ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ

କଟକ: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୨୦୨୧, ଡିସେମ୍ବର ୨୧ରେ କଣ୍ଟାବାଞ୍ଜି ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଗୋବିନ୍ଦଙ୍କ ଜାମିନ ଖାରଜ ହେବା ପରେ ସେ ଆଜି ହାଇକୋର୍ଟରେ ନିୟମିତ ଜାମିନ ଆବେଦନ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧, ଅକ୍ଟୋବର ୧୩ରେ ମମିତାଙ୍କ ପରିବାର ପକ୍ଷରୁ ସିନ୍ଧିକେଲା ଥାନାରେ ଏତଲା ଦିଆଯାଇଥିବା ବେଳେ ଗୋବିନ୍ଦଙ୍କୁ ଅଟକ ରଖି ପୁଲିସ ପଚରା ଉଚୁରା କରିଥିଲା। ଅକ୍ଟୋବର ୧୭ରେ ଗୋବିନ୍ଦ ପୁଲିସ ହେପାଜତରୁ ଖସି ଯାଇଥିବା ବେଳେ ଅକ୍ଟୋବର ୧୯ରେ ତାଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇ ଗୋବିନ୍ଦ ଜାମିନ ପାଇଁ ଆବେଦନ କରିଥିଲେ।

ଜେଲରେ ଥିବା ଗୋବିନ୍ଦ କଣ୍ଟାବାଞ୍ଜି ଅତିରିକ୍ତ ଦୌରା ଜଜ୍ ଅଦାଲତରେ କରିଥିବା ଜାମିନ ଆବେଦନ ଖାରଜ ହୋଇଥିଲା। ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ ଜାମିନରେ ଛାଡ ପାଇଲେ ତଥ୍ୟ ପ୍ରମାଣ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏଥି ସହିତ ଘଟଣାର ତଦନ୍ତ ଚାଲିଛି ବୋଲି ଅତିରିକ୍ତ ଦୌରା ଜଜ୍ ଅଦାଲତ କହିବା ସହିତ ଗୋବିନ୍ଦଙ୍କ ଜାମିନ ଖାରଜ କରିଥିଲେ।

ସମ୍ବନ୍ଧିତ ଖବର