ଭୁବନେଶ୍ୱର: ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଆଜି ଉନ୍ମୋଚିତ ହୋଇଛି। ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଲୋଗୋକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ପିଲାଙ୍କୁ ଆଧୁନିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏହି ଲୋଗୋ ଓଡ଼ିଆ ସଂସ୍କୃତି ତଥା ମହାନ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶକୁ ବହନ କରୁଛି। ଲୋଗୋର ମଧ୍ୟ ଭାଗରେ ଖୋଲା ପୁସ୍ତକ ଓ କଲମ ମୁନ ରହିଛି। ଖୋଲା ପୁସ୍ତକ ଶିକ୍ଷା ଓ ବୌଦ୍ଧିକ ଶକ୍ତିର ଜାଗରଣକୁ ବୁଝାଏ ଏବଂ କଲମ ମୁନ ସୃଜନଶୀଳତା ଓ ପ୍ରକାଶନକୁ ପ୍ରତିନିଧିତ୍ୱ କରେ। କଲମ ମୁନର ଉପରି ଭାଗରେ ଜଳୁଥିବା ମଶାଲ ଜ୍ଞାନ ଓ ସତ୍ୟର ପ୍ରତୀକ, ଯାହାକି ଅଜ୍ଞାନତା ଦୂର କରି ପ୍ରଗତିକୁ ପ୍ରୋତ୍ସାହିତ କରିଥାଏ। ଏହା ଆମ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ଜାଗ୍ରତ କରିବ। ସେହିପରି ମଶାଲ ଚାରିପାଖରେ ବିଚ୍ଛୁରିତ ହେଉଥିବା କିରଣ ନୈତିକ ଆଲୋକର ପ୍ରତୀକ। ଲୋଗୋରେ ଥିବା ତିନୋଟି ତାରା ଜ୍ଞାନ, ଚରିତ୍ର ଓ ସେବାକୁ ପ୍ରତିନିଧିତ୍ୱ କରୁଛି। ଏଥିରେ ବ୍ୟବହୃତ ବିଭିନ୍ନ ରଙ୍ଗ ମଧ୍ୟ ଗଭୀର ଅର୍ଥ ବହନ କରେ ବୋଲି ସେ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟ ପାଇଁ ୧୨ ହଜାର କୋଟି
ଗ୍ରାମ ପଞ୍ଚାୟତରେ ୫ ଏକର ଜମି ଥିବା ଗ୍ରାମକୁ ପ୍ରାଥମିକତା
ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଆଦର୍ଶ ବିଦ୍ୟାଳୟ ନିର୍ମାଣ ଦ୍ବାରା ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷଣ ପରିବେଶରେ ଉନ୍ନତି ଆସିବ। ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ୍ ଓ କ୍ରୀଡ଼ା ଉପକରଣ ଭଳି ସୁବିଧା ବିଦ୍ୟାଳୟରେ ଉପଲବ୍ଧ ହେବ। ପ୍ରତି ପିଲାଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତାରେ ନିପୁଣ କରିବା ସହିତ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସାମଗ୍ରିକ ବିକାଶ କରାଇବା ଆଦର୍ଶ ବିଦ୍ୟାଳୟର ମୂଳ ଉଦ୍ଦେଶ୍ୟ। ଚଳିତ ବଜେଟ୍ରେ ଏଥିପାଇଁ ବ୍ୟବସ୍ଥା କରାଯିବା ସହ କ୍ୟାବିନେଟ୍ରେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଛି, ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରାଯିବ ବୋଲି ମତପ୍ରକାଶ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଅଧୀନରେ ପ୍ରାୟ ୨୨୦୦ ବିଦ୍ୟାଳୟକୁ ଚୟନ କରାଯାଇଥିବା ସୂଚନା ଦେଇଥିଲେ।
ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବାକୁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୫-୨୬ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଏହାକୁ ଖର୍ଚ୍ଚ କରାଯିବ। ଏହି ବିଦ୍ୟାଳୟଗୁଡ଼ିକ ଗ୍ରାମ ପଞ୍ଚାୟତର ଏପରି ଏକ ଗ୍ରାମରେ ପ୍ରତିଷ୍ଠା ହେବ, ଯେଉଁଠାରେ ପ୍ରାୟ ୫ ଏକର ଜମି ଉପଲବ୍ଧ ରହିଥିବ। ଗମନାଗମନ ସୁବିଧା ମଧ୍ୟ ଥିବ। ପଞ୍ଚାୟତର ମଧ୍ୟ ଭାଗରେ ପ୍ରାୟ ୫ ଏକର ଜମି ଥିବା ସର୍ବବୃହତ୍ ଗ୍ରାମକୁ ପ୍ରାଥମିକତା ଦିଆଯିବ ବୋଲି ବୈଠକରୁ ସୂଚନା ମିଳିଛି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍.ତିରୁମାଲା ନାଏକ, ଓସେପା ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/15/sfhfshshxvvb-2025-11-15-00-04-58.jpg)