ଭୁବନେଶ୍ବର : ରାଜ୍ୟ ସରକାର ଜେଲ୍‌ର ଭିତ୍ତିଭୂମିର ବିକାଶଠାରୁ ଆରମ୍ଭ କରି କଏଦୀମାନଙ୍କ ଉନ୍ନତି ପାଇଁ ଏକାଧିକ ଯୋଜନା କରୁଛନ୍ତି। କିନ୍ତୁ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ସାହୁ କଣ୍ଟାବାଞ୍ଜି ଜେଲ୍ ପରିସରରେ ଆତ୍ମହତ୍ୟା କରିବା ଘଟଣା ଜେଲ୍‌ ବିଭାଗର ଏକାଧିକ ଦୋଷ ଦୁର୍ବଳତାକୁ ପଦାରେ ପକାଇ ଦେଇଛି।

Advertisment

ଗୋବିନ୍ଦ ସାହୁ ଆତ୍ମହତ୍ୟାର ତଦନ୍ତ କରିବାକୁ ଯାଇଥିବା କ୍ରାଇମବ୍ରାଞ୍ଚ ଟିମ୍ କଣ୍ଟାବାଞ୍ଜି ସବ୍‌-ଜେଲ୍‌ର ବାସ୍ତବ ସ୍ଥିତି ପରଖିଛନ୍ତି। ଯାହା ସୂଚନା ମିଳିଛି ସେହି ଜେଲ୍‌ରେ ସମୁଦାୟ ୭୧ ଜଣ କଏଦୀ ଅଛନ୍ତି। ସେମାନଙ୍କ ଉପରେ ନଜର ରଖିବାକୁ ବା ସୁରକ୍ଷା ପାଇଁ ଅଛନ୍ତି ମାତ୍ର ୭ ଜଣ ୱାର୍ଡର୍‌। ଘଟଣା ଦିନ ଦୁଇ ଜଣ ୱାର୍ଡର୍‌ ଛୁଟିରେ ଯାଇଥିଲେ। ଆଉ ୫ ଜଣ ୱାର୍ଡର୍‌ଙ୍କ ମଧ୍ୟରୁ ୨ ଜଣଙ୍କର ସକାଳ ବେଳା ଡ୍ୟୁଟି ଥିଲା। ୨ ଜଣଙ୍କ ମଧ୍ୟରୁ ଜଣେ ଜେଲ ଗେଟ୍ ନିକଟରେ ଡ୍ୟୁଟି କରୁଥିବା ବେଳେ ନିଲମ୍ବିତ ହୋଇଥିବା ୱା‌ର୍ଡର୍‌ ଅକ୍ଷୟ ମହାନ୍ତିଙ୍କ ଡ୍ୟୁଟି ଜେଲ୍‌ ଭିତରେ ଥିଲା। ଜେଲ୍‌ ବିଭାଗ ଯେଉଁଭଳି ତରିବରିଆ ଭାବେ ତଦନ୍ତ ସାରିଦେଇ ୱା‌ର୍ଡର୍‌ ଅକ୍ଷୟଙ୍କୁ ନିଲମ୍ବନ କଲେ ତା’କୁ ନେଇ ଏବେ ଏବେ ରାଜ୍ୟର ବିଭିନ୍ନ ଜେଲ ୱାର୍ଡର୍‌ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଠି ପ୍ରଶ୍ନ ଉଠୁଛି ୭୧ ଜଣ କଏଦୀଙ୍କ ଉପରେ ଜଣେ ୱାର୍ଡର୍‌ ନଜର ରଖିବା କ’ଣ ସମ୍ଭବ?

ଏ ସମ୍ପର୍କରେ ନାମ ଗୋପନ ରଖି ଜଣେ ୱାର୍ଡର୍‌ କହିଛନ୍ତି, ଦି ଓଡିଶା ମଡେଲ ଜେଲ ମାନୁଆଲ-୨୦୨୦ ନିୟମ ଅନୁଯାୟୀ, ପ୍ରତି ୧୦ ଜଣ କଏଦୀ ପାଇଁ ଜଣେ ୱାର୍ଡର୍‌ ରହିବା କଥା। କିନ୍ତୁ, ଏହି ଜଣେ ୱା‌ର୍ଡର୍‌ ୭୧ ଜଣଙ୍କ ଉପରେ ନଜର ରଖିଥିଲେ। ଏଭଳି ହେବା କଥା ନୁହେଁ। ତେଣୁ ଏଠି ସ୍ପଷ୍ଟ ଭାବେ ଜେଲ୍‌ ମାନୁଆଲର ଖୋଲାଖୋଲି ଭାବେ ଉଲଂଘନ ହୋଇଛି। ବିଭାଗର ବଡ଼ବଡ଼ିଆଙ୍କ ଉପରେ ଦୋଷ ନ ଦେଇ ଜଣେ ତଳିଆ କର୍ମଚାରୀକୁ ନିଲମ୍ବିତ କରିବା ଠିକ୍ ହୋଇନାହିଁ ବୋଲି ସେ କହିଛନ୍ତି।

ସେହିପରି ନିୟମ ଅନୁଯାୟୀ ଜେଲର ସମସ୍ତ ସ୍ଥାନ ସିସି କ୍ୟାମେରା ସ୍କାନର‌ରେ ରହିବା କଥା। କିନ୍ତୁ ଜେଲ ପରିସରରେ ୧୨ଟି ସିସି କ୍ୟାମେରା ଲାଗିଥିବାବେଳେ ଯେଉଁ ସ୍ଥାନରେ ଗୋବିନ୍ଦ ଆତ୍ମହତ୍ୟା କରିଥିଲେ ସେହି ସ୍ଥାନରେ ସିସି କ୍ୟାମେରା ନାହିଁ। ତେଣୁ ତାହା ମଧ୍ୟ ଜେଲ ବିଭାଗର ଚରମ ଅବହେଳାକୁ ଦର୍ଶାଉଛି। ତେଣୁ ଜୀବନ ହାରିବାକୁ ସେହି ସ୍ଥାନକୁ ବାଛି ଥିଲା ଗୋବିନ୍ଦ।

ଏ ସମ୍ପର୍କରେ ଜଣେ ଅବସରପ୍ରାପ୍ତ ଜେଲ୍‌ ସୁପରିନଣ୍ଟେଣ୍ଡେଣ୍ଟ୍ ରବୀନ୍ଦ୍ର ନାଥ ସ୍ବାଇଁ କହିଛନ୍ତି, ଏବେ ରାଜ୍ୟରେ ଏପରି ଜେଲ ଅଛି ଯେଉଁଠି ୧୦୦ରୁ ୧୫୦ କଏଦୀ ଅଛନ୍ତି। କିନ୍ତୁ ପର୍ଯ୍ୟାପ୍ତ ପରିମାଣର ୱାର୍ଡର୍‌ ନ ଥିବାରୁ ମାତ୍ର ୧୦/୧୨ ଜଣେ ୱା‌ର୍ଡର୍‌ରେ ଜେଲ୍ କାମ ଚାଲୁଛି। ତେଣୁ ଏବେ ସମୟ ଆସିଛି ରାଜ୍ୟ ସରକାର ଜେଲ ୱାର୍ଡର୍‌ଙ୍କ ନିଯୁକ୍ତି ସଂଖ୍ୟା ବଢ଼ାନ୍ତୁ।

ତେବେ ହାଇକୋର୍ଟର ମହିଳା ଆଇନଜୀବୀ ବବିତା କର କହିଛନ୍ତି, ଦି ଓଡିଶା ମଡେଲ ଜେଲ ମାନୁଆଲ-୨୦୨୦ ନିୟମ ଅନୁଯାୟୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଭଳି ହାଇ ପ୍ରୋଫାଇଲ୍ ମାମଲାର ଅଭିଯୁକ୍ତମାନଙ୍କ ଉପରେ ଜେଲ୍‌ରେ ତୀକ୍ଷ୍ଣ ନଜର ରଖିବାକୁ ନି‌ର୍ଦେଶ ଥାଏ। ଯଦି ସେହି ଜେଲ୍‌ରେ ସେଭଳି ସୁବିଧା ନ ଥିବ, ତେବେ ସେମାନଙ୍କୁ ନିକଟସ୍ଥ ଜେଲ୍‌ରେ ମଧ୍ୟ ରଖାଯାଇ ପାରିବ। କିନ୍ତୁ ଏହି ମାମଲାରେ ଜେଲ୍‌ ବିଭାଗ ସେଭଳି କୌଣସି ପଦକ୍ଷେପ ନେଇ ନ ଥିଲା।
ତେବେ ଏ ସମ୍ପର୍କରେ ଜେଲ ବିଭାଗର ମତାମତ ନେବା ବେଳେ କୌଣସି ମତାମତ ମଳି ପାରିନାହିଁ।