ଝରକା ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଓ ୩୦ ହଜାର ଟଙ୍କା

ବିଂଝାରପୁର: ଯାଜପୁର ବିଂଝାରପୁର ଥାନା ହଳଦିଡିହ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ରୀତାରାଣୀ ଗୁରୁଙ୍କ ଘରର ଝରକା ଭାଙ୍ଗି ଗତକାଲି ବିଳମ୍ଵିତ ରାତିରେ କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଚୋରି କରିନେଇଛନ୍ତି। ଏନେଇ ରୀତାରାଣୀଙ୍କ ସ୍ଵାମୀ ବାଳକୃଷ୍ଣ ଗୁରୁ ଅଳକୁଣ୍ଡ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଫାଣ୍ଡି ଅଧିକାରୀ ଗଣେଶଚନ୍ଦ୍ର ଘଡ଼ାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ବି ଦୁର୍ବୃତ୍ତ ଧରାପଡ଼ିନାହାନ୍ତି।

ଏ ସଂକ୍ରାନ୍ତରେ ବିଂଝାରପୁର ପୁଲିସ ୯୭/୨୧ରେ ଏକ ମାମଲା ରୁଜୁ କରିଛି। ଗତକାଲି ରାତିରେ ପରିବାର ଲୋକେ ଖାଇସାରି ଶୋଇଥିଲେ। ବିଳମ୍ବିତ ରାତିରେ ଘର ପଛପଟ ଝରକା ଭାଙ୍ଗି କେହି ଦୁର୍ବୃତ୍ତ ପଶିବା ପରେ ଦୁଇଟି ଆଟାଚି ନେଇଯାଇଥିଲେ। ସେଥିରେ ଥିବା ୨ଟି ସୁନା ଚେନ୍, ଗୋଟିଏ ମୁଦି, ୨ହଳ କାନ ଫୁଲ ଓ ହଳେ ରୁପା ପଟି ସମେତ ୩୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ଆଟାଚିକୁ ବିଲରେ ଫୋପାଡ଼ି ଦେଇ ଯାଇଥିଲେ, ଯାହା ଆଜି ସକାଳେ ମିଳିଛି। ଏ ବିଷୟରେ ରାତିରେ କେହି ଜାଣି ପାରି ନଥିଲେ।

ବାଳକୃଷ୍ଣ ସକାଳେ ଉଠି ଦେଖନ୍ତି ତ ଘର ଝରକା ଭାଙ୍ଗାଯାଇଛି। ଦୁଇଟି ଆଟାଚି ନଥିଲା। ପରେ ଏଣେତେଣେ ଖୋଜାଖୋଜି କରିବାରୁ ବିଲରେ ଆଟାଚି ଭଙ୍ଗାହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ, କିନ୍ତୁ ଟଙ୍କା ସୁନା ଆଦି ନଥିଲା। ଏନେଇ ସେ ଅଳକୁଣ୍ଡ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ବିଂଝାରପୁର ଥାନା ଆଇଆଇସି ନିରଂଜନ ଶବର ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି। ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିବାକୁ ବାଳକୃଷ୍ଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର