କଟକ : ଭୁବନେଶ୍ୱରରେ ଥିବା ୪୦୫ ଡିସିମିଲ ଜମି ଓ ଏହା ଉପରେ ନିର୍ମିତ ‘ତଳ ବଙ୍ଗଳା’ କୋଠା ପୁଣି ମହାପ୍ରଭୁ ଲିଙ୍ଗରାଜଙ୍କ ନାଁକୁ ଫେରିବ। ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏହି ଜମି ଓ କୋଠା ସାଧାରଣ ପ୍ରଶାସନ ବିଭାଗ ନାଁରେ ରେକର୍ଡ କରାଇବା ପାଇଁ ରାଜସ୍ୱ ପର୍ଷଦ ସଦସ୍ୟ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଫଳରେ ଏହି ସଂପତ୍ତି ଲିଙ୍ଗରାଜ ମନ୍ଦିର ନାଁରେ କେରର୍ଡ କରିବା ପାଇଁ ରହିଥିବା ନିର୍ଦ୍ଦେଶ କାଏମ ରହିଛି। ଜଷ୍ଟିସ ବି.କେ.ନାୟକ ଓ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଲିଙ୍ଗରାଜ ମନ୍ଦିର ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଗ୍ରାମର ଖାତା ନମ୍ବର-୧୮୧୦, ପ୍ଲଟ ନମ୍ବର ୨୩୩୬ରେ ଥିବା ୪୦୫ ଡିସିମିଲ ଜମି ଲିଙ୍ଗରାଜ ମନ୍ଦିର ନାଁରେ ରେକର୍ଡ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ୨୦୦୭, ନଭେମ୍ବର ୧୭ରେ ଏ ସଂପର୍କିତ ମାମଲାର ଶୁଣାଣି କରି ରାଜସ୍ୱ ପର୍ଷଦ ସଦସ୍ୟ ବିବାଦୀୟ ଜମି ସାଧାରଣ ପ୍ରଶାସନ ବିଭାଗ ନାଁରେ ରେକର୍ଡ କରିବା ପାଇଁ ଆଦେଶ ଦେଇଥିଲେ। ରାଜସ୍ୱ ପର୍ଷଦଙ୍କ ଏପରି ରାୟକୁ ଅସିଦ୍ଧ ଘୋଷଣା ପରେ ଲିଙ୍ଗରାଜ ମହାପ୍ରଭୁଙ୍କ ନାଁକୁ ଏହି ମୂଲ୍ୟବାନ ଜମି ଫେରିବା ପଥ ପରିଷ୍କାର ହୋଇଛି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ମହାପ୍ରଭୁ ଲିଙ୍ଗରାଜଙ୍କ ନାଁରେ ଥିବା ଏହି ୪୦୫ ଡିସିମିଲ ଭୂ-ସଂପତ୍ତି ‘ତଳବଙ୍ଗଳା’ ନାଁରେ ଜଣାଶୁଣା। ଏହି ସଂପତ୍ତିକୁ ମହାପ୍ରଭୁ ଲିଙ୍ଗରାଜଙ୍କ ନାଁରେ ରେକର୍ଡ କରିବା ପାଇଁ ମନ୍ଦିରର ନର୍ବାହୀ ଅଧିକାରୀ ଆବେଦନ କରିଥିଲେ। ଏ ନେଇ ୧୯୭୭ରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଆଧାରରେ ଏହି ସଂପତ୍ତି ମନ୍ଦିରହତା ଭାବେ ରେକର୍ଡ ହୋଇଥିଲା। ଏହି ସଂପତ୍ତି ମହାପ୍ରଭୁ ଲିଙ୍ଗରାଜଙ୍କ ନାଁରେ ରେକର୍ଡ କରିବା ପାଇଁ ୧୯୮୦, ଜୁଲାଇ ୩୧ରେ ସ୍ଥାନୀୟ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ତଳବଙ୍ଗଳାରେ ଭଡାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଜ୍ୱାଇଁ ଏହି ସଂପତ୍ତିରେ ଅଧିକାର ଦାବି କରି ଓଇଏ କଲେକ୍ଟରଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଅପିଲ ଦାଖଲ କରିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ଏପରି ଅପିଲକୁ ଖାରଜ କରିଥିଲେ। ଦେବୋତ୍ତର ବିଭାଗର ବିନା ଅନୁମତିରେ ତଳବଙ୍ଗଳାରେ ରହୁଥିବା ବ୍ୟକ୍ତି ବିଶେଷ ଆଇନ ଅନୁସାରେ ଭଡାଟିଆ ନୁହେଁ। ସଂପୃକ୍ତ ବ୍ୟକ୍ତି ଏହି ସ୍ଥାନରେ ଅନଧିକାର ଭାବେ ପ୍ରବେଶ କରିଥିବା ଦର୍ଶାଇ ଜିଲ୍ଲାପାଳ ଏପରି ଅପିଲ ଖାରଜ କରିଥିଲେ।

୨୦୦୦, ମେ’ ୧୯ର ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ସଂପୃକ୍ତ ବ୍ୟକ୍ତି ରାଜସ୍ୱ ପର୍ଷଦଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ରାଜସ୍ୱ ପର୍ଷଦ ସଦସ୍ୟ ପ୍ରଦାନ କରିଥିବା ରାୟରେ ସ୍ପଷ୍ଟ କରିଥିଲେ ଯେ ସଂପୃକ୍ତ ବ୍ୟକ୍ତିଙ୍କର ଏହି ସଂପତ୍ତିରେ କୌଣସି ଅଧିକାର ନାହିଁ। ପ୍ରକାଶିତ ରାୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନାଁରେ ଏହି ସଂପତ୍ତି ରେକର୍ଡ କରିବା ପାଇଁ ପୂର୍ବରୁ ପ୍ରଦାନ କରାଯାଇଥିବା ଆଦେଶ ରଦ୍ଦ କରାଯିବା ସହିତ ଏହି ୪୦୫ ଡିସିମିଲ ଜମି ଓ ଏହା ଉପରେ ଥିବା ତଳବଙ୍ଗଳା କୋଠା ରାଜ୍ୟ ସରକାରଙ୍କ ସାଧାରଣ ପ୍ରାଶାସନ ବିଭାଗ ନାଁରେ ରେକର୍ଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ରାୟକୁ ଚାଲେଞ୍ଜ କରି ଲିଙ୍ଗରାଜ ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୁଇ ପକ୍ଷଙ୍କ ବିବଦାକୁ ନେଇ ରୁଜୁ ମାମଲାରେ ରାଜସ୍ୱ ପର୍ଷଦ ସଦସ୍ୟ ବିବାଦୀୟ ସଂପତ୍ତିକୁ ତୃତୀୟ ପକ୍ଷ ନାଁରେ ରେକର୍ଡ କରିବା ପାଇଁ ନିର୍ଦ୍ଦେଶ ଦେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ.ଆର୍‌.ଦାଶ ଓ ଦେବୋତ୍ତର ବିଭାଗ ପକ୍ଷରୁ ଏ.କେ.ନାଥ ମାମଲା ପରିଚାଳନା କରୁଥିଲେ।