ଜିଏମ୍‌ୟୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌ରେ ତ୍ରୁଟି, ପଢ଼ି ନଥିବା ବିଷୟରେ ବି ନମ୍ବର ମିଳିଲା

ସମ୍ବଲପୁର : ନିକଟରେ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରୀକ୍ଷାଫଳ ପ୍ରକାଶ ପାଇଥିଲା ବେଳେ କିଛି ବିଭାଗର ମାର୍କସିଟ୍‌ରେ ତ୍ରୁଟି ବିଚ୍ୟୁତି ଦେଖିବାକୁ ମିଳିଛି। ସ୍ନା‌ତକୋତ୍ତର ଓଡ଼ିଆ ବିଭାଗରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌ରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ବିଭାଗର ୫ ଜଣ ଛାତ୍ରଛାତ୍ରୀ ଦ୍ବିତୀୟ ସେମିଷ୍ଟାର୍‌ରେ ସ୍ବତନ୍ତ୍ର ପେପର୍ ‌ଭାବେ ‘ଲୋକ ସାହିତ୍ୟ’ ନେଇଥିଲେ। ୨ ଜଣ ‘ଭାଷା ତତ୍ତ୍ବ’ ନେଇଥିଲେ। ଦ୍ବିତୀୟ ସେମିଷ୍ଟାର୍‌ରେ ପ୍ରଦତ୍ତ ମାର୍କସିଟ୍‌ରେ ସେମାନଙ୍କ ସେହି ବିଷୟର ନାମ ବି ଉଲ୍ଲେଖ ଥିଲା। କିନ୍ତୁ ଚୂଡ଼ାନ୍ତ ଫଳାଫଳ ପରେ ଜାରି ମାର୍କସିଟ୍‌ରେ ଉପରୋକ୍ତ ଛାତ୍ରଛାତ୍ରୀଙ୍କ ଦ୍ବିତୀୟ ସେମିଷ୍ଟାର୍‌ ସ୍ବତନ୍ତ୍ର ପେପର୍‌ରେ ଲୋକ ସାହିତ୍ୟ ଓ ଭାଷା ତତ୍ତ୍ବ ସ୍ଥାନରେ ‘ଓଡ଼ିଆ ପୁରାଣ ସାହିତ୍ୟ’ ଉଲ୍ଲେଖ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି।

ଏ ସଂପର୍କରେ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ‌ଡ. ହେମ କୁମାର ନାୟକ କହିଛନ୍ତି ଯେ ବିଭିନ୍ନ ବିଭାଗରୁ ପ୍ରାୟ ପ୍ରତି ବର୍ଷ ସିଲାବସ୍‌ ପରିବର୍ତ୍ତନ କରାଯାଉଛି। କିନ୍ତୁ ଏ ସଂପର୍କରେ ପରୀକ୍ଷା ନିୟନ୍ତ୍ରଣ ବିଭାଗକୁ ହୁଏତ ସୂଚନା ଦିଆଯାଇ ନଥିବ। ତେଣୁ ପୂର୍ବରୁ ଥିବା ବିଷୟ ମୁଦ୍ରିତ ହୋଇ ଯାଇଥାଇ ପାରେ। ତେବେ ପ୍ରକୃତରେ କଣ ହୋଇଛି ବୁଝିବାକୁ ପଡ଼ିବ। ଯେଉଁ ଛାତ୍ରଛାତ୍ରୀଙ୍କ ମାର୍କସିଟ୍ ଭୁଲ୍‌ ହୋଇଛି ସେମାନେ ଅଭିଯୋଗ କଲେ ସେମାନଙ୍କୁ ସଂଶୋଧିତ ମାର୍କ ସିଟ୍ ପ୍ରଦାନ କରାଯିବ, ସେମାନେ ବ୍ୟସ୍ତ ହେବାର କାରଣ ନାହିଁ ବୋଲି ଡ. ନାୟକ ଆଶ୍ବାସନା ଦେଇଛନ୍ତି।

ସମ୍ବନ୍ଧିତ ଖବର