ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୮୩୫ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବ। ଏହି ବିଦ୍ୟାଳୟଗୁଡ଼ିକ ରାଜ୍ୟର ଉଚ୍ଚବିଦ୍ୟାଳୟ(ହାଇସ୍କୁଲ)ର ଫିଡ୍‌ର ବିଦ୍ୟାଳୟ ଭାବେ କାର୍ଯ୍ୟ କରିବ। ପ୍ରତି ବିଦ୍ୟାଳୟ ପାଇଁ ସର୍ବାଧିକ ୭ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ ହୋଇଛି। ଶହେରୁ ଅଧିକ ଛାତ୍ରଛାତ୍ରୀ, ଦୁଇ ଏକରରୁ ଅଧିକ ଜମି, ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢ଼ୁଥିବା ବିଦ୍ୟାଳୟଗୁଡ଼ିକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ନିର୍ମାଣ କରାଯିବ। ଭୌଗୋଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତି ଗ୍ରାମ ପଞ୍ଚାୟତର ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ଆଦର୍ଶ ସ୍କୁଲ ନିର୍ମାଣ ହେବ ବୋଲି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଆଜି ନିଷ୍ପତ୍ତି ହୋଇଛି।

Advertisment

ବିଦ୍ୟାଳୟ ପିଛା ସର୍ବାଧିକ ଖର୍ଚ୍ଚ ହେବ ୭ କୋଟି
ଗ୍ରାମ ପଞ୍ଚାୟତ ମୁଖ୍ୟାଳୟରେ ନିର୍ମାଣ କରାଯିବ
ଦୁର୍ଗମ ପିଲାଙ୍କ ଯିବା ଆସିବା ପାଇଁ ମାଗଣା ଯାନବାହନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରେ ଜାତୀୟସ୍ତରୀୟ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ଛାତ୍ରଛାତ୍ରୀଙ୍କ ଯିବା ଆସିବା ସୁବିଧା ଉପରେ ଗୁରୁତ୍ୱାରୋପ ‌କରାଯାଇଛି। ଦୁର୍ଗମ ଅଞ୍ଚଳରେ ରହୁଥିବା ପିଲାଙ୍କ ଯିବା ଆସିବା ପାଇଁ ମାଗଣାରେ ପରିବହନ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ପର୍ଯ୍ୟାପ୍ତ ଜମି ଥିବା ବିଦ୍ୟାଳୟଗୁଡ଼ିକୁ ଚୟନ କରାଯାଇ ଭବିଷ୍ୟତରେ ହାଇସ୍କୁଲ ସ୍ତରକୁ ଉନ୍ନତୀକରଣ କରିବାକୁ ସ୍ଥିର ହୋଇଛି। ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷା ଫଳାଫଳକୁ ଉନ୍ନତ କରିବା ଏବଂ ଶିକ୍ଷକ ଚୟନ ପ୍ରକ୍ରିୟାରେ ଉନ୍ନତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭିତ୍ତିଭୂମିରେ ଉନ୍ନତି ଆଣିବା, ଆଧୁନିକ ଶିକ୍ଷାଦାନ ପଦ୍ଧତି ଗ୍ରହଣ, ଅଭିଭାବକ, ପୂର୍ବତନ ଛାତ୍ର ଓ ସ୍ଥାନୀୟ ଅଂଶୀଦାରଙ୍କ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା ସହ ଜାତୀୟ ଶିକ୍ଷା ନୀତି-୨୦୨୦ ସହ ସମନ୍ୱୟ ରଖି ତୃତୀୟ ଶ୍ରେଣୀ ସୁଦ୍ଧା ମୌଳିକ ଶିକ୍ଷାଗତ ଦକ୍ଷତା ହାସଲ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଏହି ବିଦ୍ୟାଳୟଗୁଡ଼ିକରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ ଶିକ୍ଷା ସହ ବୃତ୍ତିଗତ ଦକ୍ଷତା, ଅଭିଜ୍ଞତାମୂଳକ ଶିକ୍ଷା ସମେତ ବହୁବିଧ ଶିକ୍ଷାକୁ ପ୍ରାଧାନ୍ୟ ଦେବା, ସୃଜନଶୀଳତା, ସମାଲୋଚନାମୂଳକ ଚିନ୍ତାଧାରା ଏବଂ ଜୀବନ କୌଶଳକୁ ଉତ୍ସାହିତ କରିବାକୁ ଆଲୋଚନା ହୋଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଯାମିନୀ ଷଡ଼ଙ୍ଗୀ, ଓସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ।