ରାୟଗଡା: ରାୟଗଡ଼ା ଜିଲ୍ଲାରେ କପା ତଥା ପୋଡ଼ୁଚାଷ ପାଇଁ ବ୍ୟାପକ ପରିମାଣରେ ନିଷିଦ୍ଧ ପେଷ୍ଟିସାଇଡ୍ ଗ୍ଲାୟୋ ଫସ୍ଫେଟ୍-୪୧ ଇସି ଓ ଗ୍ଲାୟୋ ଫସ୍ଫେଟ୍-୭୧ ଇସି ବ୍ୟବହାର ହେଉଛି। ଯାହାଫଳରେ ଜଙ୍ଗଲ ନଷ୍ଟ ହେବା ସହ ମାଟି ବିଷାକ୍ତ ହେଉଛି। କେନ୍ଦ୍ର ସରକାର ଏହି ରସାୟନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ ସୁଦ୍ଧା ଖୁଲମଖୁଲ୍ଲା ବିକ୍ରି ହେଉଛି।
୨୦୧୪ ମସିହାରେ ରାୟଗଡ଼ା ଜିଲ୍ଲାରେ ପାଖାପାଖି ୨୭ହଜାର ହେକ୍ଟର ଜମିରେ କପା ଚାଷ ହେଉଥିଲା। କୃଷି ବିଭାଗ ରିପୋର୍ଟ ଅନୁସାରେ ୨୦୨୪ ବେଳକୁ ୫୦ହଜାର ହେକ୍ଟରକୁ କପାଚାଷ ବଢ଼ି ସାରିଲାଣି। କିନ୍ତୁ ଲୁଚାଛପାରେ ଆହୁରି ୫୦ହଜାର ହେକ୍ଟର ଡଙ୍ଗର ଜମିରେ ଚାଷ ହେଉଛି। ଏହି ବିଷୟରେ କୃଷି ବିଭାଗ ଏବଂ ପ୍ରଶାସନ ଅବଗତ ରହିଥିଲେ ମଧ୍ୟ ନିରବ। ପାରଂପରିକ ଚାଷରେ ବିଶେଷ ଲାଭ ହେଉନଥିବା କାରଣରୁ ଚାଷୀ କପା ଏବଂ ପୋଡ଼ୁଚାଷକୁ ଆଗ୍ରାଧିକାର ଦେଉଛନ୍ତି। ଯାହାର ସିଧାସଳଖ ପ୍ରଭାବ ଏବେ ପ୍ରକୃତି ଉପରେ ପଡ଼ୁଛି। ପୋଡ଼ୁଚାଷରେ ଅଧିକ ଉତ୍ପାଦନ ଲାଗି ଚାଷୀ ନିଷିଦ୍ଧ ଗ୍ଲାୟୋ ଫସ୍ଫେଟ୍-୪୧ ଇସି ଓ ଗ୍ଲାୟୋ ଫସ୍ଫେଟ୍-୭୧ ଇସି ଆଖିବୁଜା ବ୍ୟବହାର କରୁଛନ୍ତି। ଏହାକୁ ରାଜ୍ୟ ବାହାର ବେପାରୀ ଯୋଗାଇ ଦେଉଛନ୍ତି।
ଏପରିକି ୧୦ରୁ ଅଧିକ ଡିଲର୍ ବି ଏହି ବ୍ୟବସାୟ କରୁଛନ୍ତି। ଏହି ରସାୟନ ବ୍ୟବହାର ଦ୍ବାରା ଘାସ ଏବଂ ଗଛ ସପ୍ତାହକ ମଧ୍ୟରେ ପୋଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଏ। ପ୍ରତିବର୍ଷ କପା ଚାଷ ପରିମାଣ ବୃଦ୍ଧି ପାଉଥିବାରୁ ଜମି ଅଭାବ ଦୂର କରିବାକୁ ଗ୍ରାମାଞ୍ଚଳର ଚାଷୀ ନିଷିଦ୍ଧ ରସାୟନ ବ୍ୟବହାର କରି ଗଛପତ୍ରକୁ ଜାଳି ଦେଉଛନ୍ତି। ଜମି ପଡ଼ିଆରେ ପରିଣତ ହୋଇଗଲେ ଚାଷ କରି ସିଧାସଳଖ ଦଲାଲ ଏବଂ ବେପାରୀଙ୍କୁ କପା ବିକ୍ରି କରୁଛନ୍ତି ଚାଷୀ। କପାଚାଷ ପାଇଁ ବ୍ୟବହାର ହେଉଥିବା ଅନ୍ୟ କୀଟନାଶକ ଯୋଗୁଁ ମଧ୍ୟ ମାଟି ବିଷରେ ପରିଣତ ହେଲାଣି। କୃଷି ବିଭାଗ ତଥ୍ୟ ଅନୁସାରେ ୨୦୧୫-୧୬ରେ ରାୟଗଡ଼ା ଜିଲ୍ଲାର ମାଟିରେ ୦.୪୯ ପ୍ରତିଶତ ଅର୍ଗାନିକ କାର୍ବନ ରହୁଥିଲା। ୨୦୨୩-୨୪ ମସିହାର ପରୀକ୍ଷାରେ ଅର୍ଗାନିକ କାର୍ବନର ମାତ୍ରା ୦.୩୭ ପ୍ରତିଶତକୁ ଖସିଛି। ଅର୍ଗାନିକ କାର୍ବନ ମାତ୍ରା ୦.୫୦ ପ୍ରତିଶତ ରହିଲେ ହିଁ ତାହାକୁ ସ୍ବାସ୍ଥ୍ୟବାନ ମାଟି ବୋଲି କୁହାଯାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି। କେବଳ ଅର୍ଗାନିକ କାର୍ବନ ନୁହଁ, ମାଟିରୁ ଯବକ୍ଷାରଜାନ, ଫସ୍ଫରସ ମାତ୍ରା ହ୍ରାସ ପାଇବାରେ ଲାଗିଛି। ତୁରନ୍ତ ଏଥିରେ ରୋକ ନ ଲାଗିଲେ ଆଗକୁ ମାଟି ସଂପୂର୍ଣ୍ଣ ବିଷାକ୍ତ ହୋଇ ଉତ୍ପାଦନ ହ୍ରାସ ପାଇବ। ମାରାତ୍ମକ ରୋଗର ବି କାରଣ ହୋଇପାରେ ବୋଲି କୁହାଯାଉଛି। ଚାଷୀଙ୍କୁ ସଚେତନ କରିବା ସହ ବିଷାକ୍ତ ରସାୟନ ବନ୍ଦ କରିବାକୁ କଡ଼ା ପଦକ୍ଷେପ ନେବାକୁ ପରିବେଶବିତ୍ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/05/ttjVXm1psnVAI6qhYMWf.jpg)