ଖଡ଼ିଆଳ: ନୂଆପଡ଼ାଜିଲ୍ଲା ଖଡ଼ିଆଳ ଓ କୋମନା ମଧ୍ୟସ୍ଥଳୀରେ ଥିବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ତିଖାଲି ଡ୍ୟାମ୍)ରେ ବହୁ ମନ୍ଦିର ଜଳମଗ୍ନ ହୋଇଗଲା। ମାତ୍ର ଦେବଦେବୀଙ୍କ ଥଇଥାନ ହୋଇ ପାରିଲା ନାହିଁ। ଏହାକୁ ନେଇ ବିସ୍ଥାପିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲାର ଜୀବନରେଖା ପାଲଟିଥିବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ତିଖାଲି ଡ୍ୟାମ୍) ସୁନ୍ଦର ନଦୀ ଉପରେ ନିର୍ମାଣ ହୋଇଛି। ଏହି ପ୍ରକଳ୍ପରେ ୩୧ଟି ଗାଁ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି। ୧୦ଟି ଗାଁ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ବେଳେ ୨୧ଟି ଗାଁ ଆଂଶିକ ଭାବେ ପ୍ରଭାବିତ ହୋଇଛି। ସରକାର ବିସ୍ଥାପିତ ଲୋକଙ୍କୁ ଥଇଥାନ କଲେ। ବିସ୍ଥାପିତ ଗାଁର ଦେବଦେବୀମାନଙ୍କୁ ମଧ୍ୟ ନୂତନ ମନ୍ଦିର ତିଆରି କରି ସ୍ଥାନାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ଦେଇ ପରେ ଭୁଲିଗଲେ। କିଛି ଗାଁର ଲୋକେ ଦେବଦେବୀଙ୍କୁ ପାଣିରୁ ଉଦ୍ଧାର କରି ଉଚ୍ଚସ୍ଥାନରେ ସ୍ଥାପନ କଲେ। ମାତ୍ର ବହୁ ଦେବଦେବୀ ଜଳସମାଧି ନେଇଛନ୍ତି।
ପାଣିରେ ବୁଡ଼ିଯିବାରୁ ଅପୂଜା ହୋଇ ରହି ଯାଇଛନ୍ତି। ଜଳ ସମ୍ପଦ ବିଭାଗ ଦ୍ୱାରା ଗତ ଜୁଲାଇ ୯, ୨୦୧୯ ମସିହାରେ ତିଖାଲି ଡ୍ୟାମ ନିକଟରେ ଇନ୍ଦ୍ରେଶ୍ୱର ଶିବ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏହି ମନ୍ଦିର ପରିସରରେ ଜଳ ସମାଧି ନେଇଥିବା ଦେବୀଙ୍କ ପାଇଁ ୧୦ ମନ୍ଦିର ତିଆରି ହୋଇଛି। ଦରଗାଁର ଇନ୍ଦ୍ରାଦି, କୋଟାମାଳର ସମଲେଶ୍ୱରୀ, କାଲିମାଟି ଗାଁର ବୁଢ଼ାରାଜା, ସନ୍ଧିବାହଲି ଗାଁର ପରଦେଶେନ୍, ରଘୁପାଲି ଗାଁର ଲଙ୍କେଶ୍ୱରୀ, କୋନାବିରା ଗାଁର ସମଲେଶ୍ୱରୀ, ବୋଡ଼ାଛାପର ଗାଁର ବସ୍ତ୍ରlଣି, ଝାଲକୁସୁମ ଗାଁର ଧରୁଆ ବୁଢା, ଲମ୍ବିପାଣି ଗାଁର ଗଙ୍ଗାଦୀ ଓ ହରିପୁର ଗାଁର ପଲସିପଲେନ୍ ଆଦି ଦେବଦେବୀଙ୍କ ୧୦ଟି ଛୋଟ ଛୋଟ ମନ୍ଦିର ନିର୍ମାଣ ହୋଇଛି। ସେଠାରେ ଏକପ୍ରକାର ଦେବଦେବୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ହେଲେ ଗାଁର ପୂଜକ, ଝାଙ୍କରଙ୍କୁ ପୂଜା ପାଇଁ ଦାୟିତ୍ବ ଦିଆଯାଇନାହିଁ। କେବେ କେମିତି ଶିବ ମନ୍ଦିରର ପୂଜକ ପୂଜା କରନ୍ତି। ଅନ୍ୟ ଦେବଦେବୀ ଅପୂଜା ଅଛନ୍ତି। ଶିବ ମନ୍ଦିର ପରିସରରେ ଗାଁ ଦେବତାଙ୍କୁ କେମିତି ବଳି ଦିଆଯିବ ବୋଲି ଲୋୟର ଇନ୍ଦ୍ର ଜନସଚେତନ ମଞ୍ଚ ସଭାପତି ନୀଳକଣ୍ଠ ପ୍ରଧାନ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ପରମ୍ପରା ଅନୁଯାୟୀ ଦେବଦେବୀମାନଙ୍କୁ ସ୍ଥାପନ କରି ପୂଜା କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ବିସ୍ଥାପିତ ପିରିତ୍ରାମ ରାଉତ, ବ୍ରଜସୁନ୍ଦର ପଟେଲ, ଯୁଗେଶ୍ୱର କଠାର, କ୍ଷୀରୋଦ କଠାର ଓ ଅନ୍ୟମାନେ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/31/ggK3waMWFhemwqeLBdme.jpg)