ଘୋଷଣା ଓ ଉଦ୍‌ଘାଟନରେ ସୀମିତ ଯୋଜନା: ଗୋ ଆମ୍ବୁଲାନ୍ସ ସେବା ବନ୍ଦ

ପୁରୀ:‌ ପୁରୀରେ ଯୋଜନାର ଅଭାବ ନାହିଁ। ବହୁ ଆଡମ୍ବରରେ ଘୋଷଣା ହେଉଥିବା ‌ଯୋଜନାର ବାସ୍ତବତା କିନ୍ତୁ ଭିନ୍ନ। ଏଭଳି ଏକ ଯୋଜନା ଗୋ ଆମ୍ବୁଲାନସ ସେବା। ଗତ ୨୦୧୯ ମାର୍ଚ୍ଚ ମାସରେ ଏହା ଆରମ୍ଭ ହୋଇଥିଲା। ଗୃହପାଳିତ ପଶୁ ବା ଗାଈ ଗୋରୁମାନଙ୍କ ଚିକିତ୍ସା ସେବା ଯୋଗାଇ ଦେବାକୁ ଏହି ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଈଗୋରୁଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇ ଚିକିତ୍ସା ଦେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଥିଲା। ଏପରି ମହତ ଉଦ୍ଦେଶ୍ୟ ରଖି ପୁରୀ ପୌରପାଳିକା ପକ୍ଷରୁ ଗୋ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଥିଲା। ବର୍ଷକ ପରେ ସେ ଆମ୍ବୁଲାନ୍‌ସ ଆଉ ଦେଖିବାକୁ ମିଳୁନି। କର୍ମଚାରୀ ଓ ଗାଡ଼ି ଅଭାବ ଆଳ ଦେଖାଇ ପୌର ପ୍ରଶାସନ ଏ ସେବାକୁ ‌ଅଘୋଷିତ ଭାବେ ବନ୍ଦ କରିଦେଇଛି।

ପ୍ରକାଶ ଯେ, ଗତ ୨୦୧୮ ଅଗଷ୍ଟ ୩୧ରେ ଏହି ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା ପୁରୀ ପୌରପାଳିକାରେ ଗାଈଗୋରୁଙ୍କ ସହ କିଛି ଅଘଟଣ ଘଟିଲେ ବି ଏହି ଆମ୍ବୁଲାନ୍ସ ସେଠାରେ ପହଞ୍ଚିବ। ତୁରନ୍ତ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିବ। ମୃତ ଅବା ଆହତ ଗାଈଗୋରୁଙ୍କ ଏହା ନେବା ଆଣିବା କରିବ। ଆମ୍ବୁଲାନ୍ସ ସେବା ପାଇଁ ତିନୋଟି ସ୍ବତନ୍ତ୍ର ଯୋଗାଯୋଗ ନମ୍ବର ବି ଦିଆଗଲା। କିନ୍ତୁ ଏହି ସେବା କେବଳ ଘୋଷଣା ଓ ଉଦ୍‌ଘାଟନରେ ସୀମିତ ରହିଗଲା। ଆମ୍ବୁଲାନ୍ସ ପାଇଁ ସେହି ଯୋଗାଯୋଗ ନମ୍ବର ଆଉ ଉପଲବ୍ଧ ନ ଥିବା ବେଳେ ଗାଡ଼ିଟିକୁ କେଉଁଠି ଦେଖିବାକୁ ମିଳୁନାହିଁ। ଦୁର୍ଘଟଣାରେ ଆହତ‌ ହୋଇ ଗାଈ ଗୋରୁ ଘଣ୍ଟା ଘଣ୍ଟା ଧରି ପଡ଼ି ରହୁଥିଲେ ସେମାନଙ୍କୁ ରାସ୍ତାରୁ ଉଦ୍ଧାର କରାଯାଉ ନାହିଁ।

ସମ୍ବନ୍ଧିତ ଖବର