ଶକ୍ତି ଉତ୍ତୋଳନରେ ଗୁରୁଶିଷ୍ୟଙ୍କୁ ସ୍ବର୍ଣ୍ଣ ଓ ରୌପ୍ୟପଦକ

ଚଣ୍ଡିଖୋଲ: କୋଲକାତା ଠାରେ ଅନୁଷ୍ଠିତ ସର୍ବଭାରତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବାଲିଚନ୍ଦ୍ରପୁର ଅଞ୍ଚଳର ଗୁରୁ ଶିଷ୍ୟ ଗୌବର ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ନାନପୁରପଟଣା ଗ୍ରାମର ଗୁରୁ ଦିବ୍ୟାଙ୍ଗ ଜ୍ଞାନ ରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ଓ ବାଲିଚନ୍ଦ୍ରପୁର ନିକଟ ପଣସପୁର ଗ୍ରାମର ତାଙ୍କ ଶିଷ୍ୟ ଶୁଭାଶିଷ ସାହୁ ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି। ସୂଚନା ମୁତାବକ, ଗତ ୨୪ ତାରିଖରେ ୱାଲର୍ଡ ପାୱାର ଲିଫ୍ଟଟିଂ ଇଣ୍ଡିଆ ପକ୍ଷରୁ କୋଲକାତାର ପାର୍ବତୀ ଟକିଜ ପରିସରରେ ସର୍ବଭାରତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଭିନ୍ନ ରାଜ୍ୟର ୩୫ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୯ ବର୍ଷୀୟ ଜ୍ଞାନରଞ୍ଜନ ୧୨୫ କିଲୋଗ୍ରାମ ଶକ୍ତି ଉତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହାପୂର୍ବରୁ ଜ୍ଞାନରଞ୍ଜନ ଦୁଇଥର ଜାତୀୟ ଓ ଚାରିଥର ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଭାଗନେଇ ସ୍ଵର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ବିଭିନ୍ନ ରାଜ୍ୟର ୨୫ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶୁଭାଶିଷ ୪୫୦ କିଲୋଗ୍ରାମ ଶକ୍ତି ଉତ୍ତୋଳନ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଶୁଭାଶିଷ ଏହା ପୂର୍ବରୁ ଶକ୍ତି ଉତ୍ତୋଳନର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର