ଅକ୍ଷୟ ତୃତୀୟାରେ ସୁନା ବେପାର ମାନ୍ଦା

ଭୁବନେଶ୍ବର: ଆଜି ଥିଲା ଅକ୍ଷୟ ତୃତୀୟା। ଏହି ଦିନ ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏହି ବିଶ୍ବାସ ଲୋକଙ୍କ ମନରେ ରହିଛି। ତେଣୁ ଅକ୍ଷୟ ତୃତୀୟାକୁ ଉଭୟ ସୁନା ବ୍ୟବସାୟୀ ଓ ଗ୍ରାହକ ଅପେକ୍ଷା କରି ରହିଥାନ୍ତି। ସୁନା ସୋ’ରୁମ୍ ଗୁଡ଼ିକ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବହୁ ପୂର୍ବରୁ ଏକାଧିକ ଲୋଭନୀୟ ଅଫର ମଧ୍ୟ ଗତବର୍ଷ ଗୁଡ଼ିକ ଭଳି ଘୋଷଣା କରିଥିଲେ। ସୁନା,ରୁପା, ହୀରା, ପ୍ଲାଟିନମ ଆଦି ଧାତୁରେ ଭଳିକି ଭଳି ଗହଣାମାନ ଗ୍ରାହକଙ୍କ ରୁଚି ଅନୁଯାୟୀ ପ୍ରସ୍ତୁତ କରିବା ସହ ଅନେକ ନୂଆ ସୋ’ରୁମ୍ ଖୋଲିଥିଲେ। ସୁନ୍ଦର ତୋରଣ ଏବଂ ଆକର୍ଷଣୀୟ ଆଲୋକମାଳାରେ ସୋ’ରୁମ୍ ଗୁଡ଼ିକୁ ସଜାଇଥିଲେ। ବିଜ୍ଞାପନ ବି ବହୁଳମାତ୍ରାରେ କରିଥିଲେ। ଗତବର୍ଷ ଅକ୍ଷୟ ତୃତୀୟା ତୁଳନାରେ ସୁନା ଦର ସେତେଟା ଅଧିକ ବି ନଥିଲା। କିନ୍ତୁ ଓଡ଼ିଶାକୁ ଛିନଭିନ୍ କରିଦେଇଥିବା ସାମୁଦ୍ରିକ ଝଡ଼ ଫନି ଆଜି ଅକ୍ଷୟ ତୃତୀୟାରେ ସୁନା ବେପାରକୁ ଫିକା କରିଦେଇଛି। ବାତ୍ୟା ଯୋଗୁ ଭୁବନେଶ୍ବର, କଟକ ଏବଂ ପୁରୀ ଆଦି ସହରରେ ଏପର୍ଯ୍ୟନ୍ତ ବିଜୁଳି ସଂଯୋଗ ଆସିନାହିଁ। ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦିର ରାସ୍ତା ମଧ୍ୟ ଅନ୍ଧାରରେ ରହିଛି। ଅଧିକାଂଶ ଲୋକେ ଏପର୍ଯ୍ୟନ୍ତ ପୂର୍ବଭଳି ପିଇବା ପାଣି ମଧ୍ୟ ପାଇ ପାରିନାହାନ୍ତି। ଏଥିଯୋଗୁ ଲୋକଙ୍କ ମଧ୍ୟରେ ସୁନା କିଣିବାର ଉତ୍ସାହ ସେତେଟା ନାହିଁ।

ରାଜଧାନୀର ସୋ’ରୁମ୍ ଗୁଡ଼ିକ ସକାଳୁ ଯଦିଓ ଖୋଲି ଥିଲା ବିଗତ ବର୍ଷର ଅକ୍ଷୟ ତୃତୀୟା ଦିନ ଭଳି ସୁନା ବିକ୍ରି ହୋଇ ପାରିନାହିଁ। ଏବେ ବିବାହ ଋତୁ ଚାଲିଥିବାରୁ ଯେଉଁମାନଙ୍କର ‌ଗହଣା କିଣିବା ଅତି ଜରୁରୀ କେବଳ ସେହିମାନେ ହିଁ ସୋ’ରୁମ୍‌କୁ ଆସି ଗହଣା କିଣାକିଣି କରିଛନ୍ତି। ଅଳ୍ପ କିଛି ଗ୍ରାହକ ଅକ୍ଷୟ ତୃତୀୟା ଦିନର ପବିତ୍ରତାକୁ ଦେଖି ଗହଣା କିଣିଛନ୍ତି ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ତେବେ ଆଜିର ସୁନା ବିକ୍ରି ୧୦୦ କୋଟି ଭିତରେ ରହିବ ବୋଲି ଅନୁମାନ କରାଯାଉଛି। ଏଟିଏମ୍ ବନ୍ଦ ସାଙ୍ଗକୁ ଡିଜିଟାଲ ପେମେଣ୍ଟ ସେବାରେ ଅସୁବିଧା ଚଳିତବର୍ଷ ଅକ୍ଷୟ ତୃତୀୟାରେ ସୁନା କ୍ରୟକୁ କଷ୍ଟଦାୟକ କରିଦେଇଛି। ନଗଦ ଅର୍ଥ ଲୋକମାନେ ଏଟିଏମ୍‌ରୁ ଉଠାଇ ପାରୁ ନଥିବାରୁ କାର୍ଡ ମାଧ୍ୟମରେ କିଣିବାକୁ ଭରସା କରିଥିଲେ। ପିଓଏସ୍ ମେସିନରେ ଯଦିଓ ପେମେଣ୍ଟ କିଛିମାତ୍ରାରେ ହୋଇଥିଲା ତାହା କିନ୍ତୁ ସହଜ ନଥିଲା। ଏଥିଯୋଗୁ ଗ୍ରାହକ ଏବଂ ବ୍ୟବସାୟୀ ଉଭୟ ଅସୁବିଧାରେ ପଡ଼ିଛନ୍ତି।

ରାଜଧାନୀର ଜଣେ ପ୍ରମୁଖ ଗହଣା ବ୍ୟବସାୟୀଙ୍କ କହିବାନୁଯାୟୀ ଗତବର୍ଷ ଭଳି ବ୍ୟବସାୟ ଏବର୍ଷ ହୋଇପାରୁନାହିଁ। ଦିନବେଳେ ଗରମ ଯୋଗୁ ଗ୍ରାହକ ଆସି ନଥିଲେ। ରାତିରେ ରାସ୍ତା ଅନ୍ଧାର ଯୋଗୁ ଗ୍ରାହକ ସୁନା କିଣି ଘରକୁ ଫେରିବାକୁ ନିରାପଦ ମଣିନାହାନ୍ତି। ଭୁବନେଶ୍ବର ସମେତ କଟକ ଏବଂ ବ୍ରହ୍ମପୁରରେ ମଧ୍ୟ ବ୍ୟବସାୟିକ ସ୍ଥିତି ସମାନ ରହିଛି। ରାଜ୍ୟର ପ୍ରମୁଖ ସହର ଗୁଡ଼ିକ ମଧ୍ୟରେ କେବଳ ରାଉରକେଲାରେ ବ୍ୟବସାୟ ସ୍ବାଭାବିକ ରହିଛି ବୋଲି ସେ ମତ ଦେଇଛନ୍ତି। ଜଣେ ପ୍ରମୁଖ ବ୍ୟବସାୟୀଙ୍କ କହିବାନୁଯାୟୀ, ବାତ୍ୟା ଫନି ପ୍ରଭାବରେ ଚଳିତବର୍ଷ ଅକ୍ଷୟ ତୃତୀୟାରେ ବିକ୍ରି ବହୁମାତ୍ରାରେ ପ୍ରଭାବିତ ହୋଇଛି। ବିବାହ, ବ୍ରତ ଓ ଅନ୍ୟାନ୍ୟ ଉତ୍ସବ ପାଇଁ ଯେଉଁମାନଙ୍କର ଜରୁରୀ ସୁନା ଓ ରୁପା ଆଦି ଗହଣା କିଣିବାକୁ ପଡ଼ୁଛି ସେହିମାନେ ହିଁ କେବଳ ସୋ’ରୁମ୍‌କୁ ଆସିଥିଲେ। ଅନ୍ୟ ଜଣେ ପ୍ରମୁଖ ଗହଣା ବ୍ୟବସାୟୀ କୁହନ୍ତି, କେତେକ ଗ୍ରାହକ ଆମମାନଙ୍କ ଉପରେ ବିବାହ ଓ ଅନ୍ୟ ଉତ୍ସବ ଆଦି ପାଇଁ ଆବଶ୍ୟକ ଗହଣା କ୍ରୟ ନିମନ୍ତେ ଭରସା କରି ରହିଥାନ୍ତି। ଗ୍ରାହକଙ୍କ ସେହି ଆବଶ୍ୟକତା ଓ ଭରସାକୁ ପୂରଣ କରିବା ପାଇଁ ଆମେ ସୋ’ରୁମ ଗୁଡ଼ିକ ଖୋଲିଛୁ। ‌ଜେନେରେଟରରେ ସୋ’ରୁମକୁ ଆଲୋକିତ କରିବା ବାବଦରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲେ ମଧ୍ୟ ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ଏହା କରିବାକୁ ପଡ଼ିଛି। ଏହା ସତ୍ତ୍ବେ ବ୍ୟବସାୟ ଫିକା ପଡ଼ିଯାଇଛି। ଗତବର୍ଷ ଅକ୍ଷୟ ତୃତୀୟାରେ ରାଜ୍ୟରେ ପାଖାପାଖି ୫ କୁଇଣ୍ଟାଲ ସୁନା ବିକ୍ରି ହୋଇଥିଲା। ଯାହାର ମୂଲ୍ୟ ପ୍ରାୟ ୧୪୦ କୋଟି ଟଙ୍କା ପାଖାପାଖି ରହିଥିଲା। କିନ୍ତୁ ଚଳିତବର୍ଷ ଏହି ପରିମାଣର ସୁନା ବିକ୍ରି ନେଇ ବ୍ୟବସାୟୀମାନେ ସେତେଟା ଆଶାବାଦୀ ନାହାନ୍ତି। ଭୁବନେଶ୍ବର ବଜାରରେ ମଙ୍ଗଳବାର ପ୍ରମୁଖ ସୁନା ଦୋକାନ ଗୁଡ଼ିକରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୩୨୦୩୦ ଟଙ୍କା ରହିଥିଲା। ସେହିଭଳି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୩୩,୭୦୦ ଟଙ୍କା ଓ ରୁପା ଦର କିଲୋଗ୍ରାମ ପିଛା ୩୮୨୦୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର