ଧର୍ମଶାଳା: ସାହିତ୍ୟରେ ଶବ୍ଦ ପ୍ରତି ଅଙ୍ଗୀକାର ଥାଏ। ବିବେକାନନ୍ଦଙ୍କ ଶବ୍ଦରେ କି ଶକ୍ତି ଥିଲା ଯେ ଆମେରିକାର ଲୋକମାନେ ସ୍ତମ୍ଭୀଭୂତ ହୋଇଗଲେ। ସାହିତ୍ୟ ବ୍ୟାକରଣ ଉପରେ ଗୁରୁତ୍ବ ଦିଏନାହିଁ। ଭାବ ଉପରେ ଗୁରୁତ୍ବ ଦିଏ। ଭାଙ୍ଗିଯାଇଥିବା, ମଉଳି ଯାଇଥିବା ମଣିଷ ମନରେ ସାହିତ୍ୟ ଆଶା ସଂଚାର କରେ। ସାହିତ୍ୟର ଦୃଷ୍ଟିଭଙ୍ଗୀ ଶାଣିତ। ମଣିଷକୁ ତାହା ରୂପାନ୍ତରିତ କରିପାରେ। ଶରାବକୁ ନେଇ ଗାଲିବ୍, ସଇଦ୍‌ ଜାଫ୍ରି, ଇକ୍‌ବାଲ, ହରିବଂଶରାୟ ବଚ୍ଚନ କବିତା ଲେଖିଛନ୍ତି। ପ୍ରତ୍ୟେକଙ୍କର ଦୃଷ୍ଟିଭଙ୍ଗୀ ସ୍ବତନ୍ତ୍ର ବୋଲି ଗୋକର୍ଣ୍ଣିକା ସାହିତ୍ୟ ସମାଜର ବିଷୁବ ମିଳନ ଉତ୍ସବକୁ ଉଦ୍‌ଘାଟନ କରି ସମ୍ବାଦ ସଂପାଦକ (ଫିଚର) ତଥା କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ତଳୀ ଆବାହକ ଡ. ଗୌରହରି ଦାସ କହିଛନ୍ତି।

Advertisment

ଧର୍ମଶାଳା ବ୍ଲକ୍ ଜାରକା କଳ୍ପତରୁ ଦାସ ଷ୍ଟାଡିୟମ୍ ପରିସର ଇନ୍‌ଡୋର ହଲ୍‌ରେ ଆୟୋଜିତ ସାରସ୍ବତ ସମାରୋହ, ପୁସ୍ତକ ଉନ୍ମୋଚନ, ଗୋକର୍ଣ୍ଣିକା ବିଷୁବ ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ଦାସ ଆହୁରି କହିଥିଲେ ଯେ ଈର୍ଷା ସବୁ ସମୟରେ ଥିଲା, ଏବେ ବି ଅଛି। ଆମ ସାହିତ୍ୟର ଲେଖକମାନେ ବେଶି ଈର୍ଷା କରୁଛନ୍ତି କହିଲେ ଭୁଲ୍ ହେବ। ଯେଉଁ ଗଛର ଉଚ୍ଚତା ବଢ଼େ, ତା’ର ଛାଇ ମଧ୍ୟ ସେତିକି ବଢ଼େ। ମଣିଷର ବୟସ ବଢ଼ିଲେ ସେ ବୁଢ଼ା ହୁଏ। ଅନୁଷ୍ଠାନର ବୟସ ବଢ଼ିଲେ ବଡ଼ ହୁଏ। ଯୁବ ଲେଖକ ଲେଖିକାମାନେ ଅସଲି କଥା ଲେଖନ୍ତୁ ଯାହାଦ୍ବାରା କାନ୍ଦୁରା ମଣିଷ ମୁହଁରେ ହସ ଫୁଟି ପାରିବ ବୋଲି ମୁଖ୍ୟଅତିଥି ଡ. ଦାସ କହିଥିଲେ।

ଅନୁଷ୍ଠାନର ସଭାପତି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସମାରୋହରେ ବରେଣ୍ୟ ଅତିଥିଭାବେ ପ୍ରଫେସର ଡ. ବିଜୟାନନ୍ଦ ସିଂହ ଯୋଗଦେଇ କହିଥିଲେ, ସାହିତ୍ୟ ସଂପ୍ରୀତି ଓ ସମନ୍ବୟର କଥା କୁହେ। ସାରଳା ଦାସ, ଜଗନ୍ନାଥ ଦାସ, ଭୀମଭୋଇ କାଳଜୟୀ। ଓଡିଶା ଏପରି ଏକ ରାଜ୍ୟ ଯେଉଁଠି ପୁସ୍ତକର ଜନ୍ମଦିନ ପାଳନ କରାଯାଏ। ଭାଗବତ ନିତ୍ୟ ବନ୍ଦନୀୟ କାବ୍ୟ ବୋଲି ଡ. ସିଂହ କହିଥିଲେ। ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଡ. ବିଜୟ କୁମାର ଶତପଥୀ ଯୋଗଦେଇ ଗୋକର୍ଣ୍ଣିକା ସାହିତ୍ୟ ସମାଜ ଗ୍ରାମାଞ୍ଚଳରେ ଜନ୍ମ ହୋଇଥିଲେ ବି ସମୟକ୍ରମେ ସହରଯାଏ ବିସ୍ତାରିତ ହୋଇପାରିଛି ବୋଲି କହିଥିଲେ।

ସମ୍ପାଦକ ମହେଶ୍ବର ପାଢ଼ୀ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକାରୀ ସଭାପତି ଡ. ରୁଦ୍ର ନାରାୟଣ ପୃଷ୍ଟି ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଗୋକର୍ଣ୍ଣିକା ବିଷୁବ ସଂଖ୍ୟା ଓ ଅଧ୍ୟାପକ ପ୍ରଶାନ୍ତ ସାହୁଙ୍କ ‘ପୁସ୍ତକ ଜାତୀୟ କବି ବାଞ୍ଛାନିଧି ଦାସ’ ଉନ୍ମୋଚିତ ହୋଇଥିଲା। କବି ହେମନ୍ତ କୁମାର ସ୍ବାଇଁ, ଦୟାନିଧି ନାୟକ, ଡ. ରବି ନାରାୟଣ ସାହୁ, ଡ. ନାରାୟଣ ମହାଳିକ ଓ ଡ. ନାରାୟଣ ପଣ୍ତାଙ୍କୁ ଗୋକର୍ଣ୍ଣିକା ବିଷୁବ ସମ୍ମାନ ପ୍ରଦାନ କରାଯାଇଥିଲା। ଗାୟତ୍ରୀ ନାୟକ ମାନପତ୍ର ପାଠ କରିଥିଲେ। ଉପସଭାପତି ଡ. ତୁହିନାଂଶୁ ରଥ ଧନ୍ୟବାଦ ଦେଇଥିଲେ। ଦ୍ବିତୀୟ ଅଧିବେଶନରେ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ କବି ଡ. ଗୌତମ ଜେନା ସଭାପତିତ୍ବ କରିଥିଲେ। ଅତିଥି ଭାବେ କବି ଡ. ରଞ୍ଜିତା ନାୟକ ଓ ଡ. ନାରାୟଣ ପଣ୍ତା ଯୋଗ ଦେଇଥିଲେ। କବିତାଗୁଡିକୁ କବି ଡ. ପ୍ରଜ୍ଞାପ୍ରବର୍ତ୍ତିକା ଦାଶ ଓ ଲୋପାମୁଦ୍ରା ଜେନା ସଂଯୋଜନା କରିଥିଲେ। ନିମନ୍ତ୍ରିତ କବିମାନେ କବିତା ପାଠ କରିଥିଲେ।