ଜିଏଲ୍‌ପି ଓ ଗୋଲ୍‌ଡେନ ଲ୍ୟାଣ୍ଡ୍‌ ରିପୋର୍ଟ ହାଇକୋର୍ଟରେ ଦାଖଲ

୮ଲକ୍ଷ ୫୯ ହଜାର ଜମାକାରୀଙ୍କର ରହିଛି ୫୬୭ କୋଟି ୩୫ ଲକ୍ଷ ଟଙ୍କା

କଟକ : ଅର୍ଥ ଲଗାଣକାରୀ ସଂସ୍ଥା ଜିଏଲ୍‌ପି ଡେଭେଲପର୍ସ ଲିମିଟେଡ ଓ ଗୋଲ୍‌ଡେନ୍‌ ଲ୍ୟାଣ୍ଡ ଡେଭେଲପର୍ସ ଲିମିଟେଡର କ୍ଷତିଗ୍ରସ୍ତ ଜମାକାରୀଙ୍କ ସଂପର୍କରେ ଜଷ୍ଟିସ ମଦନ ମୋହନ ଦାସ କମିସନ୍‌ ହାଇକୋର୍ଟରେ ଦ୍ୱିତୀୟ ସ୍ୱତନ୍ତ୍ର ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ ୮ ଲକ୍ଷ ୫୯ ହଜାର ୮୩୯ ଜଣ ଜମାକାରୀଙ୍କ ପ୍ରସଂଗରେ ଉଲ୍ଲେଖ କରାଯାଇଛି। ଏହି ଜମାକାରୀମାନେ ଜିଏଲ୍‌ପି ଡେଭେଲପର୍ସ ଲିମିଟେଡ ଓ ଗୋଲ୍‌ଡେନ୍‌ ଲ୍ୟାଣ୍ଡ ଡେଭେଲପର୍ସ ଲିମିଟେଡ ସଂସ୍ଥାରେ ୫୬୭ କୋଟି ୩୫ ଲକ୍ଷ ୯ ହଜାର ୩୨୩ ଟଙ୍କା ନିବେଶ କରିଥିଲେ ବୋଲି ଉଲ୍ଲେଖ କରାଯାଇଛି। ଜମାକାରୀଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଓ ନଥିପତ୍ର ଯାଞ୍ଚ ପରେ କମିସନ୍‌ ଏପରି ସ୍ୱତନ୍ତ୍ର ରିପୋର୍ଟ ପ୍ରଦାନ କରିଛନ୍ତି। ପୂର୍ବରୁ ୨୦୧୭, ମାର୍ଚ୍ଚ ୩ରେ କମିସନ୍‌ ଜିଏଲପି ଡେଭେଲପର୍ସ ଲିମିଟେଡ ଓ ଗୋଲଡେନ୍‌ ଲ୍ୟାଣ୍ଡ ଡେଭେଲପର୍ସ ଲିମିଟେଡ ସଂସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କ ସଂପର୍କରେ ପ୍ରଥମ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲେ। ଏହି ରିପୋର୍ଟରେ ୨୮ ହଜାର ୨୧୩ ଜଣ ଜମାକାରୀଙ୍କ ପ୍ରସଂଗରେ ଉଲ୍ଲେଖ କରାଯାଇଥିଲା। ଏହି ଜମାକରୀ ସଂସ୍ଥାରେ ୨୩ କୋଟି ୩୩ ଲକ୍ଷ ୧୮ ହଜାର ୪୦୨ ଟଙ୍କା ନିବେଶ କରିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ଜିଏଲ୍‌ପି ଡେଭେଲପର୍ସ ଲିମିଟେଡ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ୨୦୧୭, ଜାନୁଆରି ୪ ତାରିଖରେ ହାଇକୋର୍ଟ ଏହି ଦୁଇ ସଂସ୍ଥାର ଜମାକାରୀ ଓ ଗ୍ରାହକଙ୍କୁ ଚିହ୍ନଟ କରିବା ପାଇଁ କମିସନଙ୍କୁ ଅନୁରୋଧ କରିଥିଲେ। ଜମାକାରୀଙ୍କ ସବିଶେଷ ତଥ୍ୟ ସହିତ ସେମାନେ ଏହି ଦୁଇ ସଂସ୍ଥାରେ କେତେ ଟଙ୍କା ନିର୍ଦ୍ଦିଷ୍ଟ ଭାବେ ନିବେଶ କରିଛନ୍ତି ସେ ସଂପର୍କରେ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କମିସନ୍‌ ଜିଏଲ୍‌ପି ସଂସ୍ଥାର କ୍ଷୁଦ୍ର ଜମାକାରୀଙ୍କ ନିକଟରୁ ସାନି ସତ୍ୟପାଠ ଆହ୍ଵାନ କରିଥିଲେ। ଏହି ଦୁଇ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀମାନେ ୨୦୧୭, ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ସେମାନଙ୍କ ସତ୍ୟପାଠ ଦାଖଲ କରିପାରିବେ ବୋଲି କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜମାକାରୀମାନେ ନାଁ, ଠିକଣା, ଫୋନ୍‌ ନମ୍ବର ସହିତ ସେମାନେ ନିବେଶ କରିଥିବା ଟଙ୍କାର ପରିମାଣ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଥିଲା। ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିବା ରସିଦ ଓ ଅନ୍ୟ ନଥିପତ୍ର ସହିତ ଜମାକାରୀ ନିଜ ପରିଚୟପତ୍ର ଯଥା ଆଧାର କାର୍ଡ, ପାନ୍‌ କାର୍ଡ କିମ୍ବା ରାସନ କାର୍ଡର ଜେରକ୍ସ ଓ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଧ୍ୟ ଦେବା ପାଇଁ କୁହାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର, ଭଞ୍ଜନଗର, ଭୁବନେଶ୍ୱର, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଥିବା ଜିଏଲ୍‌ପିର କାର୍ଯ୍ୟାଳୟରେ ଜମାକାରୀମାନେ ସତ୍ୟପାଠ ଦାଖଲ କରିଥିଲେ। ଏହିସବୁ ସ୍ଥାନରୁ ମିଳିଥିବା ୮ ଲକ୍ଷ ୮୮ ହଜାର ୫୨ଟି ସତ୍ୟପାଠ ଓ ଅନ୍ୟ ତଥ୍ୟ କଟକ ବକ୍ସିବଜାର ପୁଲିସ ଲାଇନରେ ଥିବା କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏଗୁଡିକୁ ଯାଞ୍ଚ କରାଯାଇଥିଲା। ସତ୍ୟପାଠରୁ ମିଳିଥିବା ତଥ୍ୟ ଓ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିବା ନଥିପତ୍ରକୁ ତଦନ୍ତ ସମୟରେ ଯାଞ୍ଚ କରାଯାଇଥିଲା।

ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ : ସିସୋର ଓ ଅର୍ଥତତ୍ତ୍ୱକୁ ନୋଟିସ୍‌

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ପଞ୍ଚମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ୍‌ ପରେ ସିସୋର ଓ ଅର୍ଥତତ୍ତ୍ୱକୁ ସାନି ନୋଟିସ୍‌ ଜାରି କରିଛନ୍ତି। ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ ନୋଟିସ୍‌ ଜାରି ଆରମ୍ଭ ହୋଇଛି। ୨୦୧୩, ସେପ୍ଟେମ୍ବର ୧୭ରୁ ୨୦୧୩, ସେପ୍ଟେମ୍ବର ୨୭ ମଧ୍ୟରେ ଦାଖଲ ଏହି ସତ୍ୟପାଠ ଗୁଡିକ ଯାଞ୍ଚ କରାଯାଉଛି। ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ୭ ହଜାର ୭୩୪ଜଣ ଓ ଅର୍ଥତତ୍ତ୍ୱ ଏମଡି ପ୍ରଦୀପ ସେଠୀଙ୍କୁ ୨ହଜାର ୩୬୫ ଜଣ କ୍ଷୁଦ୍ର ଜମାକାରୀଙ୍କ ଦାବି ସଂପର୍କରେ କାରଣ ଦର୍ଶାଇବାକୁ କମିସନ୍‌ ନୋଟିସ ଜାରି କରିଛନ୍ତି। ଶ୍ରୀ ଦାସ ଓ ଶ୍ରୀ ସେଠୀଙ୍କୁ ୨୦୧୮, ମାର୍ଚ୍ଚ ୮ ତାରିଖ ଦିନ ୨ଟା ବେଳେ ନିଜେ କିମ୍ବା ପ୍ରତିନିଧଙ୍କ ମାଧ୍ୟମରେ ହାଜର ହୋଇ କାରଣ ଦର୍ଶାଇବାକୁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ୪ଟି ପର୍ଯ୍ୟାୟରେ କମିସନ୍‌ ୩ ଲକ୍ଷ ୪୧ ହଜାର ସତ୍ୟପାଠ ଯାଞ୍ଚ କରି ସାରିଛନ୍ତି।

ସମ୍ବନ୍ଧିତ ଖବର