ଗାଁ ସାଥୀ ସଂଘ ମଳିତ କ୍ରିୟାନୁଷ୍ଠାନ କମିଟି ଧାରଣା ୧୬ ଦିନରେ

ଭୁବନେଶ୍ୱର : ୪ ଦଫା ଦାବି ନେଇ ଗତ ୩ ତାରିଖରୁ ଲୋୟର ପିଏମ୍‌ଜିରେ ଧାରଣା‌ରେ ବସିଥିବା ‘ଗାଁ ସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି’ର ଧାରଣା ୧୬ ଦିନରେ ପହଞ୍ଚିଛି। ୨୦୦୮ରୁ ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ ଗାଁ ସାଥୀମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ପର୍ଯ୍ୟାପ୍ତ ସରକାରୀ କାର୍ଯ୍ୟ ଯୋଗାଇଦେବା, ମାସିକ ସର୍ବନିମ୍ନ ଦରମା ୬ହଜାରରୁ ଊର୍ଧ୍ବ ପ୍ରଦାନ କରିବା ଆଦି ୪ଦଫା ଦାବି ନେଇ ସଂଘ ଧାରଣାରେ ବସିଛି। ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ୱାରା ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆଜି ସଂଘର ଏକ ପ୍ରତିନିଧି ମଣ୍ଡଳୀ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଭେଟି ଦାବି ଉପରେ ଆଲୋଚନା କରିଥିଲେ। ଆସନ୍ତା୨-୩ଦିନ ମଧ୍ୟରେ ଦାବି ଉପରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବ‌ୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ତେବେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦରକାର ପଡ଼ିଲେ ଗାଁ ସାଥୀ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଭାପତି ସୌଭାଗ୍ୟ ମିଶ୍ର ଓ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର