ଭଗବାନ ଏକ, ନାମ କେବଳ ଭିନ୍ନ : ସଂସ୍କୃତି ମନ୍ତ୍ରୀ

ଅଂଜୁମନ ଇସଲାମିଆ ଓ ଖୋର୍ଦ୍ଧା ନାଗରିକ ମଂଚର ଇଦ୍ ମିଳନ

ଖୋର୍ଦ୍ଧା: ବ୍ରହ୍ମା ଓ ଆଲ୍ଲା କେବଳ ଦୁଇଟି ଭିନ୍ନ ନାମ, କିନ୍ତୁ ଏକ, ବାଲେଶ୍ୱରର ଭୁଜାଖିଆ ପୀର ହୁଅନ୍ତୁ କିମ୍ବା କବୀର ଏହି କଥା ହିଁ କହିଛନ୍ତି । ଉଭୟଙ୍କ ପୀଠରେ ଆଜି ମଧ୍ୟ ହିନ୍ଦୁ, ମୁସଲିମ ଭେଦଭାବ ଭୁଲି ଏକତ୍ରିତ ହେଉଛନ୍ତି । ଆଜି ମଧ୍ୟ ଭାରତର ଅନେକ ସ୍ଥାନରେ ଭାଇଚାରା ଓ ସଦ୍ଭାବ ରହିଛି । ଏଭଳି ସଦ୍ଭାବ ଓ ଭାଇଚାରାର କାର୍ଯ୍ୟକ୍ରମ ସୁଦୂରପ୍ରସାରୀ ହେବା ଉଚିତ ବୋଲି ରବିବାର ଅଂଜୁମନ ଇସଲାମିଆ ଓ ଖୋର୍ଦ୍ଧା ନାଗରିକ ମଂଚର ମିଳିତ ପ୍ରୟାସରେ ଅନୁଷ୍ଠିତ ଇଦ୍‌ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ।

ସେ କହିଛନ୍ତି ଯେ ରାଜ୍ୟରେ ଯେକୌଣସି ସ୍ଥାନରେ ଏଭଳି ଭାଇଚାରା ଓ ସଦ୍ଭାବର କାର୍ଯ୍ୟପାଇଁ ସେ ସର୍ବଦା ତତ୍ପର। ଏଥିପାଇଁ ତାଙ୍କର ସହଯୋଗ ଲୋଡିଲେ ନିଶ୍ଚିତ ଯୋଗାଇବେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ  ଯେ ଓଡ଼ିଶା ଯେତେ ଦରିଦ୍ର ହେଲେ ହେଁ ଗୋଟିଏ ଦିଗରୁ ସବୁଠାରୁ ବଡ଼ଧନୀ । ଏହି ଧନର ପରିମାଣକୁ ଆଦାନୀ କିମ୍ବା ଅମ୍ବାନୀ ମଧ୍ୟ ହାସଲ କରିପାରିବେ ନାହିଁ । ଏହି ଧନ ହେଉଛି ଜଗନ୍ନାଥଙ୍କ ସଂସ୍କୃତି ଯେଉଁଠି ସର୍ବଧର୍ମ ଓ ସଂସ୍କୃତିର ସମନ୍ୱୟ ରହିଛି । ଏହାର ପ୍ରଭାବରେ ଭାରତର ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ ଧାର୍ମିକ ଓ ଜାତିଗତ ବିଦ୍ୱେଷ କ୍ୱଚିତ ଦେଖାଯାଏ । ରମଜାନ ପାଳନରେ ଉପବାସ ଓ ଦାନର ମହତ୍ୱ ସମ୍ପର୍କରେ ଆଲୋଚନା କରି ଶରୀରର ଉତ୍ତମ ସ୍ୱାସ୍ଥ୍ୟ ପ୍ରତି ଏହାର ଉତ୍ତମ ପ୍ରଭାବକୁ ଆଧୁନିକ ବିଜ୍ଞାନ ମଧ୍ୟ ସ୍ୱୀକାର କରିଛି ବୋଲି କହିଥିଲେ । ସେହିଭଳି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ କରୋନା ପରେ ଏଭଳି ଉତ୍ସବ ପାଳନ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରୁଛି । ଏହି ସକାରାତ୍ମକ ପରିବେଶ କେବଳ ଏହି ଗୋଟିଏ ସ୍ଥାନରେ ସୀମିତ ନରହି ବାହାରେ ମଧ୍ୟ ସୃଷ୍ଟି ହେବା ଆବଶ୍ୟକ ବୋଲି ମତ ଦେଇଥିଲେ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଭଜମନ ବେହେରା, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ସିଂହ, ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ଖୋର୍ଦ୍ଧା ପୌର ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ନାଗରିକ ମଂଚର ସମ୍ପାଦକ ସଂଜୟ କୁମାର ପଟ୍ଟନାୟକ, ଖୋର୍ଦ୍ଧା ବିକାଶ ମଂଚର ନରେନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ ସାମନ୍ତସିଂହାର, ପୂର୍ବତନ ୱାକଫ୍ ବୋର୍ଡ ଅଧ୍ୟକ୍ଷ ସୋଏବ ଆକ୍ରାମ ହୁସେନ୍, କବି ଓ ଲେଖକ ହୁସେନ୍ ରବି ଗାନ୍ଧୀ, ବିଜେପି ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର, ଯୁବ କଂଗ୍ରେସ ସଭାପତି ୟାସିନ୍ ନୱାଜ୍ ପ୍ରମୁଖ ମଂଚାସୀନ ଥିଲେ । ଇଂରେଜମାନଙ୍କ ବିରୋଧରେ ଖୋର୍ଦ୍ଧାରୁ ଉଭୟ ହିନ୍ଦୁ ଓ ମୁସଲିମ ପାଇକ ମିଶି ଲଢ଼ିଥିଲେ । ଏହା ସମଗ୍ର ଦେଶକୁ ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ଦେଇଥିଲା । ସେହିଭଳି ଭାଇଚାରାର ବାର୍ତ୍ତା ଖୋର୍ଦ୍ଧାରୁ ଆରମ୍ଭ ହୋଇ ସମଗ୍ର ଦେଶରେ ବିସ୍ତାର ଲାଭ କରୁ ବୋଲି ଅତିଥିମାନେ ମତ ଦେଇଥିଲେ ।

ଅଂଜୁମାନ ଇସଲାମିଆର ସଭାପତି ରମଜାନ୍ ଖାଁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ହାଜି ନସିମୁଦ୍ଦୀନ ଖାଁ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ମୁକୁନ୍ଦପ୍ରସାଦ ପଂଚାୟତର ସଭାପତି ଅତିକୁର ରହେମନ୍ ଓ ସମ୍ପାଦକ ମହମ୍ମଦ କାଲାମଙ୍କୁ ହିନ୍ଦୁ ମୁସଲିମ୍ ଭାଇଚାରା ସମ୍ମାନ ପ୍ରଦାନ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ଶିଶିର ପରିଡ଼ା ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର