ସମ୍ବଲପୁର: ହିଂସାକାଣ୍ଡରେ ସମ୍ବଲପୁର ଅଶାନ୍ତ ହୋଇଉଠିଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଏପ୍ରିଲ୍ ୧୩ରୁ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ଲାଗି ବନ୍ଦ ରହିଥିଲା। ତେବେ ସ୍ଥିତି ନ ସୁଧୁରିବାରୁ ପରବର୍ତ୍ତୀ କାଳରେ ଏହି ଅବଧିକୁ ବୃଦ୍ଧି କରାଯାଇଛି। ଏହି କଟକଣା ଏପ୍ରିଲ୍ ୧୭ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ରହିଛି। ସ୍ଥିତି ସ୍ବାଭାବିକ ରହିଲେ ଇଣ୍ଟରନେଟ୍ ସୁବିଧା ଆସନ୍ତାକାଲିଠାରୁ ବାହାଲ୍ କରାଯାଇପାରେ। ତେବେ ଏହି କଟକଣା ବଢ଼ାଯିବ ନା ନାହିଁ, ସେ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି। ତେବେ ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ ହୋଇଯିବା ପରେ ବର୍ତ୍ତମାନ ପଡ଼ୋଶୀ ବରଗଡ଼ ଜିଲ୍ଲାର ଗୋଡ଼ଭଗା ଏବେ ସମ୍ବଲପୁରବାସୀଙ୍କ ପାଇଁ ଇଣ୍ଟର୍ନେଟ୍ ହବ୍ ପାଲଟିଯାଇଛି।
ସାମ୍ବାଦିକଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟବହାର ବା କୌଣସି ତଥ୍ୟ, ଫଟୋ, ଭିଡିଓ ଆଦି ପଠାଇବା ପାଇଁ ଗୋଡ଼ଭଗାକୁ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ସମ୍ବଲପୁରରେ ସ୍ଥିତି ସମ୍ବେଦନଶୀଳ ଥିବା ବେଳେ ଖବର ପ୍ରସାରଣ କ୍ଷେତ୍ରରେ ଅପ୍ଡେଟ୍ ଦେବାକୁ ସାମ୍ବାଦିକମାନଙ୍କୁ ଖବର, ଫଟୋ ଓ ଭିଡିଓ ପଠାଇବା ପାଇଁ ପ୍ରତିଦିନ ଏକାଧିକ ଥର ଗୋଡ଼ଭଗାକୁ ଯିବାକୁ ପଡ଼ୁଛି। ସେଭଳି ଅନେକ ସମ୍ବଲପୁରବାସିନ୍ଦା କେବଳ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଗୋଡ଼ଭଗା ଯାଉଛନ୍ତି। ଇଣ୍ଟରନେଟ୍ ବିନା ଜନଜୀବନ ଏକପ୍ରକାର ଅଟକି ଯାଇଥିବା ଲକ୍ଷ୍ୟ କରାଯାଉଛି। ଇଣ୍ଟରନେଟ୍ ବିନା ମୋବାଇଲ୍ ଏକ ପ୍ରକାର ଅଦରକାରୀ ପାଲଟି ଯାଇଥିବା କିଛି ଯୁବପିଢି଼ ମତ ରଖିଛନ୍ତି। ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ବେଳେ ନେଣଦେଣ ଉପରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳୁଛି।