ସମ୍ବଲପୁର : ସୁନା ଧୋଇବାକୁ ଆସିଲେ, ଚୁନା ଲଗାଇ ଚାଲିଗଲେ। ରାଜ୍ୟ ବାହାରୁ ଆସୁଥିବା କିଛି ଅସାଧୁ ବ୍ୟକ୍ତି ଲୋକଙ୍କୁ ଠକିବାକୁ ଜାଲ ବିଛାଉଛନ୍ତି। ଲୋକେ ସେମାନଙ୍କ ଚାଲ୍ ବୁଝି ନପାରି ଠକେଇର ଶିକାର ମଧ୍ୟ ହେଉଛନ୍ତି। ଧନୁପାଲି ଥାନା ସର୍ଲାକାନି ଅଞ୍ଚଳରେ ଏଭଳି ଏକ ଘଟଣା ଏବେ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଠକମାନେ ସର୍ଲାକାନିର ଜୟନନ୍ଦ ପ୍ରଧାନ(୬୭)ଙ୍କ ସୁନା ଚେନ୍ ନେଇଯାଇଛନ୍ତି। ଏଭଳି ଠକେଇ ପୂର୍ବରୁ ହୋଇସାରିଥିବା ବେଳେ ପୁଲିସ ଉକ୍ତ ଗ୍ୟାଙ୍ଗ୍ର କିଛି ସଦସ୍ୟଙ୍କୁ ଗିରଫ କରିଥିଲା। ସେମାନେ ଜେଲ୍ରୁ ବାହାରି ସାରିଥିବା ବେଳେ ଏହି ଗ୍ୟାଙ୍ଗ୍ ଏବେ ପୁଣି ସକ୍ରୀୟ ହୋଇଯାଇଥିବା କହାଯାଉଛି।
ସୂଚନାନୁଯାୟୀ, ଠକମାନେ ଲୋକଙ୍କ ସୁନା ଅଳଙ୍କାର ସଫା କରିବାକୁ ବୁଲିବୁଲି ଡାକ ଛାଡ଼ୁଥିଲେ। ବୁଧବାର ଦିନ ୧୧ଟା ସମୟରେ ୨ ଠକ ଜୟନନ୍ଦଙ୍କ ଘରକୁ ଆସିଥିଲେ। ସୁନା ଅଳଙ୍କାର ମଳି ହୋଇଯାଇଥିଲେ, ନୂଆ ଭଳି କରିଦେବୁ ବୋଲି କହିଥିଲେ। ସେମାନଙ୍କ କଥାରେ ବିଶ୍ବାସ କରି ଜୟନାଥ ଏକ ସୁନା ଚେନ୍ ସଫା କରିବାକୁ ଦେଇଥିଲେ। କିଛି ସମୟ ସଫା କରିବା ପରେ ଜୟନାଥଙ୍କୁ ୨ ଠକ ପାଣି ଆଣିବା ପାଇଁ କହିଥିଲେ। ଜୟନାଥ ଘରକୁ ଯାଇ ପାଣି ଆଣିବା ବେଳକୁ ଦୁଇ ଠକ ୨୦ ଗ୍ରାମର ସୁନା ଚେନ୍ ଧରି ଫେରାର୍ ହୋଇଯାଇଥିଲେ। ଖୋଜାଖୋଜି କରି ନ ପାଇବାରୁ ଜୟନାଥ ଏ ନେଇ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏଭଳି ଠକେଇ ସମ୍ବଲପୁରରେ ନୂଆ ନୁହେଁ
ସୁନା ଅଳଙ୍କାର ଧୋଇବା ନାଁରେ ଠକିବା ଘଟଣା ସମ୍ବଲପୁରରେ ନୂଆ ନୁହେଁ। ଏଭଳି ଏକାଧିକ ଠକେଇ ଘଟଣା ସମ୍ବଲପୁରରେ ଘଟିସାରିଛି। ରେଙ୍ଗାଲି ଥାନା ଅଞ୍ଚଳର ଏସ୍ ସାହୁଙ୍କ ସ୍ତ୍ରୀ ଜାନୁଆରି ମାସରେ ଏଭଳି ଠକେଇର ଶିକାର ହୋଇଥିଲେ। ସୁନା ଅଳଙ୍କାର ଧୋଇବା ପାଇଁ କହି ତାଙ୍କ ପାଖରୁ ଦୁର୍ବୃତ୍ତମାନେ ଏକ ସୁନା ଚେନ୍ ଠକି ନେଇଥିଲେ। ଧନୁପାଲି ସହ ରେଢ଼ାଖୋଲ, ମହୁଲପାଲି ଓ ରେଙ୍ଗାଲି ଥାନାରେ ଏଭଳି ମାମଲା ଘଟିସାରିଛି। ରେଢାଖୋଲ, ମହୁଲପାଲି ଓ ରେଙ୍ଗାଲି ଠକେଇ ମାମଲାରେ ସମ୍ପୃକ୍ତ ଥିବା ୪ ଜଣ ଆନ୍ତରାଜ୍ୟ ଠକଙ୍କୁ ରେଙ୍ଗାଲି ପୁଲିସ ଗତ ଜାନୁଆରି ଶେଷ ସପ୍ତାହରେ ଝାରସୁଗୁଡ଼ାରୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ୨୯.୯ ଗ୍ରାମ ସୁନା ଅଳଙ୍କାର ସହିତ ୫ଟି ମୋବାଇଲ୍ ଫୋନ୍, ୨ଟି ମୋଟର ସାଇକେଲ୍ ଏବଂ ସୁନା ଧୋଇବା ସାମଗ୍ରୀ ଜବତ କରିଥିଲା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବିହାରର ଥିଲେ। ଅଭିଯୁକ୍ତମାନେ ଜେଲ୍ରୁ ବାହାରି ସାରିଛନ୍ତି।
ଅନ୍ୟପଟେ ଏବେ ସମାନ ଉପାୟରେ ଧନୁପାଲି ସର୍ଲାକାନୀ ଅଞ୍ଚଳରେ ଠକେଇ ହୋଇଛି। ସେହି ଗ୍ୟାଙ୍ଗ୍ର ଠକମାନେ ଏହି ଠକେଇ କରିଥିବା ସନ୍ଦେହ କରାଯାଉଥିବା ବେଳେ ଏ ନେଇ ସମ୍ବଲପୁର ପୁଲିସ ନିକଟରେ କୌଣସି ଖବର ନାହିଁ। ଏଭଳି ସିରିଜ୍ ଅପରାଧ ଘଟାଉଥିବା ଗ୍ୟାଙ୍ଗ୍ ଉପରେ ପୁଲିସ ନଜର ରଖୁ ନଥିବାରୁ ପୁଣିଥରେ ଏହି ଠକେଇ ଗ୍ୟାଙ୍ଗ୍ ସମ୍ବଲପୁରରେ ସକ୍ରୀୟ ହୋଇସାରିଛି। ଠକେଇ ଘଟଣା ଘଟିସାରିବା ପରେ ଠକମାନଙ୍କୁ ଧରିବା ପାଇଁ ପୁଲିସ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା। ଅନ୍ୟପଟେ ଏଭଳି ଘଟଣା ବାରମ୍ବାର ଘଟିବା ପରେ ମଧ୍ୟ ପୁଲିସ ବିଭାଗ ପକ୍ଷରୁ ଲୋକଙ୍କୁ ଏ ନେଇ ସଚେତନ କରାଯାଉ ନଥିବାରୁ ଏଭଳି ମାମଲା ବଢ଼ୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।