ସୌଖୀନ କାର୍‌ରେ ଛେଳି ଚୋରି: ୬ ମାସରେ ଚୋରିହେଲାଣି ୫ଶହରୁ ଅଧିକ

ପୁଲିସ ନାଚାର; ଛେଳି କଟାଯିବା ପରେ ମିଳୁନି ତଥ୍ୟ, ପ୍ରମାଣ

କଟକ: ସୌଖୀନ୍‌ କାର୍‌ରେ ହେଉଛି ଛେଳି ଚୋରି! ଚୋର ସୌଖୀନ ଗାଡ଼ି ଧରି ଗାଁ ଗହଳକୁ ଯାଉଛନ୍ତି। ସୁଯୋଗ ଉଣ୍ଡି ଛେଳିଙ୍କୁ ଧରି ସହରକୁ ଆଣି ବିକୁଛନ୍ତି। ଦାମିକିଆ କାର୍‌ରେ ଆସି କେହି ଏଭଳି କାମ କରିବ ବୋଲି ସାଧାରଣ ‌ଭାବେ ସନ୍ଦେହ କରା ନଯିବା ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଏଭଳି କାଣ୍ଡ କରୁଥିବାବେଳେ କଟକ ଗ୍ରାମାଞ୍ଚଳରେ ୬ମାସ ମଧ୍ୟରେ ୫୦୦ରୁ ଅଧିକ ‌ଛେଳି ଚୋରି ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ; କଟକ ଜିଲ୍ଲାର କଣ୍ଟାପଡ଼ା‌, ନିଆଳି, ସାଲେପୁର, କିଶନନଗର, ନିଶ୍ଚିନ୍ତକୋଇଲି, ଜଗତ୍‌ସିଂହପୁର ଜିଲ୍ଲାର ବିରିଡି ଅଞ୍ଚଳରେ ଏବେ ଏହି ରାକେଟ୍‌ ସକ୍ରିୟ ହୋଇଉଠିଛି। କଟକ ସହରରୁ ଏହି ରାକେଟର ନିୟନ୍ତ୍ରଣ ହେଉଛି। ଗାଁ-ଗହଳରୁ ସିଧା ଛେଳି ଧରି କଟକ ଚାଲିଆସିବା ପରେ ସହରର ଖପୁରିଆ, ନୂଆବଜାର, ସେମିନାରି ଛକ, ସିଡିଏ ଆଦି ସାଂସ ମାର୍କେଟ୍‌ର ନିର୍ଦ୍ଦିଷ୍ଟ ‌ଦୋକାନିଙ୍କୁ ବିକ୍ରି କରାଯାଉଛି। ଗତ ୬ମାସର ତଥ୍ୟ ହିସାବକୁ ନେଲେ ଏଭଳି ଭାବେ ଆସିଥିବା ୫ଶହରୁ ଅଧିକ ଚୋରା ଛେଳି କଟକ ସହରରେ କଟା ଯାଇଥିବା‌ କୁହାଯାଉଛି। ଏପଟେ ଛେଳି ଚୋରି ସମ୍ପର୍କରେ ଗ୍ରାମାଞ୍ଚଳରେ ପୁଲିସ ଅଭିଯୋଗ ରଖୁନି। ଥରେ ଛେଳି କଟା ହେଇଗଲେ ବି ଆଉ ତଥ୍ୟ ପ୍ରମାଣ ମିଳିବାର ସୁଯୋଗ ନାହିଁ। ଗୋଟିଏ, ଦୁଇଟି ଘଟଣାରେ ଅଭିଯୁକ୍ତ ଘଟଣାସ୍ଥଳରୁ ଧରାପଡ଼ିଯିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି।

ଗତ ଜୁଲାଇ ୨୮ତାରିଖ ଦିନ ଓଲଟପୁର ଥାନା ବାଇରୋଇ ବସ୍ତିରେ ଛେଳି ଚୋରିକୁ ନେଇ ଘଟିଥିଲା ଏକ ଉଦ୍‌ବେଗଜନକ ଘଟଣା। ଛେଳି ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକ ସେଦିନ ଏକ କାର୍‌ ସହ ୪ଜଣ ଚୋରଙ୍କୁ ଧରିଥିଲେ। ତେବେ ପୁଲିସ ୩ଜଣଙ୍କୁ ଗିରଫ କରିଥିବାବେଳେ ଜଣେ ଛେଳି ଚୋର ଗିରଫ ଭୟରେ ପ୍ରାଚୀନଦୀକୁ ଡେଇଁପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ; ପ୍ରକୃତରେ ଛେଳି ଚୋର ପ୍ରାଚୀ ନଦୀକୁ ଡେଇଁ ପଡ଼ିଥିଲା ନା ତାକୁ ମାରି ପକାଇ ଦିଆଯାଇଥିଲା, ସେ ରହସ୍ୟ ଉପରୁ ଏବେ ବି ପରଦା ହଟି ପାରିନି। ଉକ୍ତ ଯୁବକକୁ ପିଟି ମାରି ଦିଆଯାଇଥିବା ବି ଚର୍ଚ୍ଚା ହେଉଛି। ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି କହି ପୁଲିସ ମଧ୍ୟ ଏହାକୁ ଚପାଇ ଦେବା ପାଇଁ ଚେଷ୍ଟା କରୁଥିବା କୁହାଯାଉଛି। ପାଣିରୁ ଉଦ୍ଧାର କରାଯାଇଥିବା ମୃତ ବ୍ୟକ୍ତିଙ୍କ ଘର କଟକ ସୂତାହାଟ ଓ ଗିରଫ ୩ଜଣ ମଧ୍ୟ କଟକର ବୋଲି ଜଣାପଡ଼ିଛି। ଏଠାରେ ସୂଚନାଯୋଗ୍ୟ ଯେ ଓଲଟପୁର ଥାନା ଅଞ୍ଚଳରେ ୫୦ରୁ ଅଧିକ ଛେଳି ଚୋରି ହୋଇଥିବାବେଳେ କୌଣସି ଘଟଣାରେ ଅଭିଯୁକ୍ତ ଧରା ପଡ଼ିନାହାନ୍ତି। ନିଆଳିର ସିଠାଳୋରେ ଗତ କିଛିମାସ ତଳେ ଇଣ୍ଡିକାରେ ଛେଳି କରୁଥିବା ବେଳେ ଗ୍ରାମବାସୀ ଚୋରଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ସେଦିନ ଗାଡ଼ିରୁ ୪ଟି ଛେଳି ଉଦ୍ଧାର କରାଯାଇଥିଲା। ନିଆଳି, କଣ୍ଟାପଡା, ନିଶ୍ଚିନ୍ତକୋଇଲି, କିଶନନଗର ତଥା ଅନ୍ୟ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଦୁର୍ବୃତ୍ତମାନେ ଟାର୍ଗେଟ୍‌ କରିଥିବା ଅଭିଯୁକ୍ତଙ୍କୁ ଜେରାରୁ ଜଣାପଡ଼ିଛି। ଅନ୍ୟପକ୍ଷରେ, ଅଭିଯୁକ୍ତ ଛେଳିକୁ ନେଇ ସହରରେ ତୁରନ୍ତ କାଟି ଦେଉଥିବାରୁ ପୁଲିସ ପାଇଁ ବି ତଥ୍ୟ ପ୍ରମାଣ ସଂଗ୍ରହ କରିବା ସମ୍ଭବ ହେଉ ନଥିବାରୁ ଏଭଳି ଘଟଣା ଏବେ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର