ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଆଉଏକ ପରିଚୟ ହେଉଛି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମ୍ୟୁ)। ଜିଏମ୍ୟୁର ପ୍ରଶାସନିକ କୋଠା ଉଦ୍ଘାଟନ ଅବସରରେ ଉଚ୍ଚଶିକ୍ଷ ମନ୍ତ୍ରୀ ଇଂ ରୋହିତ ପୂଜାରି ଜିଏମ୍ୟୁକୁ ପଶ୍ଚିମ ଓଡ଼ିଶାର ପରିଚୟ ବୋଲି କହିଛନ୍ତି। ଏହାସହିତ ସେ ଦେଶରେ ଯେଉଁଭଳି ଭାବେ ଜିଏମ୍ୟୁ ୧ ନଂ ହୋଇପାରିବ ସେ ନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ଆଦ୍ବାନ କରିଥିଲେ।
ଗୁରୁବାର ଜିଏମ୍ୟୁର ଏହି ଭବ୍ୟ ପ୍ରଶାସନିକ କୋଠା ଉଦ୍ଘାଟିତ ହୋଇଯାଇଛି। ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି ଅବସରରେ ଜିଏମ୍ୟୁର କୁଳପତି ପ୍ରଫେସର୍ ଏନ୍ ନାଗାରାଜୁ, ଜିଏମ୍ୟୁର ପୂର୍ବତନ କୁଳପତି ପ୍ରଫେସର୍ ଅତନୁ ପତି, ବୁର୍ଲା ଭିସୁଟ୍ର କୁଳପତି ପ୍ରଫେସର୍ ବଂଶୀଧର ମାଝୀ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍ ଡ. ଏକେ ଦାସମହାପାତ୍ର ପିଜି କାଉନ୍ସିଲ୍ ଅଧ୍ୟକ୍ଷ ମୋହିମ ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଫେସର୍ ଏନ୍ ନାଗାରାଜୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ଉପ କୁଳସଚିବ ଡ. ଉମାଚରଣ ପତି ସଂଯୋଜନା କରିଥିଲେ। ଜିଏମ୍ୟୁର ବିକାଶ ନହେଲେ ପଶ୍ଚିମ ଓଡ଼ିଶାର ବିକାଶ ସମ୍ଭବ ନୁହେଁ ବୋଲି ରୋହିତ ପୂଜାରି କହିଥିଲେ। ‘ସମସ୍ତଙ୍କୁ ନେଇକି ଯିଏ ଆଗକୁ ଯିବ ସେ ହିଁ ସଫଳ ହେବ, ଭଲ ମଣିଷ ହେବା ସବୁଠୁ ଗୁରୁତ୍ବପୂର୍ଣ୍ଣ’ ବୋଲି ଛାତ୍ରଛାତ୍ରୀମାନେ ସେ ଉପଦେଶ ଦେଇଥିଲେ। ଏହି ଅବସରରେ ବହୁ ପୁରାତନ ଛାତ୍ର, ପ୍ରାଧ୍ୟାପକ, ଅଧ୍ୟାପକମାନେ ଉପସ୍ଥିତ ଥିଲେ। ଶେଷରେ କୁଳସଚିବ ଯୁଗଳେଶ୍ବରୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ପରେ ଅମୃତ ବିହାର କ୍ୟାମ୍ପସ୍ରେ ଥିବା ପୁରାତନ କୋଠା ଗୁଡ଼ିକରେ ପାଠପଢ଼ା ସହ ସମସ୍ତ ପ୍ରଶାସନିକ କାର୍ଯ୍ୟ ପାଇଁ ସ୍ଥାନାଭାବ ଦେଖା ଦେଇଥିଲା। ଏହାପରେ ଏହି ଅତ୍ୟାଧୁନିକ ପ୍ରଶାସନିକ କୋଠାର ପରିକଳ୍ପନା କରାଯାଇଥିଲା। ରୁଷା ପାଣ୍ଠିରୁ ୧୦ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ତିନି ତଳ ବିଶିଷ୍ଟ ଏହି ଭବ୍ୟ ଭବନଟି ସଂପୂର୍ଣ୍ଣ ହେବାକୁ ପ୍ରାୟ ୩ ବର୍ଷ ଲାଗିଛି।