ଅନୁଗୁଳ: ଅନୁଗୁଳ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟଠାରେ ଆଜି ରାଜ୍ୟସ୍ତରୀୟ ଫାଇଲେରିଆ ନିରାକରଣ ଅଭିଯାନରେ ସାମୂହିକ ଓୗଷଧ ସେବନ କାର୍ଯ୍ୟକ୍ରମ(ଏମ୍ଡିଏ)ର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସର୍ବଭାରତୀୟସ୍ତରରେ ଆଭାସୀ ମାଧ୍ୟମରେ ଆୟୋଜିତ ଏମ୍ଡିଏ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ପ୍ରସ୍ତୁତି ସଂପର୍କରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ତଥ୍ୟ ଉପସ୍ଥାପନ କରିଥିଲେ। କେନ୍ଦ୍ରୀୟ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଯାଧବ ପ୍ରତାପ ରାଓ ଗଣପତରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଭାସୀ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ତେଲେଙ୍ଗାନା, ବିହାର, ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀମାନେ ଯୋଗଦେଇଥିଲେ। ଜିଲ୍ଲା ସିଡିଏମ୍ଓ ଡା. ଶିବାନନ୍ଦ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ।
ଏହି ଅବସରରେ ଶ୍ରୀ ମହାଲିଙ୍ଗ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଓ କେନ୍ଦ୍ରୀ ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଫାଇଲେରିଆମୁକ୍ତ ସୁସ୍ଥ ଓଡ଼ିଶା। ରାଜ୍ୟକୁ ୨୦୨୭ ମସିହା ସୁଦ୍ଧା ଫାଇଲେରିଆରୁ ମୁକ୍ତ କରିବା ଲକ୍ଷ୍ୟ ରହିଛି। ଛାତ୍ରଛାତ୍ରୀମାନେ ରାଜ୍ୟର ଭବିଷ୍ୟତ। ତେଣୁ ଏହି ଅଭିଯାନର ଠିକ୍ ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ମହାବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଅନୁଗୁଳ ସମେତ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରାୟ ୨ କୋଟି ଲୋକ ଫାଇଲେରିଆ ଔଷଧ ସେବନ କରିବେ। ଏହି ଅବସରରେ ଅନୁଗୁଳ ସରକାରୀ ମହାବିଦ୍ୟାଳୟ ପରିସରରେ ଏକ ଡିସ୍ପେନସାରି ସ୍ଥାପନ ପାଇଁ ସମ୍ମତି ପ୍ରକାଶ କରିଥିବା ବେଳେ ଏହା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଏକ ସ୍ବାସ୍ଥ୍ୟ ୟୁନିଟ୍ ମହାବିଦ୍ୟାଳୟ ପରିସରରେ ସପ୍ତାହକୁ ୨ ଦିନ( ଅତିକମ୍ରେ ୨ ଘଣ୍ଟା) ରହିବ। ଅନୁଗୁଳ ବିଧାୟକ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ଅନୁରୋଧରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ହୃଦ୍ରୋଗ ୟୁନିଟ୍ ସ୍ଥାପନ ସହ ତାଳଚେର ମେଡିକାଲ୍ କଲେଜକୁ ଖୁବ୍ଶୀଘ୍ର ଖୋଲାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ଶ୍ରୀ ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଚୌଧୁରୀ ପ୍ରଧାନ, ଜିଲ୍ଲାପାଳ ଅବ୍ଦାଲ୍ ଏମ୍. ଅଖ୍ତାର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର, ଜିଲ୍ଲାସ୍ତରୀୟ ଅଧିକାରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନୀଳାଞ୍ଚଳ ପଟେଲଙ୍କ ସମେତ ଛାତ୍ରଛାତ୍ରୀ, ସ୍ବାସ୍ଥ୍ୟକର୍ମୀମାନେ ଉପସ୍ଥିତ ଥିଲେ।