ରାୟଗଡା: ରାୟଗଡ଼ା ପୁଲିସକୁ ପୁଣି ଚ୍ୟାଲେଞ୍ଜ ଦେଲେ ଦୁର୍ବୃତ୍ତ। ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ରାସ୍ତାରେ ଜଣଙ୍କ ଘରୁ ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ କଳାକନା ବୁଲାଇଛନ୍ତି। ଉକ୍ତ ଘରୁ ପ୍ରାୟ ୪୦୦ ଗ୍ରାମ ସୁନା, ୩୦୦ ଗ୍ରାମ ରୁପା ଏବଂ ୩୯ହଜାର ନଗଦ ଟଙ୍କା ଚୋରି ହୋଇଥିବା ଘର ମାଲିକ ସୌରଭ ଫୁନ୍ଦନାନି ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ ସୋମବାର ରାତିରେ ସୌରଭ ଓ ତାଙ୍କ ମା’ ସୀମା ଫୁନ୍ଦନାନି ଘର ଝରକା, କବାଟ ବନ୍ଦ କରି ଶୋଇପଡ଼ିଥିଲେ। ତେବେ ବିଳମ୍ବିତ ରାତିରେ ଘରେ କେହି ପଶି ଚୋରି କରିଥିବା ସକାଳୁ ଜାଣିବାକୁ ପାଇଥିଲେ। ଏନେଇ ଥାନାରେ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସୌରଭ ଓ ତାଙ୍କ ମାଆ ଏକ ରୁମ୍‌ରେ ଶୋଇଥିବା ବେଳେ ଚୋର ଘର ପାଚେରୀ ଭିତରେ ପଶି ପାଶ୍ୱର୍ରେ ଥିବା ଏକ ଝରକା ତାଡି ଘର ଭିତରେ ପଶି ଚୋରି କରିଛନ୍ତି। ଉକ୍ତ ରୁମ୍‌ର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ସ୍ଥାନରେ ରଖାଯାଇଥିବା ସୁନା ଓ ରୁପା ଅଳଙ୍କାର ସହିତ ନଗଦ ୩୯ ହଜାର ଟଙ୍କା ଚୋରି କରିନେଇଛନ୍ତି। ସୌରଭଙ୍କ ମା’ କହିବାନୁସାରେ, ତାଙ୍କ ହାତର ଦୁଇଟି ଚୁଡ଼ି ଯାହାର ଓଜନ ପ୍ରାୟ ୪୦ ଗ୍ରାମ ଏହାସହିତ ପ୍ରାୟ ୪୦୦ ଗ୍ରାମରୁ ଊର୍ଦ୍ଧ୍ବ ସୁନା ଚୋରି ହୋଇଛି।

ସେହିପରି ଘରେ ଥିବା ୩୧ଟି ରୁପା କଏନ ଯାହାର ଓଜନ ପ୍ରାୟ ୩୦୦ ଗ୍ରାରୁ ଊର୍ଦ୍ଧ୍ବ ହେବ ତାହା ମଧ୍ୟ ଚୋରି ହୋଇଥିବା ସୀମା ସୂଚନା ଦେଇଛନ୍ତି। ଏସଡିପିଓ ଦେବଜ୍ୟୋତି ଦାସ, ନୂତନ ଆଇଆଇସି କେକେବିକେ କହଁର ପୁଲିସ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନୀ କୁକୁର ସହାୟତାରେ ଛାନଭିନ୍ ଆରମ୍ଭ କରିଥିଲେ।ସନ୍ଧାନୀ କୁକୁର ଘରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟ୍ ଭିତରେ ପଶି ଅନ୍ୟ ପଟେ ରହିଥିବା ଗେଟ୍ ଦେଇ ବାହାରକୁ ବାହାରିଥିଲା। ଏହାପରେ ତେଜସ୍ୱୀ ହୋଟେଲ ସମ୍ମୁଖରେ ରହିଥିବା ପଡ଼ିଆକୁ ଯାଇଥିଲା ସନ୍ଧାନୀକୁକୁର।ସେଠାରେ ବାହାର ରାଜ୍ୟରୁ ଆସିଥିବା ବୁଲା ବିକାଳି ବସିଥିବା ସ୍ଥାନ ପାଖକୁ ଯାଇ କୁକୁର ଅଟକି ରହିଗଲା। ଉକ୍ତ ସ୍ଥାନଟି ଚୋରି ହୋଇଥିବା ଘର ପଛପାର୍ଶ୍ୱ ଅଞ୍ଚଳ ବୋଲି ଜଣାପଡିଛି।

ତେବେ ପୁଲିସ ଉକ୍ତ ବୁଲା ବିକାଳିଙ୍କ ଉପରେ ସନ୍ଦେହ କରି ସେମାନଙ୍କ ଜିନିଷ ପତ୍ର ଯାଞ୍ଚ କରିଥିଲେ ମଧ୍ୟ କୌଣସି ପତ୍ତା ମିଳିଲା ନାହିଁ । ବର୍ତ୍ତମାନ ତଦନ୍ତ ଚାଲୁ ରହିଛି। ତେବେ ଆଶ୍ଚର୍ଯ୍ୟର ଘଟଣା ହେଲା ଉକ୍ତ ଚୋରି ହୋଇଥିବା ଘର ଏସପିଙ୍କ କାର୍ଯ୍ୟାଳୟଠାରୁ ୧୦୦ ମିଟର ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ୫୦ ମିଟର ଦୂରରେ ଅବସ୍ଥିତ। ତାପରେ ପୁଣି ସନ୍ଧାନୀ କୁକୁରକୁ ଅନୁଧ୍ୟାନ କରାଗଲେ ଦେଖିବାକୁ ମିଳୁଛି ଯେ, ଚୋରି କରିବା ପରେ ଚୋର ଗ୍ୟାଙ୍ଗ ଜିଲାପାଳ କାର୍ଯ୍ୟାଳୟ ଭିତର ଦେଇ ଅନ୍ୟ ଆଡ଼େ ଗତି କରୁଛନ୍ତି। ଯଦି ଜିଲ୍ଲାପାଳ ଓ ପୁଲିସ କାର୍ଯ୍ୟାଳୟ ନିକଟସ୍ଥ ଅଞ୍ଚଳ ସୁରକ୍ଷିତ ନୁହେଁ, ତେବେ ଜିଲ୍ଲାରେ ଜନସାଧାରଣ କେତେ ସୁରକ୍ଷିତ ତାହା ଏଥିରୁ ଜଣାପଡ଼ୁଛି।