ଫେରିବ ଗୋବର୍ଦ୍ଧନ ପୀଠ ଜମି!

ପୁରୀ : ଗୋବର୍ଦ୍ଧନ ପୀଠର ମର୍ଯ୍ୟାଦା ଫେରିବ। ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଚାଲିଯାଇଥିବା ପୀଠର ଜମି ପୁଣି ଫେରିଆସିବ। ଏଥିପାଇଁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ ଗୋବର୍ଦ୍ଧନ ପୀଠ ଜମି ଫେରିପାଇବାର ଆଶା ଏବେ ଉଦଜ୍ଜୀବିତ ହୋଇଛି। ବିଗତ ଦିନରେ ଗଜପତିଙ୍କ ସହ ଜିଲ୍ଲାପାଳ ଗୋବର୍ଦ୍ଧନ ପୀଠ ଯାଇଥିବା ବେଳେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ତାଙ୍କୁ ଏହି ଜମି ବିବାଦ ବାବଦରେ ଅବଗତ କରାଇଥିଲେ। ସର୍ବପୁରାତନ ଏହି ପୀଠର ସୁରକ୍ଷା ଜରୁରୀ ହୋଇଥିବା ବେଳେ ଏହାର ଜମି ନେଇଯିବା ଦୁଃଖଦାୟକ ବୋଲି ଜଗଦ୍‌ଗୁରୁ ଅବଗତ କରାଇଥିଲେ। ଜଗଦ୍‌ଗୁରୁଙ୍କ ଏହି କଥାକୁ ଜିଲ୍ଲାପାଳ ଗୁରୁତ୍ୱର ସହ ନେଇଥିଲେ। ଆଇନତଃ ଚାଲିଯାଇଥିବା ଜମି ଫେରାଇ ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରିବାକୁ ସେ ଏବେ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଥିବା ୩୦ ଏକର ୧୧୦ ଡିସିମିଲ ଜମି ବିଭିନ୍ନ ଉପାୟରେ ଘରୋଇ ଦଖଲକୁ ଚାଲି ଯାଇଥିଲା। ଗତ ୧୯୯୦ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଏହିି ଜମିକୁ ଫେରାଇ ଆଣିବା ପାଇଁ ଓଇଏ କଲେକ୍ଟର ତଥା ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲା। ଏହି ମାମଲାକୁ ତତ୍‌କାଳୀନ ତହସିଲଦାର ୧୯୯୫ ମସିହାରେ ଖାରଜ କରିଥିଲେ। ୨୦୧୫ ମସିହାରେ ଏଡିିଏମ୍‌ ଏହି ମାମଲାର ରିମାଣ୍ଡ କରି ଶୁଣାଣି ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ୨ ବର୍ଷ ପଡ଼ି ରହିବା ପରେ ସ୍ୱର୍ଗଦ୍ଵାରର ୧୬ଏକର ୪୦୦ ଡିସିମିଲ ଜମି ଦୁର୍ନୀତି ପଦାକୁ ଆସିଥିଲା। ୨୭ ବର୍ଷ ତଳେ ଶ୍ରୀମନ୍ଦିର ପ୍ରଶାସନ କରିଥିବା ଆବେଦନ ଓ ୨ ବର୍ଷ ତଳେ ଏଡିଏମ୍‌ କରିଥିବା ସୁପାରିସକୁ ବିଚାରକୁ ନିଆଯାଇ ଏକତ୍ର ଶୁଣାଣି ହେଲା।

ଶୁଣାଣିରେ ପ୍ରଥମ ଅନ୍ତରୀଣ ଆଦେଶ ମେ ୮ ତାରିଖରେ ପ୍ରକାଶ ପାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ବେ-ବନ୍ଦୋବସ୍ତ ଥିବା ୧୧ଏକର ୧୪୮ ଡିସିମିଲି ଜମି ଫେରିଥିଲା। ଏହି ଜମି ଗୋବର୍ଦ୍ଧନ ପୀଠ ଦଖଲରେ ରହିଥିଲା। ଏହି ଜମି ଯିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନିକଟ ଅତୀତରେ ଗଜପତି ଓ ଜିଲ୍ଲାପାଳ ଗୋବର୍ଦ୍ଧନ ପୀଠ ପରିଦର୍ଶନ ସମୟରେ ଜଗଦ୍‌ଗୁରୁ ନିଜର ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାକୁ ଗୁରୁତର ସହ ନେଇ ଜିଲ୍ଲାପାଳ ଚିଠି ଲେଖିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହା ଉପରେ ନିଷ୍ପତ୍ତି ନିଆଯିବାକୁ ରହିଛି।

ସମ୍ବନ୍ଧିତ ଖବର