ବିମାନ ବନ୍ଦରରୁ ପୁଣି ସୁନା ଜବତ

ମଳଦ୍ୱାରରେ ରଖିଥିଲେ ୧୫ଖଣ୍ଡ ସୁନା
ବଜାର ମୂଲ୍ୟ ୩୫ଲକ୍ଷ
ମାର୍ଚ୍ଚରେ ୪ଥର ଧରାହେଲାଣି

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ୧୧୪୩.୭୮ଗ୍ରାମର ୧୫ଟି ସୁନା ଖଣ୍ଡ ଜବତ ହୋଇଛି। ବିମାନବନ୍ଦରରୁ ସୁନା ଜବତ ହେବାର ୨୪ଘଣ୍ଟା ମଧ୍ୟରେ କଷ୍ଟମ୍‌ସ ଟିମ୍‌ ଟି-୨ ଟର୍ମିନାଲରେ ଯାତ୍ରୀଙ୍କ ଚେକିଂ ସମୟରେ ଏହି ସୁନାଖଣ୍ଡଗୁଡ଼ିକୁ ଜବତ କରିଛି। ଏହାର ବଜାର ମୂଲ୍ୟ ୩୪ଲକ୍ଷ ୯୦ହଜାର ୮୧୬ଟଙ୍କା ହେବ ବୋଲି ବିଜୁ ପଟ୍ଟନାୟକ ବିମାନବନ୍ଦରର ଆସିଷ୍ଟାଣ୍ଟ କମିସନର ଅଫ୍‌ କଷ୍ଟମ୍‌ସ ଶଶି ଭୂଷଣ ସୂଚନା ଦେଇଛନ୍ତି। ଚଳିତ ମାର୍ଚ୍ଚ ମାସରେ ଏହାକୁ ମିଶାଇ ୪ ଥର ଚୋରା ସୁନା ଚାଲାଣ ହେଉଥିବାବେଳେ ଜବତ ହେଲାଣି।

କଷ୍ଟମ୍‌ସ ବିଭାଗର ସୂଚନା ଅନୁଯାୟୀ ବୁଧବାର ରାତିରେ ଏୟାର ଏସିଆ ବିମାନରେ ବ୍ୟାଙ୍କକ୍‌ରୁ କ୍ୱାଲାଲମ୍‌ପୁର ହୋଇ ଭୁବନେଶ୍ୱର ଆସିଥିବା ଦୁଇ ଜଣ ଯାତ୍ରୀ ଚୋରା ସୁନା ଚାଲାଣ କରୁଥିବାବେଳେ ଧରାପଡ଼ିଛନ୍ତି। ଏହି ଦୁଇ ଜଣ ପଞ୍ଜାବର ହୋଇଥିବାବେଳେ ସେମାନେ ମଳଦ୍ୱାରରେ ଏହି ସୁନାଖଣ୍ଡଗୁଡ଼ିକୁ ଲୁଚାଇ ରଖିଥିଲେ। ବିମାନରୁ ଅବତରଣ ପରେ ବିମାନବନ୍ଦରର କଷ୍ଟମ୍‌ସ ବିଭାଗର ଗୁଇନ୍ଦା ଟିମ୍‌ର ଏହି ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କର ଯାଞ୍ଚ କରାଯାଇଥିଲା। ସେମାନଙ୍କ ବ୍ୟାଗରୁ କୌଣସି ସୁନା କି ସନ୍ଦେହଜନକ ସାମଗ୍ରୀ ମିଳି ନଥିଲେ ହେଁ ସେମାନଙ୍କର ଶରୀର ଚେକିଂ ସମୟରେ ଅସହଯୋଗ କରିବାରୁ ଅଧିକାରୀଙ୍କର ସନ୍ଦେହ ବଢ଼ିଥିଲା। ଏହାପରେ ଦୁଇ ଯାତ୍ରୀଙ୍କୁ ସ୍ୱତନ୍ତ୍ର ରୁମ୍‌କୁ ନେଇ ସଂପୂର୍ଣ୍ଣ ଉଲଗ୍ନ କରି ଯାଞ୍ଚ କରିବା ବେଳେ ମଳଦ୍ୱାରରେ ସୁନାକୁ ଲୁଚାଇ ରଖିଥିବା ଜଣାପଡ଼ିଥିଲା। ସୁନା ଉପରେ କଳା ରଙ୍ଗର ଆଡେସିଭ୍‌ ଗୁଡ଼ାଇ ଏହାକୁ ମଳଦ୍ୱାରରେ ଥାପି ଦିଆଯାଇଥିଲା। ଜଣଙ୍କର ମଳଦ୍ୱାରରୁ ୭ଟି ଓ ଅନ୍ୟ ଜଣଙ୍କ ମଳଦ୍ୱାରରୁ ୮ଟି ସୁନା ଖଣ୍ଡ ଜବତ ହୋଇଛିା। ଏହାକୁ ସେ କେଉଁ ଉଦ୍ଦେଶ୍ୟରେ ଆଣୁଥିଲେ, କେଉଁଠୁ ଆଣିଥିଲେ ଓ କେଉଁଠିକୁ ନେଇଥାନ୍ତେ ସେନେଇ ପଚରାଉଚରା କରୁଛୁ।

କଷ୍ଟମ୍‌ସ ବିଭାଗର ସୂଚନା ଅନୁଯାୟୀ ଏହି ସୁନା ଖଣ୍ଡଗୁଡ଼ିକର ଓଜନ ୭୦ରୁ ୮୦ଗ୍ରାମ୍‌ ଭିତରେ ଅଛି। ବର୍ତମାନ ସୁଦ୍ଧା ୫ମାସ ଭିତରେ ୩୨୯୦.୮୪ ଗ୍ରାମର ସୁନା ଜବତ ହେଲାଣି। ଯାହାର ବଜାର ମୂଲ୍ୟ ପ୍ରାୟ ୧କୋଟି ୭ଲକ୍ଷ ଟଙ୍କା ହେବ। ଚଳିତମାସରେ ହଠାତ୍‌ ଚୋରା ସୁନା ଚାଲାଣ ବଢ଼ିଯିବା ଆମକୁ ସନ୍ଦେହ ଲାଗୁଛି। ତେଣୁ ଏବେ ଚେକିଂ କଡ଼ାକଡ଼ି କରାଯାଉଛି। ପ୍ରତ୍ୟେକ ଯାତ୍ରୀଙ୍କୁ ଯାଞ୍ଚ କରାଯାଉଥିବାବେଳେ ଯାହାକୁ ସନ୍ଦେହ ହେଉଛି ତାଙ୍କୁ ସଂପୂର୍ଣ୍ଣ ଉଲଗ୍ନ କରି ଯାଞ୍ଚ କରୁଛୁ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ନଭେମ୍ବର ୧୩ ତାରିଖରେ ୬୬୧.୫୩ ଗ୍ରାମର ସୁନା ଜବତ ହୋଇଥିବାବେଳେ ମାର୍ଚ୍ଚ ୫ରେ ୬୦୭.୧୬୦ ଗ୍ରାମର ସୁନା ଖଣ୍ଡ, ମାର୍ଚ୍ଚ ୧୦ରେ ୬୬୧.୫୩ ଗ୍ରାମର, ମାର୍ଚ୍ଚ ୨୭ରେ ୩୭୮.୩୭୦ଗ୍ରାମର ସୁନା ଜବତ ହୋଇଛି।

ସମ୍ବନ୍ଧିତ ଖବର