ଘଟଣାସ୍ଥଳରେ ପୁଲିସ ଆଗରେ ମମିତା ହତ୍ୟାକାଣ୍ଡର ‘ଡେମୋ’ ଦେଖାଇଲେ ଗୋବିନ୍ଦ ସାହୁ

ଭୁବନେଶ୍ୱର: ମମିତାଙ୍କୁ ଯେଭଳି ଭାବେ ହତ୍ୟା କରିଥିଲେ ତା’ର ‘ଡେମୋ’ ଗତ ରାତି ପାହାନ୍ତା ପ୍ରାୟ ୪ଟା ବେଳେ ଗୋବିନ୍ଦ ସାହୁ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୁଲିସ ଆଗରେ ପ୍ରଦର୍ଶନ କରିଥିଲେ।

ଅପରାଧ ସ୍ଥଳରେ ଅପରାଧିକ ଘଟଣାର ପୁନଃସଂରଚନା ନିମନ୍ତେ ପୁଲିସ ତାଙ୍କୁ ମହାଲିଙ୍ଗ ଷ୍ଟାଡିୟମ୍‌କୁ ନେଇଥିଲା। ମମିତାଙ୍କୁ ହତ୍ୟା କରି କେମିତି ଗାତ ଖୋଳି ପୋତିଥିଲେ, ସେ ସମ୍ବନ୍ଧରେ ପ୍ରାୟ ୧୫ ମିନିଟ୍‌ ଧରି ଗୋବିନ୍ଦ ପୁଲିସକୁ କହିଥିଲେ। ସେ କହିଥିଲେ କି, ପ୍ରଥମେ କାଠ ଏବଂ କାଠ ଉପରେ ମମିତାଙ୍କ ଶବକୁ ରଖି ‘ଜେସିବି’ଦ୍ୱାରା ତାହାକୁ ଖଣ୍ଡବିଖଣ୍ଡ କରିଥିଲେ। ତା’ପରେ ଟାୟାର୍‌ ଓ କେତୋଟି ବେଞ୍ଚ୍‌କୁ ଭାଙ୍ଗି ପୋଡ଼ି ଦେଇଥିଲେ। ମୋବାଇଲ୍‌ ଫୋନ୍‌କୁ ମଧ୍ୟ ଭାଙ୍ଗି ସେହି ଜଳନ୍ତା ନିଆଁରେ ପକାଇ ଦେଇଥିଲେ।

ସୂଚନା ଅନୁସାରେ, ଉତ୍ତରାଞ୍ଚଳ ପୁଲିସ ଡିଆଇଜି ଦୀପକ କୁମାର, ବଲାଙ୍ଗୀର ପୁଲିସ ଏସ୍‌ପି ନିତିନ କୁଶଲକର, କଳାହାଣ୍ଡି ପୁଲିସ ଏସ୍‌ପି ଡା. ଶ୍ରବଣ ବିକେକ ଏମ୍‌.ଙ୍କ ନେତୃତ୍ବରେ ଏକ ପୁଲିସ ତଦନ୍ତକାରୀ ଦଳ ଗୁରୁବାର ମହାଲିଙ୍ଗ ଗାଁରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପହଞ୍ଚିଥିଲେ । ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମରେ ଶବକୁ ଉଦ୍ଧାର ହୋଇଥିବା ସ୍ଥାନରେ ପୁଲିସ ପକ୍ଷରୁ ଜେସିବି ସହାୟତାରେ ପୁଣି ମାଟି ଖୋଳା ଯାଇଥିଲା ।

ଶବ ପୋତିଲା ବେଳେ ମମିତା ମେହେରଙ୍କ ମୋବାଇଲକୁ ଭାଙ୍ଗି ଫିଙ୍ଗି ଦିଆଯାଇଥିବା କଥା ଗୋବିନ୍ଦ ସାହୁଙ୍କୁ ଜେରାବେଳେ ଜଣାପଡ଼ିଥିଲା । ତେଣୁ ପୁଲିସ ପକ୍ଷରୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ମେଟାଲ ଡିଟେକ୍ଟର ସହାୟତାରେ ସାଇଣ୍ଟିଫିକ ଟିମ ଛାନଭିନ କରିଥିଲା । ସେଠାରୁ ମିଳିଥିବା କିଛି ନମୁନା ପୁଲିସ ସଂଗ୍ରହ କରି ନେଇଥିଲା। ସନ୍ଧ୍ୟା ସମୟରେ ପୁନର୍ବାର ଜେସିବି ସହାୟତାରେ ଶବ ଉଦ୍ଧାର ହୋଇଥିବା ସ୍ଥାନରେ ମାଟି ଖୋଳା ଯାଇଥିଲା। ରାତି ୮ଟା ସମୟରେ ଏହି ଖୋଳା ଜାରି ରହିଥିଲା ।

ପରେ ପୁଲିସ ଡିଆଇଜି କଲେଜ ପରିସରକୁ ଆସି ସନ୍‌ସାଇନ୍‌ ସ୍କୁଲର ତାଲା ଭାଙ୍ଗି ତଦନ୍ତ କରିଥି‌ଲେ । ସ୍କୁଲ ପରିସରରେ ଥିବା ଯୁକ୍ତତିନି ଛାତ୍ରୀ ହଷ୍ଟେଲକୁ ମଧ୍ୟ ଯାଇଥିଲେ । ଏହାକୁ ଲାଗି ଗୁପ୍ତ କୋଠରି ଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ତାଲା ପଡ଼ିଥିବାରୁ ଭିତରକୁ ନ ଯାଇ ପୁଲିସ ଟିମ୍‌ ଫେରି ଯାଇଥିଲେ। ପୁଲିସ ଗୁପ୍ତ କୋଠରି ନିକଟକୁ ଯାଇ କାହିଁକି ଫେରିଲା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ତେବେ ଗୁପ୍ତ କୋଠରିକୁ ଅବାଧ ପ୍ରବେଶ ଅନୁମତି ପାଇଥିବା ୨ଜଣ ଅଧ୍ୟାପିକାଙ୍କୁ ସଇନ୍ତଳା ଥାନାକୁ ନେଇ ଜେରା ଚାଲିଛି । ଜେରାବେଳେ ଗୁପ୍ତ କୋଠରିର ରହସ୍ୟ କେତେ ଦୂର ଉନ୍ମୋଚିତ ହେବ ସେନେଇ ସାଧାରଣରେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ସେହିଭଳି କଲେଜ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ମଧ୍ୟ ପୁଲିସ ଜବତ କରିଛି । ମୃତ ମମିତାଙ୍କ ମୋବାଇଲ ଭିତରେ ହତ୍ୟା ରହସ୍ୟ ଥିବା ଯୋଗୁଁ ପୁଲିସ ପକ୍ଷରୁ ଗୁରୁବାର ଦିନତମାମ ଛାନଭିନ କରିଛି । ମୋବାଇଲ ଭିତରେ ଥିବା ପ୍ରମାଣକୁ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଗୋବିନ୍ଦ ସାହୁ ସୁପରିକଳ୍ପିତ ଯୋଜନା କରିଥିବା ଯୋଗୁଁ ଏହାର ଗୁମର ଫିଟାଇବା ପାଇଁ ପୁଲିସ ପକ୍ଷରୁ ମାରାଥନ ଯାଞ୍ଚ ଚାଲିଛି ।

ସମ୍ବନ୍ଧିତ ଖବର