ସମ୍ବଲପୁର : ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ପରିସରରେ ନିର୍ମିତ ୧୨୦୦ ଆସନ ବିଶିଷ୍ଟ ସମ୍ବଲପୁର ସହରର ସବୁଠୁ ବଡ଼ ପ୍ରେକ୍ଷାଳୟ ଶେଷରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ପ୍ରକ୍ଷାଳୟକୁ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟନ କରିଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ନିର୍ମିତ ଏହି ପ୍ରେକ୍ଷାଳୟର ନିର୍ମାଣ କାର୍ଯ୍ୟ ବେଶ କିଛି ମାସ ହେଲା ଶେଷ ହୋଇ ସାରିଥିଲା। କିନ୍ତୁ ଜାଣିଶୁଣି ସାମାନ୍ୟ କିଛି କାମ ବାକି ରଖାଯାଇଥିଲା ଓ ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର କରାଯାଉ ନଥିଲା। ରାଜନୈତିକ କାରଣରୁ ଏହାର ଉଦ୍‌ଘାଟନକୁ ବିଳମ୍ବ କରା ଯାଉଥିବା ସହରର ବୁଦ୍ଧିଜୀବୀମାନେ ଅଭିଯୋଗ ମଧ୍ୟ ଆଣିଥିଲେ। ୨୦୨୪ରେ ନିର୍ବାଚନ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଉପଯୁକ୍ତ ସମୟରେ ଏହାର ଉଦ୍‌ଘାଟନ କରାଇବା ଯୋଜନା ରଖାଯାଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ନିର୍ମାଣ କାମ ଶେଷ ହେବା ପରେ ମଧ୍ୟ ପ୍ରେକ୍ଷାଳୟ ହସ୍ତାନ୍ତର ନ ହେବାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହୋଇଥିଲା।

Advertisment

publive-image

ଚଳିତବର୍ଷ ଜିଏମୟୁର ସମାବର୍ତ୍ତନ ଉତ୍ସବ ଓ ନିକଟରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ପାଳନରେ ମଧ୍ୟ ପ୍ରେକ୍ଷାଳୟ ବିନିଯୋଗ ହୋଇପାରି ନଥିଲା। ଯାହାକୁ ନେଇ ତୀବ୍ର ସମାଲୋଚନା ଦେଖିବାକୁ ମିଳିଥିଲା। ଶେଷରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ରହି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍‌ଲାଇନ୍‌ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅଶିତ ତ୍ରିପାଠୀଙ୍କ ସମେତ ବହୁ ବିଧାୟକ ଓ ଅଧିକାରୀ ଯୋଡ଼ି ହୋଇଥିଲେ। ଏହି ଅବସରରେ ଜିଏମ୍‌ୟୁ ପ୍ରେକ୍ଷାଳୟ ଠାରେ ଉତ୍ତରାଞ୍ଚଳ ରାଜସ୍ବ କମିସନର୍‌ ଡ. ସୁରେଶ ଚନ୍ଦ୍ର ଦଳେଇ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ଏନ୍‌ ନାଗରାଜୁ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଯାଜ୍ଞସେନି ନାଗ, ଯାନ୍ତ୍ରିକ ପରାମର୍ଶଦାତା ସୁନୀଲ ନାୟକ, ଆଇଏଏସ୍‌(ପ୍ରୋ) ସ୍ନେହା ଆରୁଗୁଲା, ଜିଏମୟୁ କୁଳସଚିବ ଯୁଗଳେଶ୍ବରୀ ଦାଶ ମଞ୍ଚାସୀନ ଥିଲେ। ପ୍ରେକ୍ଷାଳୟରେ ବିଶ୍ବବିଦ୍ୟାଳୟର ବହୁ ଅଧିକାରୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀ ଉପସ୍ଥିତି ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଜିଲ୍ଲା କୁଚିଣ୍ଡା କଲେଜ୍‌ ସ୍ଥିତ ପ୍ରେକ୍ଷାଳୟ ଓ କେଶେଇବାହାଲ ଠାରେ ନିର୍ମିତ ନୂତନ ବହୁମୁଖୀ ହଲ୍‌ର ଉଦ୍‌ଘାଟନ କରିଥିଲେ।