ସୋନିଆ, ସ୍ମୃତି, ସୋନା ପିନ୍ଧନ୍ତି ଗୋବର୍ଦ୍ଧନଙ୍କ ଶାଢ଼ି

କୋରାପୁଟ : ସେ ଥିଲେ କଳାର ପୂଜାରୀ। ଦିନରାତି କାମ କରି ଚାଲିଥିଲେ। ଲକ୍ଷ୍ୟ କେବଳ ଗୋଟିଏ, ମିରିଗାନ ଶାଢୀକୁ ବିଶ୍ୱ ଦରବାରରେ ପହଞ୍ଚାଇବା। ତାଙ୍କ ସାଧନା ବି ବେକାରରେ ଗଲାନି। ଅଖ୍ୟାତ ପଲ୍ଲୀର ଶାଢୀକୁ ଚିକମିକ ସହର ଦିଲ୍ଳୀରେ ଚମକାଇଲେ। ଏବେ ସରକାର ପଦ୍ମ ସମ୍ମାନ ପାଇଁ ତାଙ୍କ ନାମ ଘୋଷଣା କରିଛନ୍ତି। ଇଏ ହେଉଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ର ଗୋବର୍ଦ୍ଧନ ପନିକା। ୬୫ବର୍ଷୀୟ ଏହି ହସ୍ତତନ୍ତ କାରିଗର କୌଳିକ ବୃତ୍ତିକୁ ସମ୍ମାନ ଦେଇ ଲୁଗା ବୁଣା ଆରମ୍ଭ କରିଥିଲେ। ଏଥିପାଇଁ ଯେ, ତାଙ୍କୁ ପୁରସ୍କାର କି ସମ୍ମାନ ମିଳିବ ତାହା କେବେ ଆଶା କରି ନ ଥିଲେ। ‘ପଦ୍ମଶ୍ରୀ’ ସମ୍ମାନ ତ ଥିଲା ତାଙ୍କ କଳ୍ପନାର ବାହାରେ।

ମାତ୍ର ୧୨ ବର୍ଷ ବୟସରୁ ତାଙ୍କ କୌଳିକ ବୃତ୍ତିରେ ସେ ଖଡି ଛୁଇଁଥିଲେ। ବାପା, ଜେଜେବାପାଙ୍କ ପାଖରେ ବସି ବସି କାମ ଶିଖିଥିଲେ। ସୁତା, ରଙ୍ଗ ଓ ଅଠାର ଭାଗମାପ ବୁଝୁ ବୁଝୁ ସେ ଆରମ୍ଭ କରି ଦେଇଥିଲେ ଲୁଗା ବୁଣା। ସେତେବେଳେ ପରିବାରର ଆର୍ଥିକ ସ୍ଥିତି ବି ଭଲ ନ ଥିଲା। ତଥାପି ରଙ୍ଗ, ସୁତା ସହ ସଂଘର୍ଷ କରି କରି ଜଣେ ପୋଖତ ଦସ୍ତତନ୍ତ ଶିଳ୍ପୀ ଭାବେ ନିଜକୁ ଗଢି ତୋଳିଲେ। ପରେ ମିରିଗାନ ଶାଢୀକୁ କୋଟପାଡରୁ କର୍ଣ୍ଣାଟକ, ପଲ୍ଲୀରୁ ଦିଲ୍ଳୀକୁ ନେବାରେ ସେ ନେତୃତ୍ୱ ନେଇଥିଲେ।

ଗୋବର୍ଦ୍ଧନଙ୍କ କଳାର ଅନେକ ପ୍ରଶଂସକ ଅଛନ୍ତି। ପୁଣି ତାଙ୍କ ଗ୍ରାହକ ତାଲିକାରେ ବହୁ ସେଲିବ୍ରିଟି ଅଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ସୋନିଆ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଦିଲ୍ଲୀର ଏକ ପ୍ରଦର୍ଶନୀ ସମୟରେ ଗୋବର୍ଦ୍ଧନଙ୍କ ପାଖରୁ ସୋନିଆ ଶାଢୀ କିଣିଥିଲେ। ସୋନିଆ ଏହି ଶାଢୀ ପିନ୍ଧିବା ସହ ବେଶ ପ୍ରଶଂସା କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଗୋବର୍ଦ୍ଧନଙ୍କ ହାତବୁଣା ଶାଢୀ ପିନ୍ଧିବାକୁ ବେଶ ପସନ୍ଦ କରିଥାନ୍ତି। ନିକଟରେ ବଲିଉଡ ଗାୟିକା ସୋନା ମହାପାତ୍ର ଏକ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଭାବେ କୋଟପାଡରୁ ଶାଢୀ ମଗାଇଥିଲେ। କେବଳ ଏତିକି ନୁହେଁ, ଏହି ହାତବୁଣା ମିରିଗାନ ଶାଢୀ ପାଇଁ ନୂଆଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋରରେ ବହୁ ବିଶିଷ୍ଟ ଲୋକ ଅର୍ଡର ଦେଉଛନ୍ତି। ଏହି ଶାଢୀର ଚାହିଦା ଏତେ ଅଧିକ ଯେ, ସବୁବେଳେ ଯୋଗାଇବା ବି ସମ୍ଭବ ହେଉନି। କାରଣ ଏହି ହାତବୁଣା ଶାଢୀ ପ୍ରସ୍ତୁତି ସମୟ ସାପେକ୍ଷ। ଗୋଟିଏ ଗୋଟିଏ ଶାଢୀ ବୁଣିବା ପାଇଁ ୧୦ଦିନରୁ ମାସେ ସମୟ ଲାଗିଥାଏ। ପୁଣି ଏଥିପାଇଁ ସ୍ୱତନ୍ତ୍ର ଭାବେ ରଙ୍ଗ ପ୍ରସ୍ତୁତ କରିବାକୁ ପଡିଥାଏ।

ଏତେବଡ ସମ୍ମାନ ପାଇବେ ବୋଲି ସେ ସ୍ୱପ୍ନରେ ବି ଭାବି ନ ଥିବା କହିଛନ୍ତି। କିନ୍ତୁ ସରକାର କଳାକୁ ଏମିତି ସମ୍ମାନ ଦେଇଥିବାରୁ କାରିଗରମାନେ ଉତ୍ସାହିତ ହେବେ ବୋଲି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ସେ ଅବଦୁଲ କାଲାମ, ମନମୋହନ ସିଂହ, ନରେନ୍ଦ୍ର ମୋଦିଙ୍କଠାରୁ ଜାତୀୟ ପୁରସ୍କାର ପାଇଛନ୍ତି। କିନ୍ତୁ ପଦ୍ମ ସମ୍ମାନ ସ୍ୱତନ୍ତ୍ର ବୋଲି ତାଙ୍କର ପ୍ରତିକ୍ରିୟାରେ ସମ୍ବାଦକୁ କହିଛନ୍ତି ଏହି ଶିଳ୍ପୀ।

ସମ୍ବନ୍ଧିତ ଖବର