଷଣା କରିଥିଲେ। ଏହାପରେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।

ମାନସିକ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି ରୋଟ୍ରାକ୍ଟ କ୍ଲବର ମୁଖ୍ୟ ଅଭିଳାଷ ବୋଇତାଇ କହିଛନ୍ତି। ଉପଯୁକ୍ତ ଚିକିତ୍ସା, ସ୍ନେହଶ୍ରଦ୍ଧା ଓ ଭଲପାଇବା ମାଧ୍ୟମରେ ମାନସିକ ଅସୁସ୍ଥ, ବିଷାଦକୁ କମ୍ କରାଯାଇ ପାରିବ ବୋଲି କାର୍ଯ୍ୟକ୍ରମର ଅଧ୍ୟକ୍ଷ ଡାକ୍ତର ସତ୍ୟବ୍ରତ କର କହିଥିଲେ। ପ୍ରଭୁଦତ୍ତ ସୁବୁଦ୍ଧି, ଅଭୟ ପତି, ଗ୍ଲୋବାଲ ରେକର୍ଡ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନର ମୁଖ୍ୟ ମନମୋହନ ରାୱତ, ଜୟଶ୍ରୀ ବିଶ୍ୱାଳ, ସୋମ ଶାସ୍ତ୍ରୀ, ଗୁରୁବିନ୍ଦର ସିଂହ, ଅରୁଣ କୁମାର ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe