ନିର୍ଦ୍ଧାରିତ ଦିନରେ ଟିକା କେନ୍ଦ୍ରକୁ ଯାଇ ନିଜର କରୋନା ଟିକା ନିଅନ୍ତୁ ହିତାଧିକାରୀ : ଡାକ୍ତର ଜୟନ୍ତ ପଣ୍ଡା

ଭୁବନେଶ୍ବର: କରୋନା ଟିକା ସଂପୂର୍ଣ୍ଣ ନିରାପଦ। ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବ ନାହିଁ। ଯେଉଁମାନେ ଟିକା ପାଇଁ ନାମ ପଂଜିକରଣ କରି ନାହାନ୍ତି, ସେମାନେ ଯଥାଶୀଘ୍ର ଏହା କରିନେବା ଉଚିତ। ଟିକା ସଂପର୍କିତ ସୂଚନା ପାଇଁ ହେଲ୍‌ପଲାଇନ ନମ୍ବର ୧୦୪ ସହିତ ଯୋଗାଯୋଗ କରିପାରିବେ। ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜର ଭେଷେଜ ବିଭାଗର ମୁଖ୍ୟ ଡ. ଜୟନ୍ତ କୁମାର ପଣ୍ଡା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ୧୬୦ଟି କେନ୍ଦ୍ରରେ ଟିକା ଦିଆଯିବ। ପ୍ରତେକ ଦିନ ଗୋଟିଏ କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକାଦାନ କରାଯିବ। ଗୋଟିଏ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣ ଟିକା ଦେବାର ବ୍ୟବସ୍ଥା କରାଯାଇଛି। କମ ହିତାଧିକାରୀ ଥିଲେ ୨/୩ କେନ୍ଦ୍ରକୁ ମିଶାଇ ଗୋଟିଏ କେନ୍ଦ୍ରରେ ଟିକା ଦିଆଯିବ। ଜଣେ ଯଦି ତାଙ୍କ ପାଇଁ ଥିବା ନିର୍ଦ୍ଧାରିତ ଦିନରେ ଟିକା ନେଇପାରନ୍ତି ନାହିଁ, ସେମାନଙ୍କୁ ନିଜ ଇଚ୍ଛାରେ ଅନ୍ୟ ଦିନରେ ଟିକା ଦିଆଯାଇପାରିବ ନାହିଁ। ସେ ଯଦି ଟିକା ନେଇ ନାହାନ୍ତି ତେବେ ଜିଲ୍ଲା ଅଧିକାରୀଙ୍କୁ ସୂଚନା ଦେବେ। ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଟିକା ଦିଆଯାଇପାରିବ।

ଡ.ପଣ୍ଡା କହିଛନ୍ତି ଯେ, ଜଣେ ହିତାଧିକାରୀ ଯଦି ନିଜର ନିର୍ଦ୍ଦିଷ୍ଟ ଫଟୋ ପରିଚୟ ପତ୍ର ହଜାଇ ଦେଇଛନ୍ତି, ତାହେଲେ ଟୀକାକରଣ ପଂଜିକରଣ ଦିନ ଦେଇଥିବା ତଥ୍ୟ ସମ୍ବଳିତ ପ୍ରମାଣ ପତ୍ର ନେଇ ଟିକା କେନ୍ଦ୍ରକୁ ଯିବେ। ସେଠାରେ ଥିବା ଅଧିକାରୀଙ୍କ ଅନୁସାରେ ଟିକା ଦିଆଯିବ କି ନାହିଁ ତାହା ନିର୍ଦ୍ଧାରଣ ହେବ।  ଟୀକାକରଣକୁ ସୂଚରୁ ରୂପେ ପରିଚାଳନା କରିବା ପାଇଁ ଗୋଟିଏ ଦିନରେ କେଉଁମାନଙ୍କୁ ଟିକା ଦିଆଯିବ ତାହା ପୂର୍ବରୁ ତାଲିକା କରାଯାଇଛି। ଟିକାରେ କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ। ଯଦି ଟିକା ନେବା ପରେ ଯଦି କେହି ସାମାନ୍ୟ କିଛି ‌‌ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି, ତାହେଲେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିପାରିବେ। ଆବଶ୍ୟକ କରୁଥିବା ଟିକାଗ୍ରହିତାଙ୍କ ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ୨ ଦିନ ପରେ ରାଜ୍ୟରେ ଟୀକାକରଣ ଆରମ୍ଭ ହୋଇଯିବ। ଏହା ପୂର୍ବରୁ ଗତକାଲି ଠାରୁ ଆମ ରାଜ୍ୟକୁ ୪ ଲକ୍ଷ ୮ ହଜାର ଡୋଜ ଟିକା ଆସିସାରିଛି। ପ୍ରଥମ ପର୍ଯ୍ୟାୟରେ ଆମ ରାଜ୍ୟ ଟିକାକୁ ଗ୍ରହଣ କରିବା ତାଲିକାରେ ସାମିଲ ହୋଇପାରିଛି। ଏହି ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମଚାରୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ଟିକା ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଛି। ଏଥି ପାଇଁ ପ୍ରାକ ପ୍ରସ୍ତୁତି ମଧ୍ୟ କରାଯାଇଛି। ଜିଲ୍ଲାମାନଙ୍କରେ ଟୀକାକରଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧିତ ଖବର