ଚକବନ୍ଦୀ କେଳେଙ୍କାରୀ : ଠାକୁରଙ୍କ ଜମି ଗିଳିିଦେଲେ

ବେଦାନ୍ତକୁ ଜମି ବିକ୍ରିରେ ଅନିୟମିତତା

ପୁରୀ : ଚକବନ୍ଦୀ କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି। କାଗଜପତ୍ର ଖେଳରେ ଚଞ୍ଚକତା କରାଯାଇ ଠାକୁରଙ୍କ ଜମିର ମାଲିକାନା ପରିବର୍ତ୍ତନ ପରେ ଜମିକୁ ବେଦାନ୍ତ କଂପାନିକୁ ବିକି ଦିଆଯାଇଛି। ଏ ବାବଦରେ କ୍ଷତିପୂରଣ ବି ନିଆଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଆଳତୁଙ୍ଗା ମୌଜାରେ। ଘଟଣା ସଂପର୍କରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣିଥିଲେ ବି କେହି କିଛି କହୁନାହାନ୍ତି। କିଛି ପଦକ୍ଷେପ ନିଆଯାଉନାହିଁ। ଏହି କେଲେଙ୍କାରୀରେ ସଂପୃକ୍ତ ଥାଇ ମାଲାମାଲ ହୋଇଥିବା କିଛି କର୍ମଚାରୀ ଓ ଅଧିକାରୀ ଇତିମଧ୍ୟରେ ଅବସର ଗ୍ରହଣ କରି ସାରିଲେଣି। କିନ୍ତୁ ତଦନ୍ତର ନାଁ ଗନ୍ଧ ମିଳୁନି।

ଆଳତୁଙ୍ଗା ମୌଜାରେ ବେଦାନ୍ତ ଅଧିଗ୍ରହଣ କରିଥିବା ଜମି ମଧ୍ୟରେ ଶ୍ରୀଗୋପୀନାଥ ଦେବଙ୍କ ପାଖାପାଖି ୧୩ ଏକର ୫୪ ଡିସିମିଲି ଜମି ରହିଛି। ଏଥିପାଇଁ କଂପାନି ପାଖାପାଖି ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିସାରିଛି। ତେବେ ଯେଉଁମାନେ ଜମି ବିକ୍ରି କରିଛନ୍ତି ବା କ୍ଷତିପୂରଣ ରାଶି ଗ୍ରହଣ କରିଛନ୍ତି ସେମାନେ ଶ୍ରୀଗୋପୀନାଥଙ୍କ ସେବାୟତ ନଥିଲେ ବା ଏହି ଜମିକୁ ସେମାନେ ଭୋଗ ଦଖଲ କରୁଥିବାର ସରକାରୀ ରେକର୍ଡ ନାହିଁ। ଏପରି ଜମି ବେସରକାରୀ ଭାବେ ବିକାକିଣା ହେବା ଅଲଗା କଥା, କିନ୍ତୁ ସରକାରୀ ଭାବେ ଏହାକୁ ଅଧିଗ୍ରହଣ କରାଯାଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଖାତା ନମ୍ବର ୭୬, ୧୦୦, ୧୧୦, ୪, ୨୯, ୫୪, ୪୭, ୮୨, ୫୮, ୪୦ର ୧୦ଟି ପ୍ଲଟରେ ୧୩ଏକର ୪୪ ଡିସିମିଲି ଜମିର ଅଧିଗ୍ରହଣ ବାବଦକୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ୧୦ଟି ପ୍ଲଟରେ ୬ ଜଣ ଲୋକଙ୍କ ନାମରେ ସମାନ ପରିମାଣ ୧ଏକର ୧୨ ପରିମିତ ଜମି ରହିଥିବା ବେଳେ ୪ ଜଣଙ୍କ ନାମରେ ୧ଏକର ୬୮ ଡିସିମିଲି ଲେଖାଏଁ ରହିଛି। ଏହି ହିସାବରେ ୧ଏକର ୧୨ ଡିସିମିଲି ପିଛା ୯୭ ହଜାର ୧୪ଟଙ୍କା କ୍ଷତିପୂରଣ ବାବଦକୁ ମିଳିଥିବା ବେଳେ ୧ଏକର ୬୮ ଡିସିମିଲି ପିଛା ୧ଲକ୍ଷ ୪୫ ହଜାର ୫୨୨ ଟଙ୍କା କ୍ଷତିପୂରଣ ମିଳିଛି। ୧୦ ଜଣ ଲୋକ ଠାକୁରଙ୍କ ଜମିକୁ ଏଭଳି ସମାନ ସମାନ ବାଣ୍ଟି ବେଦାନ୍ତକୁ ବିକ୍ରି କରିବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଜମି ଅଧିଗ୍ରହଣ ବେଳେ ଏଭଳି ଅନିୟମିତତା ଜଣାପଡ଼ିଥିଲେ ବି ଏହାକୁ ଚାପି ଦିଆଯାଇଛି। ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଅଭିଯୋଗପତ୍ର ପହଞ୍ଚିନଥିବା କହିଛନ୍ତି। ଅଭିଯୋଗ ଆସିିଲେ ତଦନ୍ତ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର