ପୁଲିସର ଅବହେଳା ଯୋଗୁଁ ଗୋବିନ୍ଦ ସାହୁ ଫେରାର ହୋଇଥିଲା: ଡିଆଇଜି

ବଲାଙ୍ଗୀର/ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ପୁଲିସକୁ ମଙ୍ଗଳବାର ବଡ଼ ସଫଳତା ପାଇଛି। ସନ୍‌ସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ପୁଲିସ ଗିରଫ କରିଛି। ତେବେ ଗୋବିନ୍ଦ ସାହୁ ଫେରାର ହେବା ପଛରେ ପୁଲିସ ଅବହେଳା କରିଥିବା ନେଇ ଉତ୍ତରାଂଚଳ ଡିଆଇଜି ଦୀପକ କୁମାର ସ୍ୱୀକାର କରିଛନ୍ତି। ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ଏସ୍‌ପି କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚରା କରାଯାଉଛି।

କେଉଁ ପରିସ୍ଥିତିରେ ଗୋବିନ୍ଦ ସାହୁ ଖସିଯାଇଥିଲା ତାହାର ତଦନ୍ତ ହେବ। ଏନେଇ ୨୨୪ ଧାରାରେ ମାମଲା ରୁଜୁ ହୋଇଛି। ଏହି ଫେରାରରେ କାହାର ହାତ ରହିଛି, ସେନେଇ ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ମୋଷ୍ଟ ଓ୍ଵାଣ୍ଟେଡ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୁଲିସ ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ିପଦରରୁ ଗିରଫ କରିଛି। ଗିରଫ ସମୟରେ ଗୋବିନ୍ଦ ନିଜର ସାନଭଉଣୀଙ୍କ ଗାଁରେ ଥିବା ଏକ ଆଖୁ କିଆରିରେ ଲୁଚିଥିଲେ।

ଟିଟିଲାଗଡ଼ ପୁଲିସ୍‌ ବାରାକରୁ ଚମ୍ପଟ ମାରିଥିବା ସନସାଇନ୍‌ ପବ୍ଲିକ ସ୍କୁଲର ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ବାବଦରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୁଲିସ ପକ୍ଷରୁ ଘୋଷଣା କରାଯାଇଥିଲା। ଗୋବିନ୍ଦଙ୍କୁ ମୋଷ୍ଟ ୱାଣ୍ଟେଡ୍‌ ଘୋଷଣା କରାଯିବା ପରେ ପ୍ରଥମେ ତାଙ୍କ ସଂପର୍କରେ ସୂଚନା ଦେଲେ ୨୦,୦୦୦ ଟଙ୍କା ପୁରସ୍କାର ମିଳିବ ବୋଲି କୁହାଯାଇଥିଲା। ପରେ ଏହି ପୁରସ୍କାର ରାଶିକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିସହ ଗୋବିନ୍ଦ ସାହୁଙ୍କ ପୋଷ୍ଟର୍‌ ଜାରି କରିଥିଲା ପୁଲିସ। ବଲାଙ୍ଗୀର ଏସ୍‌ପିଙ୍କ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିଲା। ଏଥିରେ ୨ଟି ଫୋନ ନମ୍ବର ଦିଆଯାଇଥିଲା। ଯ ବଲାଙ୍ଗୀର ଏସ୍‌ପିଙ୍କ ମୋବାଇଲ ନମ୍ବର ୮୨୮୦୦୭୨୫୮୬ ଏବଂ ଏସ୍‌ପିଙ୍କ କାର୍ଯ୍ୟାଳୟର ନମ୍ବର ୦୬୬୫୨-୨୩୪୦୨୧। ଗୋବିନ୍ଦଙ୍କ ସଂପର୍କରେ ସୂଚନା ଏହି ଦୁଇଟି ନମ୍ବରରେ ଏସପିଙ୍କୁ ଜଣାଇବା ପାଇଁ କୁହାଯାଇଥିଲା।

ସମ୍ବନ୍ଧିତ ଖବର