ରଗଡି: ଯାଜପୁର ଜିଲ୍ଲା କୋରେଇ ଥାନା ରଗଡି ଅଞ୍ଚଳରୁ ଚୋରି ରାହାଜାନି ଥମିବାର ନାଁ ଧରୁନି। ଲୁଟେରାଙ୍କ ଟାର୍ଗେଟରେ ରହିଛି ଜାତୀୟ ରାଜପଥ। ମହିଳାଙ୍କୁ ପିଛା କରି ସୁନା ଚେନ ଲୁଟ କରିବା ଉପରେ ରହିଛି ସେମାନଙ୍କ ଆଖି । ପୂର୍ବରୁ ଏକାଧିକ ମହିଳା ଲୁଟର ଶିକାର ହେଉଥିବା ବେଳେ ଆଜି ପୁଣି ଜଣେ ମହିଳାଙ୍କ ବେକରୁ ୨ ଭାରି ଓଜନର ଏକ ସୁନା ଚେନ ଲୁଟ ହୋଇଛି।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ ନଦୁଆଁ ଗ୍ରାମର କିଶୋର କୁମାର ସାହୁ ଓ ପତ୍ନୀ ସୁଚିସ୍ମିତା ସାହୁ ଯାଜପୁର ରୋଡ଼ରୁ ଘରକୁ ଫେରୁଥିବା ବେଳେ ସନ୍ଧ୍ୟା ୫ଟା ସମୟରେ ୨୦ ନ. ଜାତୀୟ ରାଜପଥ କଣ୍ଟାଝରିଗଡ଼ ନିକଟ ମହାବୀର ମନ୍ଦିର ଏକ ପଲସରରେ ତାଙ୍କ ପିଛାରେ ଆସୁଥିବା ଦୁଇ ଜଣ ଯୁବକ ହଠାତ ସାମ୍ନାକୁ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ରଗଡି ଆଡକୁ ଦ୍ରୁତ ଗତିରେ ପଳାଇ ଥିଲେ। କିଶୋର ଲୁଟେରାଙ୍କ ପିଛା କରିଥିଲେ। ଲୁଟେରା ଦ୍ରୁତ ଗତିରେ ପଳାଉଥିବା ବେଳେ ବନ୍ଦି ଛକ ନିକଟରେ ଏକ ଗାଡିକୁ ସାମ୍ନା କରିବାକୁ ଯାଇ ହଡବଡେଇ ଯାଇ ଭାରସାମ୍ୟ ହରାଇ ତଳେ ପଡି ଯିବାରୁ ବାଇକ ଓ ଏକ ମୋବାଇଲ ଛାଡି ବିଲ ମଧ୍ୟରେ ପଶି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ।
ଖବର ପାଇ କୋରେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରା ପକାଇ ଦେଇ ଯାଇଥିବା ପଲସର ଗାଡି ଓ ଏକ ମୋବାଇଲକୁ ଜବତ କରିଛି। ଲୁଟେରା ନିକଟସ୍ଥ ଜଙ୍ଗଲରେ ଆତ୍ମଗୋପନ କରିଥିବା ସନ୍ଦେହରେ ପୁଲିସ ଉକ୍ତ ଅଞ୍ଚଳରେ ଛାନଭିନ ଜାରି ରଖିଛି। ଜବତ ହୋଇଥିବା ବାଇକ (ଓଡି ୦୨ ଏବି ୦୧୨୦) ଆଉ ମୋବାଇଲ ଜରିଆରେ ପୁଲିସ ଲୁଟେରାଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ହେବା ସହ ଲୁଟ ସମ୍ପର୍କରେ ଅଧିକ ତଥ୍ୟ ପାଇ ପାରିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/jajpur-2.jpg)
