ମହାପ୍ରଭୁଙ୍କ ବସ୍ତ୍ର ପ୍ରସ୍ତୁତିରେ ସମର୍ପିତ

ଆଗକୁ ରଥଯାତ୍ରା, ରାଉତପଡ଼ା ବୁଣାକାରଙ୍କୁ ତର ନାହିଁ

ଖୋର୍ଧା: ଆଉ ମାତ୍ର ୧୦ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏବେ ଅଣସର ଘରେ। ତେବେ ରଥଯାତ୍ରା ବେଳେ ମହାପ୍ରଭୁଙ୍କର ଗୀତ ଗୋବିନ୍ଦ ପାଟ ବସ୍ତ୍ର ବ୍ୟତୀତ ସୂତାରେ ତିଆରି ପତନି, ନେତଖଣ୍ଡୁଆ, ଶ୍ରୀମୁଖ ଓତା, ବଡ଼ଟଣା ଖେସା, ନାଲି ଚେହେଲି, ହଳଦିଆ ଚେହେଲି, ସବୁଜ ଚେହେଲି, ବୋଇରାଣି, ଗଦିଫେଟା, ମଲମଲ, ବାରହାତୀ ଗଡ଼ା, ଷୋଳହାତୀ ଗଡ଼ା ଏବଂ ଚବିଶ ହାତିଆ ସୂତାଫୁଟା ଆଦି ବିଭିନ୍ନ ପ୍ରକାର ବସ୍ତ୍ର ଲୋଡ଼ା। ଆଉ ସେହି ସବୁ ପାରମ୍ପରିକ ବସ୍ତ୍ର ଲାଗି କରିବାକୁ ଖୋର୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ ରାଉତପଡ଼ା ଗାଁର ବୁଣାକାରମାନେ ରାତିଦିନ ଏକ କରିଦେଇଛନ୍ତି। ସମଗ୍ର ଗାଁର ବୁଣାକାର ପରିବାର ସମର୍ପିତ ମନୋଭାବ ନେଇ ଏହି କାର୍ଯ୍ୟରେ ଏବେ ବ୍ୟସ୍ତ।

ସୂଚନା ଥାଉ କି, ରାଉତପଡ଼ା ଗାଁର ପ୍ରାୟ ୨୦ ବୁଣାକାର ପରିବାର ୧୯୯୨ ମସିହାରୁ ଶ୍ରୀମନ୍ଦିର ପ୍ରଶାସନଙ୍କଠାରୁ ଏହି ବସ୍ତ୍ର ଯୋଗାଇବା ପାଇଁ ଅନୁମତିପ୍ରାପ୍ତ। ବର୍ଷ ତମାମ ଯେତିକି ବସ୍ତ୍ର ଯୋଗାଇଥାଆନ୍ତି ସେହି ଅନୁସାରେ ପାରିଶ୍ରମିକ ମିଳିନଥାଏ। ତଥାପି ସେମାନେ ମହାପ୍ରଭୁଙ୍କ ସେବା ପାଇଁ ଏହି କାର୍ଯ୍ୟ କରିଆସୁଛନ୍ତି। ରଥଯାତ୍ରା ଆସିଲେ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ପ୍ରକାର ବସ୍ତ୍ର ତିଆରି ହୋଇଥାଏ। ବୁଣା ସରିବା ପରେ ରାଉତପଡ଼ା ଗାଁର ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ବସ୍ତ୍ର ଧରି ଶ୍ରୀମନ୍ଦିର ପ୍ରଶାସକଙ୍କ ପାଖରେ ସମର୍ପି ଦେଇଥାଆନ୍ତି। ଶ୍ରୀଜିଉଙ୍କର ବାରମାସରେ ତେରପର୍ବ ସବୁଥିରେ ଆବଶ୍ୟକ ହୋଇଥାଏ ଭିନ୍ନ ଭିନ୍ନ ବସ୍ତ୍ର। ପୁଣି ସବୁଗୁଡ଼ିକର ଆକାର ଏବଂ ରଙ୍ଗ ମଧ୍ୟ ଅଲଗା ଅଲଗା। ପୃଥକ ପୃଥକ ବାରରେ ଠାକୁର ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିଥାଆନ୍ତି। ରବିବାର ନାଲି, ସୋମବାର ଧଳାଛିଟ, ମଙ୍ଗଳବାର ବାରପାଟିଆ, ବୁଧବାର ସବୁଜ, ଗୁରୁବାର ପୀତବସ୍ତ୍ର, ଶୁକ୍ରବାର ଶ୍ୱେତ ବସ୍ତ୍ର ଏବଂ ଶନିବାର କଳା, ବାଇଗଣୀ ରଙ୍ଗର ବସ୍ତ୍ର ଲୋଡ଼ା ବୋଲି ରାଉତପଡ଼ାର ମଧୁସୂଦନ ଓ୍ଵିଭିଂ ଫାକ୍ଟ୍ରିର ପ୍ରୋପାଇଟର ମଧୁସୂଦନ ଦାସ ସୂଚନା ଦେଇଛନ୍ତି।।

୮୦ ବର୍ଷର ବୃଦ୍ଧାଟିଏ ପେଟ ପୋଷିବା ପାଇଁ ନୁହେଁ, ବରଂ ତା’ ହାତ ତିଆରି ସୂତାରେ ବସ୍ତ୍ର ବୁଣା ହେଲେ ଠାକୁର ପିନ୍ଧିବେ-ଏହି ଭକ୍ତି ଭାବନାରେ ଦିନରାତି ଅରଟରେ ସୂତା ବୁଣୁଥାଏ। ପରିବାରର ମହିଳାମାନେ ସୂତା ଭିଣିବାଠାରୁ ଆରମ୍ଭ କରି ତନ୍ତରେ ବସ୍ତ୍ର ବୁଣିବା ପର୍ଯ୍ୟନ୍ତ କାମ କରିଥାଆନ୍ତି। ପୁରୁଷମାନେ ସୂତାରେ ରଙ୍ଗ ଦେବା, ମଣ୍ଡ ଦେବା ଆଦି କରିଥାଆନ୍ତି। ଠାକୁରଙ୍କ ପାଟବସ୍ତ୍ରରେ ଶ୍ଳୋକ ଲେଖାଯାଇଥାଏ। ସେଥିପାଇଁ ସ୍ୱତନ୍ତ୍ର ବୁଣାକାର ମଧ୍ୟ ଅଛନ୍ତି। ସେମାନେ ନିଜ ବାପା ଜେଜେଙ୍କଠାରୁ ଏହି କଳା ଶିଖିଥାଆନ୍ତି। ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କରି ପାଟବସ୍ତ୍ର ଯୋଗାଇବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ଗୋପିନାଥ ଦାସଙ୍କ ମତରେ ଠାକୁରଙ୍କ ବସ୍ତ୍ର ବୁଣିବାରେ ଅଧିକ ପରିଶ୍ରମ ପଡ଼ିଲେ ବି ସେଥିରେ ଆନନ୍ଦ ଓ ପରମ ତୃପ୍ତି ମିଳିଥାଏ। ୭୬ ବର୍ଷର ବୃଦ୍ଧ ଅରକ୍ଷିତ କୁଣ୍ଡୁ ପ୍ରାୟ ଦୀର୍ଘ ୨୦ ବର୍ଷ ହେଲା ମହାପ୍ରଭୁଙ୍କ ଗୀତଗୋବିନ୍ଦ ପାଟ ବୁଣୁଛନ୍ତି। ମହାପ୍ରଭୁଙ୍କ ବସ୍ତ୍ର ବୁଣିବା ଦିନଠାରୁ ସେ ଆଖିରେ ଚଷମା କିମ୍ବା ପାଦରେ ଚପଲ ପିନ୍ଧିନାହାନ୍ତି। ଗୋପୀନାଥ ଦାସଙ୍କ ମା ଆସେଲି ଦାସଙ୍କୁ ଏବେ ୯୦ ବର୍ଷ। ହେଲେ ଅଣ୍ଟା ନଇଁଗଲେ ମଧ୍ୟ ପ୍ରଭୁଙ୍କ ପାଟବସ୍ତ୍ର ଲାଗି ସେ ସୂତା ଗୁଡ଼ାଉଛନ୍ତି। ଠାକୁରଙ୍କ ବସ୍ତ୍ର ବୁଣିବା ସମୟରେ ପରିଶ୍ରମ କିମ୍ବା ପାରିଶ୍ରମିକ କଥା ଭୁଲି ସେମାନେ ସମର୍ପିତ ମନୋଭାବ ନେଇ ଏହି କାର୍ଯ୍ୟ କରିଥାଆନ୍ତି।

ସମ୍ବନ୍ଧିତ ଖବର