ଭିଜିଲାନ୍ସ ଜାଲରେ ଟିପିଡବ୍ଲୁଓଡିଏଲ୍‌ର ଜିଏମ୍‌, ୩ କୋଟିରୁ ଅଧିକ ସମ୍ପତ୍ତି ଠାବ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଟିପିଡବ୍ଲ୍ୟୁଓଡିଏଲ୍ ଜେନେରାଲ୍ ମ୍ୟାନେଜର୍‌(ଜିଏମ୍‌) ସନ୍ତୋଷ କୁମାର ଦର୍ଜି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଯାଞ୍ଚ ବେଳେ ୩ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ସେଥିରୁ ୧ କୋଟି ୨୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମ‌ା ଓ ବୀମା ରହିଛି।

ଶୁକ୍ରବାର ଏକ ସଙ୍ଗେ ୩ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ବରଗଡ଼ ଜିଲ୍ଲା ଅତାବିରା ସ୍ଥିତ ପୈତୃକ ଘର, ବୁର୍ଲା କର୍ପୋରେଟ୍ କାର୍ଯ୍ୟାଳୟ ଓ ପ୍ରଧାନପଡ଼ା ସ୍ଥିତ ତାଙ୍କ ବିଳାସପୂର୍ଣ୍ଣ ଅଟ୍ଟାଳିକାରେ ଭିଜିଲାନ୍ସର ୩ଟି ଟିମ୍‌ ଏକ ସଙ୍ଗେ ଚଢ଼ଉ କରିଥିଲା। ଭିଜିଲାନ୍ସ ପକ୍ଷରୁ ନଗଦ ୭ ଲକ୍ଷ ୨୦ ହଜାର ୩ ଶହ ୬୦ ଟଙ୍କା ଏବଂ ୧୦ ଲକ୍ଷ ୨୬ ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଜବତ କରାଯାଇଛି। ନଗଦ ଟଙ୍କାକୁ ଛାଡ଼ି ସମ୍ବଲପୁର ପ୍ରଧାନପଡ଼ାରେ ଥିବା ୨ ମହଲା କୋଠା (ଭିଜିଲାନ୍‌ସ ପକ୍ଷରୁ ଆକଳନ କରା ଯାଇଥିବା ମୂଲ୍ୟ ୮୮.୧୫ ଲକ୍ଷ ଟଙ୍କା), ରାୟପୁର ସହରର ପ୍ରମୁଖ ସ୍ଥାନରେ ଏକ ଡୁପ୍ଲେକ୍ସ ଘର, ଅଇଁଠାପାଲି ଅଞ୍ଚଳରେ ୨ଟି ପ୍ଲଟ୍‌, ୨ଟି ଚାରି ଚକିଆ ଯାନ (ମୂଲ୍ୟ ୨୦ ଲକ୍ଷ ୫୯ ହଜାର ଟଙ୍କା) ଓ ୨ଟି ବାଇକ୍‌ (ମୂଲ୍ୟ ୪ ଲକ୍ଷ ୬୧ ହଜାର ଟଙ୍କା) ଜବତ ହୋଇଛି। ଶ୍ରୀ ଦର୍ଜି ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ଖାତାରେ ମୋଟ୍‌ ୫୬ ଲକ୍ଷ ୫୯ ହଜାର ଟଙ୍କା ଜମା ରହିଥିବାବେଳେ ବିଭିନ୍ନ ବୀମା କମ୍ପାନିରେ ୬୬ ଲକ୍ଷ ୨୦ ହଜାର ଟଙ୍କା ଜମା ରହିଛି। ଏହାବ୍ୟତୀତ ୧୪ ଲକ୍ଷ ୨୭ ହଜାର ଟଙ୍କା ମୂଲ୍ୟର ଘରକରଣା ସାମଗ୍ରୀ ଥିବା ଜଣାପଡ଼ିଛି। ନିଜ ପ୍ରତିକ୍ରିୟାରେ ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗକୁ ଶ୍ରୀ ଦର୍ଜି ଖଣ୍ଡନ କରିଛନ୍ତି।

ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଟିପିଡବ୍ଲୁଓଡିଏଲର ସିଇଓ ଗଜାନନ କାଲେ କହିଛନ୍ତି ଯେ ଆମେ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛୁ ଓ ରାଜ୍ୟ ଭିଜିଲାନ୍ସ ବିଭାଗ ଯୋଗାଯୋଗରେ ରହିଛୁ । ଜିଏମଙ୍କ ବିରୋଧରେ ଏହି ଲାଞ୍ଚ ଅଭିଯୋଗ ଏକ ଆମ ପାଇଁ ଏକ ଚିନ୍ତାଜନକ ଘଟଣା ଓ ଏହା ଆମ କର୍ମନୀତିର ବିରୋଧୀ । ପାଇଁ ଆମେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ ଏକ ଅନ୍ତରୀଣ କମିଟି ମାଧ୍ୟମରେ ଏହି ମାମଲାର ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଦେଇଛୁ । ନିୟମ ଅନୁସାରେ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ୟ୍ୟନୁଷ୍ଠାନ ନିଆଯିବ ।

ପୁରୁଣା ୫୦୦, ୧୦୦୦ ଟଙ୍କିଆ ନୋଟ୍‌ ବି ମିଳିଲା
ଭିଜିଲାନ୍ସ ରେଡ୍‌ ବେଳେ ଟିପିଡବ୍ଲୁଓଡିଏଲ୍ ଜେନେରାଲ୍ ମ୍ୟାନେଜର୍‌ ଶ୍ରୀ ଦର୍ଜିଙ୍କ ଘରୁ ଅନେକ କିଛି ମିଳିଛି। ନଗଦ ୭ ଲକ୍ଷରୁ ଅଧିକ ଟଙ୍କା ସାଙ୍ଗକୁ ଅନେକ ଅଚଳ ହୋଇ ଯାଇଥିବା ପୁରୁଣା ୫୦୦ ଓ ହଜାରେ ଟଙ୍କିଆ ନୋଟ୍‌ ମଧ୍ୟ ଜବତ ହୋଇଥିଲା। ଅଚଳ ହୋଇ ସାରିଥିବା ଉକ୍ତ ନୋଟ୍‌ ଗୁଡ଼ିକୁ ଭିଜିଲାନ୍ସ ବିଭାଗ ଜବତ କରିଥିଲା। ତାଙ୍କ ପାଖରେ ଏଭଳି କେତେ ଟଙ୍କା ଗଚ୍ଛିତ ଥିଲା ଯେ ସେ ପୁରୁଣା ନୋଟ୍‌ ଗୁଡ଼ିକୁ ବଦଳାଇ ପାରି ନଥିଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଅଚଳ ପୁରୁଣା ନୋଟ୍‌ ରଖିବା ବେଆଇନ୍‌ ହୋଇଥିଲେ ବି ତାଙ୍କ ପାଖରୁ ବହୁ ପରିମାଣରେ ଏହି ନୋଟ୍‌ ଜବତ ହେବା ନେଇ କଣ କାର୍ଯ୍ୟାନୁଷ୍ଠାନ ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର