ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ତଦନ୍ତ କରିବେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌

ବଲାଙ୍ଗୀର/କଣ୍ଟାବାଞ୍ଜି : ଗୋବିନ୍ଦସାହୁ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ବି ଚର୍ଚ୍ଚା ଲାଗିରହିଛି। ପ୍ରତିଦିନ ଏହି ମୃତ୍ୟୁ ଘଟଣାକୁ ନେଇ ନୂଆନୂଆ ତଥ୍ୟ ଶୁଣିବାକୁ ମିଳୁଛି। ଏପରିସ୍ଥଳେ, ୧୭୬ ସିଆର୍‌ପିସି ଅନୁସାରେ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏହି ମାମଲାର ତଦନ୍ତ କରିବେ ବୋଲି ଜଣାପଡ଼ିଛି। ଏନ୍‌ଏଚ୍‌ଆର୍‌ସି ଗାଇଡ୍‌ଲାଇନ୍ସ ଅନୁସାରେ ତଦନ୍ତ କରାଯିବ। ଏ ନେଇ ଡାଇରେକ୍ଟର ଅଫ୍‌ ପ୍ରିଜନ୍‌ ଆଣ୍ଡ କରେକ୍ସନାଲ ସର୍ଭିସ ପକ୍ଷରୁ ଚିଠି ହୋଇଥିବା ସୂଚନା ମିଳିଛି।

ଗୋବିନ୍ଦ ସାହୁର ଆତ୍ମହତ୍ୟା ଘଟଣାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ଏଯାବତ୍‌ ମିଳିପାରିନାହିଁ। ଶୁଣିବାକୁ ମିଳୁଛି ଯେ ମମିତା ମେହେର ହତ୍ୟା ମାମଲାର ପ୍ରକ୍ରିୟା ଦ୍ରୁତଗତିରେ ଚାଲୁଥିବାରୁ ଏହାକୁ ନେଇ ସେ ଚିନ୍ତାରେ ଥିଲା। ତେବେ, ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଗତ ୨ ତାରିଖ ଦିନ ମହାଲିଙ୍ଗ କଲେଜର ଅଧ୍ୟକ୍ଷ ଓ ତାଙ୍କ ସହଯୋଗୀ ଜେଲ୍‌ ଯିବାପରେ ତା’ର ଚାପ ବଢ଼ିଯାଇଥିଲା। ସର୍ବସମ୍ମୁଖରେ କେହି କହୁନଥିଲେ ବି ଜେଲ୍‌ ଭିତରେ ଉଚ୍ଚବାଚ ହୋଇଥିବା ଚର୍ଚ୍ଚା ହେଉଛି। ତେଣୁ, ପରିବାର ଚିନ୍ତାରେ ଥିବା ଗୋବିନ୍ଦ ସଜା ହୋଇଯିବାର ଭୟଭୀତ ହୋଇଯାଇଥିଲା। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ, ତଦନ୍ତ ପରେ ଏହା ସ୍ପଷ୍ଟହେବ।

ଏନ୍‌ଏଚ୍‌ଆର୍‌ସି ଗାଇଡ୍‌ଲାଇନ୍‌ ଅନୁସାରେ ତଦନ୍ତ ହେବ
ମମିତା ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ଚାପରେ ଥିଲା!
ଏବେ ବି ରହିଛି ଚିଠି ରହସ୍ୟ, ଜେଲ୍‌ରେ ରାଧେ ଉପରେ କଡ଼ା ନଜର

ଅନ୍ୟପକ୍ଷରେ, ଗତ୨୦ତାରିଖରେ ଗୋବିନ୍ଦର ଜ୍ୟାକେଟ୍‌ରୁ ଜବତ ହୋଇଥିବା ଚିଠି ଏବେ ବି ରହସ୍ୟ ଘେରରେ ରହିଛି। ସେହିଦିନ
ବେଶ୍‌ ଚାଲାକିରେ ପୁଲିସ ଉକ୍ତ ଚିଠିକୁ ପରିବାରବର୍ଗଙ୍କ ଉପସ୍ଥିତିରେ ସିଲ୍‌ କରିଥିଲା। ଗୋବିନ୍ଦର ମୃତ୍ୟୁଦିନ ପରିବାରବର୍ଗ ଓ ସଂପର୍କୀୟ ଯେତେଜଣ କଣ୍ଟାବାଞ୍ଜି ଆସିଥିଲେ, ସେମାନଙ୍କ ଉପସ୍ଥିତି ସମୟରେ ଜ୍ୟାକେଟରୁ ଲଫାପା ବାହାର କରି ଦେଖାଇଥିଲା ପୁଲିସ। ଲଫାପା ଦେଖାଇବା ସମୟର ଭିଡିଓ ବି ରେକର୍ଡ କରାଯାଇଥିଲା। କିନ୍ତୁ, ଲଫାପା ଭିତରେ ଥିବା ହାତଲେଖା ଦେଖାଯାଇନଥିଲା। କ’ଣ ଲେଖା ରହିଛି ତାହା କୁହାଯାଇନଥିଲା। କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ମହାଲିଙ୍ଗ ତଦନ୍ତ ପାଇଁ ଯିବା ସମୟରେ ବି ଚିଠି ସଂପର୍କରେ ଗୋବିନ୍ଦର ଝିଅ ପଚାରିଥିଲେ। ହେଲେ, କେହି କିଛି ଉତ୍ତର ରଖିନଥିବା ଜଣାପଡ଼ିଛି। କ୍ରାଇମ୍‌ବ୍ରାଞ୍ଚ୍‌ ଆଇଜିଙ୍କ କହିବାନୁସାରେ, ଏକ ବଡ଼ ଟିମ୍‌ ଏହାର ତଦନ୍ତ କରୁଛି। ଟିକିନିକି ତଦନ୍ତ ଚାଲିଛି।

କ୍ରାଇମ୍‌ବ୍ରାଞ୍ଚ୍‌ ଡିଏସ୍‌ପିଙ୍କ କହିବା ହେଲା, ତଦନ୍ତ ଚାଲିଛି ଓ ଯାହା କହିବେ ଉପରିସ୍ଥ ଅଧିକାରୀ ହିଁ କହିବେ।

ଏଣୁ ପୂରା ଘଟଣାକୁ ଦେଖିଲେ ଗୋବିନ୍ଦଙ୍କ ମୃତ୍ୟୁ କେମିତି ହେଲା, ତାହା ଏଯାଏ ସ୍ପଷ୍ଟ ଭାବରେ ସାମ୍ନାକୁ ଆସିନାହିଁ।

ଅନ୍ୟ ଏକ ଖବର ଅନୁସାରେ, ଗୋବିନ୍ଦ ମୃତ୍ୟୁ ଘଟଣା ପରେ ଜେଲ୍‌ରେ ଥିବା ରାଧେଶ୍ୟାମ ଚଣ୍ଡୀ ଓରଫ ରାଧେଙ୍କୁ କର୍ତ୍ତୃପକ୍ଷ କଡ଼ା ନଜରରେ ରଖିଛନ୍ତି। ମମିତା ହତ୍ୟା ମାମଲାରେ ଗୋବିନ୍ଦଙ୍କ ସହଯୋଗୀ ଭାବରେ ଜେଲ୍‌ ଯାଇଥିଲେ ରାଧେ। ଗୋବିନ୍ଦ ଓ ରାଧେ ଉଭୟ ଅଲଗା ୱାର୍ଡରେ ରହୁଥିଲେ। ଭେଟଘାଟ ହେଲେ କଥାବାର୍ତ୍ତା ହେଉଥିଲେ। ଏବେ ଗୋବିନ୍ଦ ମୃତ୍ୟୁ ପରେ ଜେଲ୍‌ ଭିତରେ ରାଧେ ଗୁମସୁମ ଥିବା ଚର୍ଚ୍ଚା ହେଉଛି। କୋର୍ଟ ତାରିଖରେ ଉପସ୍ଥିତ ହେଲେ ବି ଏହି ଘଟଣାକୁ ନେଇ ରାଧେ ସ୍ତବ୍ଧ। ଏଣୁ ତାଙ୍କୁ ଏବେ କଡ଼ା ନଜର ରଖାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର