ଯାଜପୁର: ଯାଜପୁର ଜିଲ୍ଲାର ଖଣି ଓ ଶିଳ୍ପାଞ୍ଚଳରେ ଭୟଙ୍କର ପ୍ରଦୂଷଣ ସ୍ଥିତି। ଜନବସତି ନିକଟରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନ ପାଇଁ ଲୋକେ ପ୍ରଦୂଷିତ ଜଳ ଓ ବାୟୁ ପ୍ରଭାବରେ କିଡ୍ନି, ଶ୍ବାସ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ଜୀବନ ହରାଉଛନ୍ତି। ଦାନଗଦୀ ବ୍ଲକ୍ ଚାନ୍ଦିଆ ପଞ୍ଚାୟତ ଅନ୍ତର୍ଗତ ଗୋଲାଗାଁର ଲୋକେ ପ୍ରଦୂଷଣର ବିଷ ବଳୟରେ ଛଟପଟ ହେଉଛନ୍ତି। ଏଠାରେ ୫ବର୍ଷରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ରୋଗାକ୍ରାନ୍ତ ହୋଇଛନ୍ତି। ସରକାରୀ ଭାବେ ଗତବର୍ଷ ୩୫ଜଣ କିଡ୍ନି ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏତେସବୁ ପରେ ବି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଚୁପ୍ ବସିଛି।
ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗଢ଼ିଉଠିଛି ଅନେକ ପ୍ରଦୂଷଣକାରୀ ଶିଳ୍ପାନୁଷ୍ଠାନ। ଦାନଗଦୀ ବ୍ଲକ୍ର ଚାନ୍ଦିଆ ପଞ୍ଚାୟତର ଗୋଲାଗାଁ ଗ୍ରାମକୁ ଘେରିରହିଛନ୍ତି ଏକାଧିକ ପ୍ରଦୂଷଣକାରୀ କ୍ରୋମାଇଟ୍ ୱାସିଂପ୍ଲାଣ୍ଟ, ପିଚୁ ପ୍ଲାଣ୍ଟ। ଏହି ୱାସିଂପ୍ଲାଣ୍ଟ ଏବଂ ପିଚୁ କାରଖାନା ଦ୍ବାରା ଉଭୟ ଜଳ ଏବଂ ବୟୁ ପ୍ରଦୂଷିତ ହେଉଛି। ଏହାସହ ନିକଟସ୍ଥ ଷ୍ଟିଲ୍ କାରଖାନାର ଦୂଷିତ ଜଳ ଓ ବାୟୁ ସ୍ଥାନୀୟ ଅଞ୍ଚଳକୁ ମୃତ୍ୟୁଯନ୍ତାରେ ପରିଣତ କରିଛି। ଏହି ଗ୍ରାମରେ ଅଛନ୍ତି ୧୫୦ପରିବାର। ଲୋକସଂଖ୍ୟା ୮୦୦ରୁ ଅଧିକ। ଏଠାରେ ୫ବର୍ଷ ମଧ୍ୟରେ ୩୦ଜଣ କିଡ୍ନି, କ୍ୟାନସର ଓ ଶ୍ବାସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ସରକାରୀ ଭାବରେ ୩୫ ଜଣ କିଡ୍ନି ରୋଗରେ ଆକ୍ରାନ୍ତ ବୋଲି ଗତବର୍ଷ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତଥ୍ୟ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ମନ୍ମଥ ନଟିଆ, ଶ୍ୟାମସୁନ୍ଦର ନଟିଆ, କୁଳମଣି ଖଟୁଆ, ବୃନ୍ଦାବନ ବେହେରା, ଶୁକୁଟା ଖଟୁଆ, ଅଲ୍ଲୀ ଖଟୁଆ, ଦୁଶାସନ ପଲେଇ, ନଟବର ବେହେରା, କାଳନ୍ଦୀ ମଲ୍ଲିକ, ଧନେଶ୍ୱର ନାଏକ,ଅଶୋକ ପେଣ୍ଟାଲ, ଧନେଶ୍ୱର ପିଙ୍ଗୁଆ ଓ କଲାରି ବେହେରା ପ୍ରମୁଖ ରୋଗାକ୍ରାନ୍ତ ଥିବା ଚିହ୍ନଟ କରାଯାଇଥିଲା। ଗତବର୍ଷ ହିଁ ମନ୍ମଥ ନଟିଆ, କୁଳମଣି ଖଟୁଆ, ଶତ୍ରୁଘନ ମଲିକ, ଅଜୟ ମଲିକ, ମଳୟ ମଲିକ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ଗୋଲାଗାଁ ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ବେଆଇନ ପିଚୁ କାରଖାନାକୁ ତୁରନ୍ତ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି।