ଭୁବନେଶ୍ୱର: ମୟୂରଭଞ୍ଜର ଅମର୍ଦା ଏୟାରଷ୍ଟ୍ରିପ୍‌ ପାଇଁ ଚାଲିଥିବା ଜମି ହସ୍ତାନ୍ତର ପ୍ରକ୍ରିୟାରେ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ଅଭିଯୋଗ କରିଛନ୍ତି। ଆଜି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟୁଡ଼ୁ କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରଠାରେ ନିର୍ମିତ ଏସିଆ ମହାଦେଶର ସର୍ବବୃହତ ରନ୍‌ୱେ ଅମର୍ଦା ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପାଇଁ ସେ ନିଜେ ଉଦ୍ୟମ କରି ଆସୁଛନ୍ତି। ତତ୍କାଳୀନ କେନ୍ଦ୍ର ବେସାମରିକ ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ବର୍ତ୍ତମାନର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବାରମ୍ବାର ପତ୍ର ଲେଖିବା ସହ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଦାବି କରିଛନ୍ତି। ଏପରିକି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବାୟୁସେନାର ମୁଖ୍ୟ ଏବଂ ଡିଆରଡିଓ, ଚାନ୍ଦିପୁରର ବରିଷ୍ଠ ଅଧିକାରୀଙ୍କୁ ଭେଟି ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହାପରେ ସେପ୍ଟେମ୍ବର ୧୬, ୨୦୨୧ରେ କେନ୍ଦ୍ର ଓ ରାଜ୍ୟ ପ୍ରତିନିଧି ଦଳ ସମସ୍ତେ ସ୍ଥିତି ପରଖିଥିଲେ ଓ ନଭେମ୍ବର ୨୨, ୨୦୨୨ରେ ପ୍ରତିରକ୍ଷା ମନ୍ତ୍ରାଳୟ ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଅନୁମତି ପ୍ରଦାନ କରିଥିଲେ। ଜମି ହସ୍ତାନ୍ତର ପାଇଁ ରାଜ୍ୟ ସରକାରଙ୍କୁ ୨୬ କୋଟି ଟଙ୍କା ଜମା କରିବାକୁ କୁହାଯାଇଥିଲା। ରାଜ୍ୟ ସରକାର ଦୀର୍ଘ ୩ ମାସ ପରେ କିଛି ସର୍ତାବଳୀ ସହ ରାଜି ହୋଇଥିଲେ। ଏହାପରେ ଗତ ୧୦ତାରିଖ ଦିନ ଜମି ହସ୍ତାନ୍ତର ହେବା ପାଇଁ ଧାର୍ଯ୍ୟ ହୋଇଥିଲା। ଡିଆରଡିଓ, ଚାନ୍ଦିପୁରରୁ ଡିଫେନ୍ସ ଇଷ୍ଟେଟ୍ ଅଫିସର, ପ୍ରତିରକ୍ଷା ବିଭାଗର ଅଧିକାରୀମାନେ ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ସତ୍ୱେ ଜିଲ୍ଲାପାଳଙ୍କ ଅନୁପସ୍ଥିତି କାରଣରୁ ଜମି ହସ୍ତାନ୍ତର ସମ୍ଭବ ହୋଇପାରିଲା ନାହିଁ। ଅପରପକ୍ଷେ ଅମର୍ଦା ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା କାର୍ଯ୍ୟକ୍ଷମ ହେଲେ କାଳେ କେନ୍ଦ୍ର ସରକାର ଓ ବିଜେପି ଶ୍ରେୟ ନେଇଯିବେ ସେହି ଭୟରେ ରାଜ୍ୟ ସରକାର ଜମି ହସ୍ତାନ୍ତର ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି।

Advertisment

ଏହାସହ ସେ ଅଭିଯୋଗ କରିଛନ୍ତି ଯେ ଦୀର୍ଘ ୨୩ ବର୍ଷର ଶାସନରେ ବିଜେଡି ସରକାର ମୟୂରଭଞ୍ଜ ଜିଲ୍ଲାକୁ ବାରମ୍ବାର ଧୋକା ଦେଇଚାଲିଛି। ଅମର୍ଦା ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ହେଲେ ମୟୂରଭଞ୍ଜ ସମେତ ସମଗ୍ର ଉତ୍ତର ଓଡ଼ିଶା, ସୀମାବର୍ତୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗବାସୀ ଉପକୃତ ହେବେ। ମୟୂରଭଞ୍ଜ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଥିବାବେଳେ ଶିଳ୍ପ ପ୍ରତିଷ୍ଠା ପାଇଁ ଅପାର ସମ୍ଭାବନା ରହିଛି। ବିଶେଷଭାବେ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ଶିଳ୍ପ, ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ହୋଇପାରିବ। କିନ୍ତୁ ରାଜ୍ୟ ସରକାର ଏହାକୁ କରାଇ ଦେଉନାହାନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ମୁଖପାତ୍ର ଠାକୁର ରଣଜିତ୍ ଦାସ, ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କ ଅଭିଯୋଗ ଉପରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ସାମାଜିକ ଗଣମାଧ୍ୟମ ଏକ୍ସରେ କହିଛନ୍ତି ଯେ ଅମର୍ଦା ଏୟାରଷ୍ଟ୍ରିପ ବିକାଶ ପାଇଁ ୨୦୧୬ ମସିହାରୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏୟାରଷ୍ଟ୍ରିପ୍ ଜମି ପାଇଁ ଏନ୍‌ଓସି ହେଉ ଅବା କ୍ଷତିପୂରଣ ବାବଦ ଅର୍ଥ, ସମସ୍ତ ପ୍ରକ୍ରିୟା ସରିଛି। ହେଲେ ଦିନେ ମଧ୍ୟ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏନେଇ ଉଦ୍ୟମ କରିନଥିଲେ। ସେହିଭଳି ରେଳଲାଇନ୍ କଥା ନକହିଲେ ଭଲ। ବୁଢ଼ାମରା-ଚାକୁଲିଆ, ବାଙ୍ଗିରିପୋଷି-ଗୋରୁମହିଷାଣି ଏବଂ ବାଦାମପାହାଡ଼-କେନ୍ଦୁଝର ରେଲୱେ ଲାଇନ୍ ନେଇ ସ୍ଥାନୀୟ ଲୋକଙ୍କ ବହୁଦିନର ଦାବିକୁ ଶ୍ରୀ ଟୁଡ଼ୁ ଅଣଦେଖା କରିଚାଲିଛନ୍ତି।

ଗତ ୫ ବର୍ଷ ମଧ୍ୟରେ ମୟୂରଭଞ୍ଜ ପାଇଁ କିଛି କରିନଥିବା କେନ୍ଦ୍ର ମନ୍ତ୍ରୀ ନିର୍ବାଚନ ଆଗରୁ ସାମ୍ବାଦିକ ସମ୍ମିଳନୀ କରି ବିଭ୍ରାନ୍ତିମୂଳକ ତଥ୍ୟ ଦେବା ଆରମ୍ଭ କରିଛନ୍ତି। ବାଙ୍ଗିରିପୋଷିରୁ ବିଶୋଇ ପର୍ଯ୍ୟନ୍ତ ଘାଟି ରାସ୍ତା ମରଣଯନ୍ତା ସାଜିଛି। ଦୁର୍ଘଟଣା ଘଟୁଛି, ଅନେକ ଜୀବନ ଯାଉଛି। ଏଦିଗରେ କୌଣସି ଉଦ୍ୟମ କରିନଥିବା ଶ୍ରୀ ଟୁଡୁଙ୍କୁ ଗତ ପଞ୍ଚାୟତ ନିର୍ବାଚନରେ ସଚେତନ ମୟୂରଭଞ୍ଜବାସୀ ଉଚିତ ଜବାବ ଦେଇଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ଉଚିତ୍ ଜବାବ ଦେବେ।