ଭବାନୀପାଟଣା: ବହୁଚର୍ଚ୍ଚିତ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ କଳାହାଣ୍ଡି ଦକ୍ଷିଣ ଶୌଣ୍ଢିକ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଗତ ଡିସେମ୍ବର ୨୦ ତାରିଖ କଣ୍ଟାବାଞ୍ଜି ଜେଲ ଭିତରେ ମୃତ୍ୟୁ ହୋଇଥିଲା। ଏହା ହତ୍ୟା ନା’ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବା ବେଳେ ମୃତ ଗୋବିନ୍ଦ ସାହୁଙ୍କର ପକେଟରୁ ମିଳିଥିବା ବନ୍ଦ ଲଫାପା ତାଙ୍କ ବଡଝିଅ ଲିପିକା ସାହୁଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ଜଣାପଡ଼ିଥିଲା।
ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ ସେହି ଲଫାପା ତାଙ୍କ ବଡ଼ ଝିଅ କିମ୍ବା ପରିବାରବର୍ଗଙ୍କୁ ହସ୍ତାନ୍ତର କରିନଥିଲେ କି ଦେଖିବାକୁ ମଧ୍ୟ ସୁଯୋଗ ଦେଇନଥିଲେ। ସେହି ସମୟରେ କାକାଶ୍ବଶୁର ମହେନ୍ଦ୍ର ସାହୁ ଗୋବିନ୍ଦ ସାହୁଙ୍କର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ମଧ୍ୟ ଆଣିଥିଲେ। ତେବେ ବଡଝିଅ କିମ୍ବା ପରିବାର ସହ କ୍ରାଇମବ୍ରାଞ୍ଚ କଥାବାର୍ତ୍ତ ହେବା ଏକ ଅଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଗୋବିନ୍ଦ ସାହୁଙ୍କର ମୃତ୍ୟୁକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ହାତରେ କିଛି ଠୋସ୍ ପ୍ରମାଣ ଲାଗିନଥିବାରୁ କ୍ରାଇମବ୍ରାଞ୍ଚର ତଦନ୍ତକୁ ସନ୍ଦେହ କରାଯାଇଛି। ଆଜି କଳାହାଣ୍ଡି ଶୌଣ୍ଢିକ ସମାଜ ପକ୍ଷରୁ ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।