ସମ୍ବଲପୁରରେ ଆଳୁ ଚାଷ ଲକ୍ଷ୍ୟ ବିଗିଡ଼ିଲା, ଚାଷୀଙ୍କୁ ଆବଶ୍ୟକ ବିହନ ଯୋଗାଇ ପାରୁନି ଉଦ୍ୟାନ ବିଭାଗ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଚଳିତ ବର୍ଷ ଶହେ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଉଦ୍ୟାନ ବିଭାଗ। କିନ୍ତୁ ଉତ୍ତର ଭାରତରେ ବର୍ଷା ଏବଂ ଦରବୃଦ୍ଧି ଯୋଗୁଁ ଆବଶ୍ୟକ ବିହନ ମିଳି ପାରିଲା ନାହିଁ। ତେଣୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଲା ନାହିଁ। ଆସନ୍ତା ବର୍ଷ ଏଥିପାଇଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଉଦ୍ୟାନ ବିଭାଗ ଉପନିର୍ଦେଶକ ରଞ୍ଜନ ଦାସ ମହାପାତ୍ର। ଉତ୍ତର ଭାରତରେ ବର୍ଷା ସମ୍ବଲପୁରର ଆଳୁ ଚାଷ ଯୋଜନା ବିଗାଡ଼ି ଦେଇଥିବା ସେ କହିଛନ୍ତି। ବର୍ଷାରେ ଅଧିକାଂଶ ଆଳୁ ବିହନ ନଷ୍ଟ ହୋଇଗଲା। ଯେଉଁ କିଛି ବଳକା ରହିଲା ବଜାରରେ ଚଢ଼ା ଦରରେ ବିକ୍ରି ହେଉଥିବାରୁ ଚାଷୀ ଏହାକୁ ବଜାରରେ ବିକ୍ରି କରିଦେଲେ। ଉଦ୍ୟାନ ବିଭାଗ ହାତକୁ ଆସିଲା ନାହିଁ। ଅନ୍ୟଦିଗରେ ଉତ୍ପାଦିତ ଆଳୁର ମାର୍କେଟିଂର ବ୍ୟବସ୍ଥା, ଶୀତଳ ଭଣ୍ଡାର ଆଦି କରାନଗଲେ ଆଳୁ ଚାଷ କାହାକୁ ଆକର୍ଷିତ କରିପାରିବ ନାହିଁ ବୋଲି ସ୍ଥାନୀୟ ଚାଷୀମାନେ ମତ ଦେଇଛନ୍ତି।

technologytimes.pk

ଧାନ ଉତ୍ପାଦନରେ ଆଗୁଆ ଜିଲ୍ଲା ସମ୍ବଲପୁର। କିନ୍ତ ସମସ୍ତ ପ୍ରକାର ଭିତ୍ତିଭୂମି ଏବଂ ଅନୁକୂଳ ପରିବେଶ ସତ୍ତ୍ବେ ଆଳୁ ଉତ୍ପାଦନରେ ଜିଲ୍ଲା ଅନେକ ପଛରେ ପଡ଼ିଛି। କଟକ, ବାଲେଶ୍ବର, ଗଞ୍ଜାମ, କୋରାପୁଟ ଆଦି ଅନେକ ଜିଲ୍ଲା ଆଳୁଚାଷରେ ସମ୍ବଲପୁରଠାରୁ ଆଗରେ ଅଛନ୍ତି। ଯେଉଁ କିଛି ଚାଷୀ ଆଳୁ ଚାଷ କରୁଛନ୍ତି ସେମ‌ାନେ ବି ବିଶେଷ ଲାଭବାନ ହୋଇପାରୁନାହାନ୍ତି। ଆଳୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆଳୁ ମିସନ୍‌ କରାଯାଇଥିଲେ ମଧ୍ୟ ଏହା ଫେଲ୍‌ ମାରିଛି। ଜିଲ୍ଲାରେ ୨୦୧୮ ମସିହାରେ ୪୩.୫ ଏକର ଜମିରେ ୨୫୯.୨୬ କ୍ବିଣ୍ଟାଲ, ୨୦୧୯ ମସିହାରେ ୭୧.୫ ଏକର ଜମିରେ ୪୩୪.୭୨ କ୍ବିଣ୍ଟାଲ ଆଳୁ ଉତ୍ପାଦିତ ହୋଇଥିଲା। ଏଥିରେ ଯଥାକ୍ରମରେ ପ୍ରାୟ ୫୦ ଏବଂ ୧୦୦ ଜଣ ଚାଷୀ ଉଦ୍ୟାନ ବିଭାଗର ପ୍ରୋତ୍ସାହନରେ ଚାଷ କରିଥିଲେ। କିଛି ଚାଷୀ ଖୋଲା ବଜାରରୁ ବିହନ ନେଇ ଚାଷ କରିଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ଅଧିକ ନୁହେଁ।

ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡରେ ଏବର୍ଷ ୫୦ ଏକର ଆଳୁ ଚାଷ ପାଇଁ ୩୦୦ କ୍ବିଣ୍ଟାଲ ବିହନ ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛି ଉଦ୍ୟାନ ବିଭାଗ। କେତେ ଚାଷୀଙ୍କୁ ଏଥିରେ ସାମିଲ କରାଯିବ ଆକଳନ ହୋଇ ନାହିଁ। ଜମନକିରା ବ୍ଲକ ଚାଷୀ କୁଶଧ୍ବଜ ଚୌଧୁରୀ କହିଛନ୍ତି, କେବଳ ବିହନରେ ସବସିଡି ନୁହେଁ ଆଳୁ ମାର୍କେଟିଂ ନେଇ ପ୍ରଶାସନ ବ୍ୟବସ୍ଥା ନକଲେ ଯୋଜନା ଫେଲ୍‌ ମାରିବ। ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଳୁ ମିସନ ଆରମ୍ଭ ହୋଇଥିଲା। ସମ୍ବଲପୁର ଜିଲ୍ଲାରେ ୨୦୦ ହେକ୍ଟର ଆଳୁଚାଷ ହୋଇଥିଲା। ପ୍ରାୟ ହଜାରେ ଚାଷୀ ଚାଷ କରିଥିଲେ। ସେହି ବର୍ଷ ଚାଷୀମାନେ ଭଲ ବିକ୍ରି କଲେ। ଏଥିରେ ଉତ୍ସାହିତ ହୋଇ ୨୦୧୫ ମସିହାରେ ସେ ଏକୁଟିଆ କେବଳ ୩୦୦କ୍ବିଣ୍ଟାଲ ଅମଳ କଲେ। ବିକ୍ରି କିମ୍ବା ଆଳୁ ସଂରକ୍ଷିତ କରି ରଖିବା ପାଇଁ ବ୍ୟବସ୍ଥା ନଥିଲା। ଏଥିଯୋଗୁଁ ସେ ଓ ତାଙ୍କ ଭଳି ଅନେକ ଚାଷୀ କ୍ଷତି ସହିଲେ।

ସମ୍ବନ୍ଧିତ ଖବର