କୂଅରେ କଇଁଛ ଧରିବାକୁ ଯାଇ… ବାପ-ପୁଅ, ଜ୍ବାଇଁ ମୃତ

ବିନିକା: କଇଁଛ ଧରିବାକୁ ଯାଇ ଏକ ପରିତ୍ୟକ୍ତ କୂଅ ଭିତରେ ଅଣନିଃଶ୍ୱାସୀ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା କୁହିବାହାଲ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ; କୁହିବାହାଲ ଗାଁର ସାଧୁ କାଲସେ (୫୫ବର୍ଷ), ତାଙ୍କ ପୁଅ ଆଲୋକ କାଲସେ (୨୦ବର୍ଷ) ଏବଂ ଜ୍ବାଇଁ ସୁଲେଇ ଗାଁର ନବୀନ ମଟାରୀ (୩୨ବର୍ଷ)। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କୁହିବାହାଲ ନିକଟ ଆନନ୍ଦପୁରର ଏକ ପରିତ୍ୟକ୍ତ କୂଅରେ କଇଁଛ ଥିବା ସାଧୁ ‌ଦେଖିବାକୁ ପାଇଥିଲେ। ମଙ୍ଗଳବାର ଦିନ ସେ କଇଁଛ ଧରିବାକୁ କୂଅକୁ ପଶିଥିଲେ।

କିନ୍ତୁ ସେ ଆଉ ବାହାରକୁ ବାହାରି ପାରିନଥିଲେ। ଫଳରେ ପୁଅ ଆଲୋକ ଏବଂ ଜ୍ୱାଇଁ ନବୀନ ପୁଣି କୂଅ ଭିତରକୁ ପଶିଥିଲେ। ସେମାନେ ବି ବାହାରି ନଥିଲେ। କୌଣସିମତେ ଖବର ପାଇ କିଛି ଲୋକ ସେଠାରେ ପହଞ୍ଚି ଥିଲେ। ସେମାନଙ୍କ ମଧ୍ୟରୁ ଗୁପ୍ତେ କାଲସେ ଏହି ୩ ଜଣଙ୍କୁ ଉଦ୍ଧାର କରିବାକୁ କୂଅକୁ ପଶିଯାଇଥିଲେ। ମାତ୍ର ସେ ଅଣନିଃଶ୍ବାସୀ ଅନୁଭବ କରିବାରୁ ପାଖରେ ଥିବା ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ଖବର ପାଇ ବିନିକା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସାଧୁ, ଆଲୋକ ଓ ନବୀନଙ୍କୁ କୂଅରୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ତେବେ, ରାତି ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ। ବୁଧବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି। ରାମପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର