ଭକ୍ତ ମନରେ ଆଘାତ : ରଥରୁ ତଳକୁ ଓହ୍ଲାଉ ଥିବା ବେଳେ ଅଘଟଣ, ସେବାୟତଙ୍କ ସହ ତଳକୁ ଖସିପଡ଼ିଲେ କାଳିଆ ଠାକୁର

ଦୃତ ଗତିରେ ଭିଡ଼ିଓ ହେଉଛି ଭାଇରାଲ......

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକର ଜରାସିଂହା ଗାଁରେ ରଥଯାତ୍ରା ସମୟରେ ଘଟିଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ରଥଟଣା ଶେଷ ହୋଇ ଶ୍ରୀଜଗନ୍ନାଥ ମାଉସୀ ଘରେ ପହଞ୍ଚିବା ପରେ ସେବାୟତମାନେ ତାଙ୍କୁ ପହଣ୍ଡିରେ ତ‌ଳକୁ ଓହ୍ଲାଉଥିବା ବେଳେ ଘଟିଥିଲା ଏକ ଅଘଟଣ। ଶ୍ରୀଜଗନ୍ନାଥଙ୍କ ବିଗ୍ରହକୁ ସେବାୟତମାନେ ଧରି ସିଢ଼ିରେ ତଳକୁ ଓହ୍ଲାଉ ଥିବା ସମୟରେ ରଥଟି ପଛକୁ ଗଡ଼ି ଯାଇଥିଲା। ଫଳରେ ରଥରେ ଡେରା ହୋଇଥିବା ସିଢ଼ିଟି ସିଧା ତଳେ ପଡ଼ିଥିଲା। ତା’ସହ ସେବାୟତ ଓ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ବି ତଳକୁ ଖସିପଡ଼ିଥିଲା।

ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଭକ୍ତ ଭଗବାନଙ୍କ ମିଳନ ହୋଇଛି ପବିତ୍ର ରଥଯାତ୍ରା ଦିନ। କେଉଁଠି ସଂକୀର୍ତ୍ତନର ଧ୍ୱନିରେ କମ୍ପୁଛି ଗାଁ ତ ପୁଣି କେଉଁଠି ତିନି ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଛି। ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକର ଜରାସିଂହା ଗାଁରେ ହୋଇଥିବା ରଥଯାତ୍ରାରେ ଏହି ଅଭାବନୀୟ ଘଟଣା ଦେଖିବା ମିଳିଛି, ଯାହା ଭକ୍ତଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି।

ଏହି ମନୁଷ୍ୟକୃତ ତ୍ରୁଟି ପାଇଁ ମହାପ୍ରଭୁ ତଳେ ପଡିଯିବାରୁ ଉପସ୍ଥିତ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଥିବା ବେଳେ ଘଟଣା ସମୟର ଭିଡ଼ିଓଟି ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି। ତେବେ ଦେଓଗାଁ ବ୍ଳକର ଅରଡ଼ା, ମୁରୁସିଂ, କୁରୁଆଝର ଥରେ ତିନି ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଦେଓଗାଁ, ସାଲେପଲି, କନକପୁର, ଉପରଝର, ରାମଚନ୍ଦ୍ର ପୁର,ସିଂହାମୁଣ୍ଡାରେ ମଧ୍ୟ ମହାଆଡ଼ମ୍ବରରେ ରଥଟଣା ଶେଷ ହୋଇଛି।

ସମ୍ବନ୍ଧିତ ଖବର