ତିନି ରଥର ପାର୍ଶ୍ବ ଦେବାଦେବୀ

ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ପାଇଁ ନିର୍ଦ୍ଦିଷ୍ଟ ପାର୍ଶ୍ବ ଦେବାଦେବୀ ରହିଥାନ୍ତି। ସେହି ଅନୁଯାୟୀ ତିନି ରଥରେ ଭିନ୍ନ ଭିନ୍ନ ପାର୍ଶ୍ବ ଦେବାଦେବୀଙ୍କୁ ସ୍ଥାପନ କରାଯାଏ। ରଥଯାତ୍ରା ପୂର୍ବରୁ ପାର୍ଶ୍ବ ଦେବାଦେବୀଙ୍କୁ ଚିତ୍ରକର ସେବକମାନେ ରଙ୍ଗ ଦେଇ ପ୍ରସ୍ତୁତ କରିଥାନ୍ତି।

ନନ୍ଦିଘୋଷ ରଥ: କଥିତ ରହିଛି, ଏହି ରଥକୁ ଦେବତାଗଣ ରାବଣ ସହ ଯୁଦ୍ଧ ବେଳେ ଶ୍ରୀରାମଙ୍କୁ ଭେଟି ଦେଇଥିଲେ। ଏହି ରଥରେ ବସି ଶ୍ରୀରାମ ରାବଣ ସହ ଯୁଦ୍ଧ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୯ ଜଣ ପାର୍ଶ୍ବ ଦେବାଦେବୀ ଅବସ୍ଥାନ କରିଥାନ୍ତି। ଏହି ପାର୍ଶ୍ବ ଦେବାଦେବୀମାନେ ହେଲେ ହନୁମାନ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ, ଗୋବର୍ଦ୍ଧନଧାରୀ, ଚିନ୍ତାମଣି, ରାଘବ ଓ ନୃଂସିହ।

ତାଳଧ୍ୱଜ ରଥ: ପୁରାଣ ବର୍ଣ୍ଣିତ ଅନୁସାରେ ଇନ୍ଦ୍ରଜିତଙ୍କ ପୁଅ ମହୀରାବଣକୁ ବଧ କରିବା ପାଇଁ ବ୍ରହ୍ମାଙ୍କ ଦ୍ୱାରା ଅଭିଶପ୍ତ ସୁଦେବୀଙ୍କ (ସ୍ୱର୍ଗପ୍ରାପ୍ତି ପରେ) ଅନୁରୋଧ କ୍ରମେ ଇନ୍ଦ୍ରଦେବ ଲକ୍ଷ୍ମଣଙ୍କୁ ତାଳଧ୍ୱଜ ରଥ ଦେଇଥିଲେ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ବି ୯ ଜଣ ପାର୍ଶ୍ବ ଦେବାଦେବୀ ରହିଛନ୍ତି। ଏହି ପାର୍ଶ୍ବ ଦେବାଦେବୀମାନେ ହେଲେ ପ୍ରଳମ୍ବାରୀ, ନୃତ୍ୟ ଗଣେଶ, ନାଟାମ୍ବର, ସ୍କନ୍ଦ, ଅନନ୍ତ ବାସୁଦେବ, ଗଜାନ୍ତକ, ତ୍ରିପୁରାରୀ (ବଳରାମ), ହରିହର ଓ ବାଇଶଭୁଜ ନୃସିଂହ।

ଦର୍ପଦଳନ ରଥ: ଦର୍ପଦଳନ ରଥର ଅନ୍ୟ ନାମ ଦେବୀଦଳନ ବା ଦେବୀ ରଥ। ଦେବୀ ରଥ ହୋଇଥିବାରୁ ଏହି ରଥରେ ପାର୍ଶ୍ବ ଦେବାଦେବୀ ଭାବେ ଦେବୀମାନେ ଅବସ୍ଥାନ କରିଥାନ୍ତି। ମା’ ସୁଭଦ୍ରାଙ୍କର ରଥରେ ମଧ୍ୟ ୯ ଜଣ ପାର୍ଶ୍ବ ଦେବାବେଦୀ ରହିଥାନ୍ତି। ଏହି ପାର୍ଶ୍ବ ଦେବାଦେବୀମାନେ ହେଲେ ବାରାହୀ, କାଳୀ, ମଙ୍ଗଳା, କାତ୍ୟାୟନୀ, ଚାମୁଣ୍ଡା, ଭଦ୍ରକାଳୀ, ବିମଳା, ହରଚଣ୍ଡୀ ଓ ଜୟଦୁର୍ଗା।

ସମ୍ବନ୍ଧିତ ଖବର