୧୭ ଦଫା ଦାବି ନେଇ ଗାଁ ସାଥୀ (ମେଟ୍) ପକ୍ଷରୁ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାରିପଦା : ୧୭ ଦଫା ଦାବି ନେଇ ଗାଁ ସାଥୀ (ମେଟ୍) ପକ୍ଷରୁ ଆଜି ମୟୂରଭଞ୍ଜ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଓଡ଼ିଶା ଗାଁ ସାଥୀ(ମେଟ୍) ମିଳିତ କ୍ରିୟାନୁଷ୍ଠାନ କମିଟି ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲାର ୨୬ ବ୍ଲକରେ କାର୍ଯ୍ୟରତ ଗାଁ ସାଥୀମାନେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୦୦୮ରେ ନିଯୁକ୍ତି ପାଇଥିବା ଗାଁ ସାଥୀମାନଙ୍କୁ ମନରେଗା ଯୋଜନାରେ ଯେଉଁ ସମସ୍ତ ସୁବିଧାସୁଯୋଗ ମିଳୁଛି ତାହା ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ଗାଁ ସାଥୀମାନଙ୍କୁ ମିଳୁ ନାହିଁ । ତେଣୁ ମୟୂରଭଞ୍ଜ ଜିଲ୍ଲାରେ ୨୦୦୮ରେ ନିଯୁକ୍ତି ପାଇଥିବା ଗାଁ ସାଥୀମାନଙ୍କୁ ସଠିକ୍ ଭାବେ ଚିହ୍ନଟ କରାଯାଇ ସେମାନଙ୍କୁ ମେଟ୍ ଭାବେ ଘୋଷଣା କରାଯିବା ସଂଗେସଂଗେ ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟରେ ନିୟୋଜନ କରାଯିବା, ଉଚିତ ପ୍ରାପ୍ୟ ପ୍ରଦାନ, ଜବକାର୍ଡଧାରୀଙ୍କୁ ଅନ୍ୟ ଜିଲ୍ଲା ଭଳି ୩୦୩ ଟଙ୍କା ମଜୁରୀ ପ୍ରଦାନ କରାଯିବା ସହ ବର୍ଷକୁ ୨ ଶହ ଦିନର କାର୍ଯ୍ୟ ଯୋଗାଇ ଦେବା ଆଦି ୧୭ ଦଫା ଦାବିକୁ ନେଇ ଗାଁ ସାଥୀମାନେ ଧାରଣାରେ ବସିଥିଲେ । ଏହାପରେ ଏକ ପ୍ରତିନିଧି ଦଳ କାର୍ଯ୍ୟାଳୟକୁ ଯାଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିକୁ ଅବିଳମ୍ବେ ପୂରଣ କରାନଗଲେ ଆଗାମୀ ଦିନରେ ଗାଁ ସାଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ସଭାପତି କରୁଣାକର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର