ଗଡ଼ିଶାଗୋଦା ଥାନାରେ ଅଧିକାରୀ ହାତାହାତି ଘଟଣା : ବଟି ବଣ୍ଟାରୁ ବିବାଦ!

ଏଏସ୍‌ଆଇ ନିଲମ୍ବିତ, ଇନ୍‌ସ୍ପେକ୍ଟର ହେବେ ଜିଲ୍ଲାପାର୍‌!

ପୁରୀ : ଗଡ଼ିଶାଗୋଦା ଥାନାରେ ଆଇଆଇସି-ଏଏସ୍‌ଆଇଙ୍କ ମଧ୍ୟରେ ହାତାହାତି ଘଟଣାରୁ ପୁଲିସ ବିଭାଗର ଗୁମର ଫିଟିିବାରେ ଲାଗିଛି। ତେବେ ପରିସ୍ଥିତି ଅଧିକ ଜଟିଳ ହେବା ପୂର୍ବରୁ ଦୁଇ କର୍ମଚାରୀଙ୍କ ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବା ଲାଗି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏସପି ଡା. ସାର୍ଥକ ଷଡ଼ଙ୍ଗୀ ସଂପୃକ୍ତ ଏଏସ୍‌ଆଇ ସନ୍ତୋଷ ସାହୁଙ୍କୁ ନିଲମ୍ବିତ କରିଥିବା ବେଳେ ଇନ୍‌ସ୍ପେକ୍ଟର ଅଜୟ ଜେନାଙ୍କୁ ଜିଲ୍ଲା ପାର କରିବା ଲାଗି ବିଭାଗୀୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ବିବାଦ ନଥମିଲେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଉପର ମହଲରେ ବିଚାର ବିମର୍ଶ ଚାଲିଥିବା ଜଣାପଡ଼ିଛି।

ପ୍ରକାଶ ଯେ ଗତ ୩୦ ତାରିଖ ଦିନ ମଧ୍ୟାହ୍ନ ଭୋଜନକୁ କେନ୍ଦ୍ର କରି ଗଡ଼ିଶାଗୋଦା ଥାନାରେ ଆଇଆଇସି ଜେନା ଓ ଏଏସ୍‌ଆଇ ସାହୁ ହାତହାତି ହୋଇଥିଲେ। ଖବର ପାଇ ଏସ୍‌ପି ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଗନ୍ନାଥ ପ୍ରଧାନଙ୍କୁ ଥାନାକୁ ପଠାଇଥିଲେ। ସେ ତଦନ୍ତ ରିପୋର୍ଟ ଦେବା ପରେ ଏସ୍‌ପି ଷଡ଼ଙ୍ଗୀ ଏଏସ୍‌ଆଇ ସାହୁଙ୍କୁ ରାତିଅଧିଆ ବଦଳି କରିଥିଲେ।

ହେଲେ ବିବାଦ ଏତିକିରେ ଥମିବା ପରିବର୍ତ୍ତେ ଅଧିକ ଘନୀଭୂତ ହୋଇଛି। ପରଦିନ ଥାନାକୁ କେଉଁଠାରୁ କେତେ ମାସିକ ବଟି ଆସୁଛି ତା’ର ତାଲିକା ଏକ ଅଡିଓ ଟେପ୍‌ରେ ପ୍ରସାରିତ ହୋଇଥିଲା। ଏହି ତାଲିକା ଅନୁଯାୟୀ ତିନି ଲକ୍ଷରୁ ଅଧିକ ଟଙ୍କା ମାସିକ ଥାନାକୁ ଆସୁଥିବା ବେଳେ ସବୁଯାକ ଅଫିସର ନେଇ ଯାଉଥିବାରୁ ଏହାକୁ ନେଇ ଥାନା କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ଲାଗି ରହିଥିଲା। ଦୁଇ ଅଧିକାରୀଙ୍କ ମଧ୍ୟରେ ମାଡପିଟର ଏହାହିଁ ମୂଳ କାରଣ ବୋଲି ପ୍ରଚାରିତ ହେବା ପରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଲୋଡ଼ନ ଖେଳିଯାଇଥିଲା।

ଗୋପ ଥାନା ଏଏସ୍‌ଆଇ ବି ନିଲମ୍ବିତ

ଗତ ଜାନୁଆରି ୨୬ ତାରିଖ ଦିନ ଗୋପ ଥାନାରେ ସଂଘଟିତ ଅଭାବନୀୟ ଘଟଣାରେ ଏଏସ୍‌ଆଇ କାଳନ୍ଦୀ ଚରଣ ଲେଙ୍କାଙ୍କୁ ମଧ୍ୟ ଆଜି ଏସ୍‌ପି ଡା. ଷଡ଼ଙ୍ଗୀ ନିଲମ୍ବିତ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଗତ ୨୬ ତାରିଖ ଦିନ ଏଏସ୍‌ଆଇ ଲେଙ୍କା ଡାଏରୀ ଚାର୍ଜ ଅଫିସର ଭାବେ ଡିଉଟି କରୁଥିଲେ। ସେଦିନ ଅପରାହ୍ନ ସାଢ଼େ ତିନିଟାରେ ସଞ୍ଜୟ ସେନାପତି ଓ ଅନ୍ୟ କେତେକ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ଗୋପ ସେନାପତି ସାହି ନିବାସୀ ମୂଷା ଓରଫ ବଳରାମ ଦାସ(୪୫)କୁ ଧରି ଥାନାକୁ ନେଇଥିଲେ। ମୂଷା ନିଶାସକ୍ତ ଅବସ୍ଥାରେ ଲୋକଙ୍କୁ ଗାଳିଗୁଲଜ କରିବା ସହିତ ଢ଼େଲାପଥର ମାରି ଲହୁଲୁହାଣ କରିଦେଇଥିଲା। ମାତ୍ର ଏଏସ୍‌ଆଇ ଲେଙ୍କା ଓଲଟା ଏହି ଅଭିଯୋଗକାରୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ।

ସମ୍ବନ୍ଧିତ ଖବର