ଭୁବନେଶ୍ୱର : ପ୍ରାୟ ଏକ ବର୍ଷ ତଳେ ମମିତା ମେହେର ହତ୍ୟାକାଣ୍ଡ ଘଟିଲା ବେଳେ ଏହାକୁ ନେଇ ଅନେକ ରାଜନୀତି ହୋଇଥିଲା। ଏବେ ପୁଣିଥରେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିବା ପରେ ବିଜେପି ହୀନ ରାଜନୀତି କରିବା ଆରମ୍ଭ କରି ଦେଇଛି। ରାଜନୀତି କରିବା ଲାଗି ଓଡ଼ିଶାରେ ଆହୁରି ଅନେକ ପ୍ରସଙ୍ଗ ରହିଛି । ତେଣୁ ବିଜେପି ନେତାମାନେ ଶସ୍ତା ରାଜନୀତି ନ କରି ନ୍ୟାୟପାଳିକା ଉପରେ ଆସ୍ଥା ରଖନ୍ତୁ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି।
ନ୍ୟାୟପାଳିକା ଉପରେ ବିଜେପିର ଆସ୍ଥା ନାହିଁ କି?
ଶ୍ରୀ ମହାନ୍ତି କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ଙ୍କ ତଦାରଖରେ ଏହି ମାମଲାର ତଦନ୍ତ ତଦନ୍ତ ହେବା ପରେ ପୁଲିସ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ଅଦାଲତରେ ମଧ୍ୟ ତ୍ୱରିତ ବେଗରେ ମାମଲାର ଶୁଣାଣି ଜାରି ରହିଥିଲା। ଅନ୍ୟପକ୍ଷରେ ଏହି ସ୍ପର୍ଶକାତର ମାମଲାରେ ଆରମ୍ଭରୁ ବିଜେପି ରାଜନୀତି କରିବା ସହ ମୃତ ମମିତା ମେହେରଙ୍କ ଚରିତ୍ର ସଂହାର କରିବାରୁ ମମିତାଙ୍କ ପରିବାରବର୍ଗ ଗଭୀର ମାନସିକ ଆଘାତ ପାଇଥିଲେ। ତେଣୁ ସେମାନେ ଏହାକୁ ନେଇ ରାଜନୀତି ନ କରିବାକୁ ହାତ ଯୋଡ଼ି ନିବେଦନ କରିଥିଲେ। ମାତ୍ର ବିଜେପି ନେତାମାନେ ତାଙ୍କ କୋହପୂର୍ଣ୍ଣ ଆବେଦନକୁ ଗ୍ରହଣ ନ କରି ଏହି ସ୍ପର୍ଶକାତର ଘଟଣାକୁ ନେଇ ରାଜନୀତି କରି ଚାଲିଲେ। ତେଣୁ ମମିତାଙ୍କ ପରିବାର ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଏହା ଉପରେ ରୋକ୍ ଲଗାଇବାକୁ ନିବେଦନ କଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା, ଏତେ ପରେ ବି ବିଜେପି ନେତାମାନେ ଏହାକୁ ନେଇ ହୀନ ରାଜନୀତି କରିଥିଲେ। ବିଶେଷକରି ମମିତାଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁର ଆତ୍ମହତ୍ୟା ପରେ ବିଜେପି ପୁଣିଥରେ ରାଜନୀତିର ରୁଟି ସେକିବା ଆରମ୍ଭ କରି ଦେଇଛି। ତେଣୁ ମମିତାଙ୍କ ପରିବାର ଗଣମାଧ୍ୟମ ଆଗକୁ ଆସି ଏହାକୁ ନାପସନ୍ଦ କରିଛନ୍ତି। ଆଇନ ବ୍ୟବସ୍ଥା ଉପରେ ମଧ୍ୟ ସେମାନେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି ।
ସେମାନେ କହିଛନ୍ତି ଯେ ଗୋବିନ୍ଦ ସାହୁ ଆତ୍ମହତ୍ୟା ପରେ ଭଗବାନ ଆମକୁ ନ୍ୟାୟ ଦେଇଛନ୍ତି ବୋଲି ସେମାନେ ଗଣମାଧ୍ୟମରେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ଆମେ ବିଜେପି ନେତାମାନଙ୍କୁ ପଚାରିବାକୁ ଚାହୁଁ; ଗୋବିନ୍ଦ ସାହୁ ହତ୍ୟାକାରୀ ଥିଲା ନା ନାହିଁ ? ଗୋବିନ୍ଦ ସାହୁ ଜଣେ ନରରାକ୍ଷସ ନା ଭଦ୍ରଲୋକ ? ଜଣେ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ବିଜେପି ଏତେ ଲୁହ ଗଡ଼ାଉଛି କାହିଁକି ? ଓଡ଼ିଶାରେ ରାଜନୀତି କରିବାକୁ ଅନେକ ପ୍ରସଙ୍ଗ ଅଛି। ମାତ୍ର ଗୋଟିଏ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ରାଜନୀତି କରିବା କେତେଦୂର ଠିକ୍ ? ନ୍ୟାୟପାଳିକା ଉପରେ ବିଜେପିର ଆସ୍ଥା ନାହିଁ କି ? ନ୍ୟାୟ ଦେବା ପାଇଁ ଭାରତରେ ତଥା ଆମ ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ଯଥେଷ୍ଟ ସୁଦୃଢ଼ ଓ ନିରପେକ୍ଷ ଅଛି । ତେଣୁ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ବିଜେପି ନେତାମାନେ ଅଯଥା ରାଜନୀତି ନ କରି ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ରଖନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।