ମହାପ୍ରଭୁଙ୍କ ଇଚ୍ଛା…. ରଥ ନିର୍ମାଣ ହେଉ !

ରଥ ନିର୍ମାଣ ପାଇଁ ଅନୁମତି ଦେଲା କେନ୍ଦ୍ର, ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଲା

ଭୁବନେଶ୍ୱର : ଜଗନ୍ନାଥ ମହାପ୍ରଭୁଙ୍କ ଇଚ୍ଛା ରଥ ନିର୍ମାଣ ହେଉ ! କାରଣ ତାଙ୍କ ଇଚ୍ଛା ବିନା କୌଣସି ବି କାର୍ଯ୍ୟ ସମ୍ଭବ ନୁହେଁ।  କରୋନା ଭାଇରସ ବି ମହାପ୍ରଭୁଙ୍କ  ଇଚ୍ଛା ଆଗରେ ପ୍ରତିବନ୍ଧକ ଛିଡ଼ା କରିପାରିବ ନାହିଁ ।  କରୋନା ମହାମାରୀ ସତ୍ତ୍ବେ ଅଟକିବ ନାହିଁ ମହାପ୍ରଭୁଙ୍କ ରଥନିର୍ମାଣ । କେନ୍ଦ୍ର ସରକାର ଆଜି ଏଥିପାଇଁ ଅନୁମତି ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଅନୁମତି ପରେ ଏବେ ରଥ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି । ଆହୁରି ମଧ୍ୟ ରଥଯାତ୍ରା ନିଷ୍ପତ୍ତି ମଧ୍ୟ ରାଜ୍ୟସରକାରଙ୍କ ଉପରେ ଛାଡ଼ିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥନିର୍ମାଣ ସଂପର୍କିତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡ଼ାଯାଇଥିଲେ  ମଧ୍ୟ ରାଜ୍ୟ ସରକାର ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ଛାଡ଼ିଥିଲେ।

ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ରଥ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆବଶ୍ୟକ ସମସ୍ତ ଗାଇଡଲାଇନ ପାଳନ କରି ରଥ ନିର୍ମାଣ କରାଯାଇପାରିବ । ତେବେ ରଥଖଳାରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଲୋକମାନେ ଜମା ହୋଇ ରଥନିର୍ମାଣ କାର୍ଯ୍ୟ ଦେଖିପାରିବେ ନାହିଁ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖି ଜଣାଇଛି ଗୃହ ମନ୍ତ୍ରାଳୟ ।

ଆହୁରି ମଧ୍ୟ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବେ । ସେତେବେଳର ସ୍ଥିତିକୁ ଦେଖି ରାଜ୍ୟ ସରକାର ରଥଯାତ୍ରା ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମନ୍ତ୍ରାଳୟ କହିଛନ୍ତି ।
ରଥନିର୍ମାଣରେ ବିଳମ୍ବ ପରେ ଏ ବର୍ଷ ରଥନିର୍ମାଣ ହୋଇପାରିବ ନାହିଁ ବୋଲି ବିଶ୍ୱକର୍ମା ଓ ସେବାୟତମାନେ ଆଶଙ୍କା ପ୍ରକାଶ କରିବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର