ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡୀଙ୍କ ବ୍ୟତୀତ ଆଉ କାହାର ସମ୍ପୃକ୍ତି ନାହିଁ: ଗୃହ ରାଷ୍ଟ୍ରମନ୍ତ୍ରୀ

ମମିତା ମେହେର ହତ୍ୟା ମାମଲା

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡୀଙ୍କ ସମ୍ପୃକ୍ତି ରହିଛି। ଏଦୁହିଁଙ୍କ ଛଡ଼ା ଆଉ କାହାର ସମ୍ପୃକ୍ତି ନାହିଁ। ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି।

ସେ ଆହୁରି କହିଛନ୍ତି, ସମସ୍ତ ଚାର୍ଜ ସିଟି ଦାଖଲ କରାଯାଇ ସାରିଛି। ତଦନ୍ତରୁ ଜଣା ପଡ଼ିଛି ଏହି ଘଟଣାରେ ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବିଶେଷଙ୍କର ସମ୍ପୃକ୍ତି ନାହିଁ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ପୁଲିସ ଗୋବିନ୍ଦ ସାହୁ ଓ ତାର ଗାଡ଼ି ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀଙ୍କୁ ୨୦୨୧ ଅକ୍ଟୋବର ମାସରେ ଗିରଫ କରିଥିଲା। ସେହି ଦିନଠାରୁ ୨ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜେଲରେ ଅଛନ୍ତି। ନିକଟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସ୍ତ୍ରୀ ଓ ପୁଅର ଚିକିତ୍ସା ପାଇଁ  ହାଇକୋର୍ଟ ତାଙ୍କୁ୨ ସପ୍ତାହ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଇଛନ୍ତି।

ସମ୍ବନ୍ଧିତ ଖବର